ବିଚ୍ଛିନ୍ନାଞ୍ଚଳରେ ନକ୍ସଲଙ୍କ ଫତୱା : ମୋବାଇଲ ଧରିଲେ ମୃତ୍ୟୁଦଣ୍ଡ

ବିଚ୍ଛିନ୍ନାଞ୍ଚଳରେ ନକ୍ସଲଙ୍କ ଫତୱା : ମୋବାଇଲ ଧରିଲେ ମୃତ୍ୟୁଦଣ୍ଡ

ମାଲକାନଗିରି : ମୋବାଇଲ ଧରିଲେ ପ୍ରଜାକୋର୍ଟରେ ମିଳିବ ମୃତ୍ୟୁଦଣ୍ଡ। ଯଦି କଥାବାର୍ତ୍ତା ପାଇଁ ମୋବାଇଲ ଆବଶ୍ୟକ ପଡ଼ୁଛି ତେବେ ଅନୁମତି ନେବାକୁ ପଡ଼ିବ। ଏହି ଆଦେଶକୁ ଅମାନ୍ୟ କଲେ ନିଜ ଜୀବନ ପାଇଁ ନିଜେ ଦାୟୀ ରହିବ। ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ଏମିତି ଅଜବ ଫତୱା ଜାରି କରିଛନ୍ତି ନକ୍ସଲ। ଏପରିକି ବାହାରୁ ଯାଉଥିବା ଲୋକଙ୍କ ପାଇଁ ବି ନୋଟିସ୍ ବୋର୍ଡରେ ଏହି କଥା ଲେଖି ଚେତାଇଛନ୍ତି।

publive-image rtmworld.com

ଗାଁ ଗହଳିରେ ମୋବାଇଲ ନେଟୱର୍କ ପହଞ୍ଚିବା ପରେ ମଣିଷ ପାଇଁ ଗୋଟିଏ ଅଙ୍ଗ ପାଲଟି ଯାଇଛି ମୋବାଇଲ ଫୋନ। ହେଲେ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ମୋବାଇଲ ଫୋନ ଲୋକଙ୍କ ପାଇଁ ଅଭିଶାପ ସଦୃଶ ହୋଇଛି। ବିଚ୍ଛିନ୍ନାଞ୍ଚଳର ଅଣ୍ଡ୍ରାପାଲୀ ପଞ୍ଚାୟତର ଅରାପଦର ଗ୍ରାମରେ ନକ୍ସଲମାନେ ଗୋଟିଏ ନୋଟିସ୍ ବୋର୍ଡ ଲଗାଇଛନ୍ତି। ସେଥିରେ ମୋବାଇଲ ବ୍ୟବହାରକୁ ବାରଣ କରାଯାଇଛି। ଯଦି କେହି ବ୍ୟବହାର କରିବାକୁ ଚାହୁଁଛନ୍ତି; ତେବେ ଅନୁମତି ଦେବାକୁ ନିର୍ଦେଶ ଦେଇଛନ୍ତି। ଏନେଇ ଗ୍ରାମବାସୀଙ୍କୁ ପଚାରିବାରୁ ପ୍ରଥମେ ମୁହଁ ଖୋଲି ନଥିଲେ। ଶେଷରେ ସେମାନେ ଆଶଙ୍କା ମଧ୍ୟରେ ରହି ଏଭଳି ଫତୱାକୁ ସ୍ବୀକାର କରିଥିଲେ। ଇଚ୍ଛା ଥିଲେ ମଧ୍ୟ ସେମାନେ ମୋବାଇଲ ଧରୁନଥିବା କହିଥିଲେ। ଯଦି ଭୁଲ ବଶତଃ କେହି ମୋବାଇଲ ଧରନ୍ତି; ତେବେ ନକ୍ସଲଙ୍କ ନିକଟକୁ ଏ ଖବର ଚାଲିଯାଏ। ପରେ ପ୍ରଜାକୋର୍ଟରେ ଏଥିପାଇଁ ଦଣ୍ଡ ଦିଆଯାଏ। କେବଳ ଏହି ଗୋଟିଏ ଗାଁ ନୁହେଁ, ବିଚ୍ଛିନ୍ନାଞ୍ଚଳର ପ୍ରାୟ ସବୁ ଗ୍ରାମରେ ଏକା ଅବସ୍ଥା। ମୋବାଇଲ ଧରୁଥିବା ଲୋକଙ୍କ ଉପରେ ନକ୍ସଲ ସନ୍ଦେହ କରିବା ସହ ପୁଲିସ ଇନଫର୍ମର ଆଖ୍ୟା ଦେଇଥାନ୍ତି।

ଆମ ପ୍ରତିନିଧିଙ୍କ ସହ ଏମିତି କଥାବାର୍ତ୍ତା ଚାଲିଥିବା ସମୟରେ ଗାଁର କିଛି ପୁରୁଖା ଲୋକ ପହଞ୍ଚି କଥା ହେଉଥିବା ଲୋକଙ୍କୁ ସେଠାରୁ ଚାଲି ଯିବାକୁ କହିଥିଲେ। ଏଥିରୁ ଆଉ ବୁଝିବାକୁ ବାକି ନଥିଲା ଯେ, ନକ୍ସଲଙ୍କ ନିକଟକୁ ଏହି ଖବର ବି ପହଞ୍ଚିଯିବ। ଏମିତି ସ୍ଥିତିରେ ବିଚ୍ଛିନ୍ନାଞ୍ଚଳବାସୀ ଆଧୁନିକ ଯୁଗ ସହ କେମିତି ତାଳ ମିଳାଇବେ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe