ସ୍ବାଭିମାନ ଅଞ୍ଚଳରେ ଖୋଲା ଚ୍ୟାଲେଞ୍ଜ : ସହିଦ ସପ୍ତାହରେ ମାତିଲେ ନକ୍ସଲ

Advertisment
ଆଜିଠାରୁ ନକ୍ସଲଙ୍କ ସହିଦ ସପ୍ତାହ, ଯବାନ ସଜାଗ; ସୀମା ସିଲ୍‌ କଲା ପୁଲିସ

Telegraph India

ମାଲକାନଗିରି : ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ପତିଆରା ଜାହିର କରିବାକୁ ବିରାଟ ଆୟୋଜନ କଲେ ନକ୍ସଲ। ଶହ ଶହ ଲୋକ ସାମିଲ ବି ହେଲେ। ସରକାର ବିରୋଧୀ ନାରା ଦେଇ ସହିଦ ସାଥୀଙ୍କ ସ୍ମୃତିଚାରଣ କଲେ। ସହିଦ ସପ୍ତାହର ତୃତୀୟ ଦିନରେ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁଲିସ ଏବଂ ଅର୍ଦ୍ଧସାମରିକ ବଳକୁ ଖୋଲା ଚ୍ୟାଲେଞ୍ଜ ଦେଇ କ୍ୟାଡର ନକ୍ସଲ ଏହି ବିରାଟ ଜନସମାବେଶରେ ପହଞ୍ଚିଥିଲେ। ଯାହା ଫଳରେ ପୁଣି ଉଷ୍ମ ହୋଇଛି ସ୍ବାଭିମାନ ଅଞ୍ଚଳର ବାତାବରଣ।

ସ୍ବାଭିମାନ ଅଞ୍ଚଳର ଦୁର୍ଗମ କୋରହିଗଣ୍ଡି ଗାଁରେ ଆଜି ଥିଲା ଭିନ୍ନ ପରିବେଶ। ଲାଲ ପତକା ଧରି ଚାଲି ଚାଲି ପହଞ୍ଚିଥିଲେ ଆଖପାଖ ଅଞ୍ଚଳର ଶତାଧିକ ଲୋକ। ଲାଲ ସଲାମ ନାରାରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଥିବା ବେଳେ ବର୍ଷା ସତ୍ତ୍ବେ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଉତ୍ସବର ଆକାର ଦିଆଯାଇଥିଲା। ଏମିତି ଉତ୍ସାହ ରହିଥିଲା ଯେ, ସାମାଜିକ ଦୂରତା ତଥା ମାସ୍କ ପିନ୍ଧିବାକୁ ବି ଭୁଲି ଯାଇଥିଲେ ଅଧିକାଂଶ। ଭିଡ଼ ଜମା ହେବାପରେ କିଛି କ୍ୟାଡର ନକ୍ସଲ ପହଞ୍ଚିଥିଲେ। ନିର୍ମାଣ ହୋଇଥିବା ସହିଦ ସ୍ତମ୍ଭ ନିକଟରେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ସାଥୀ ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା କରିଥିଲେ। ଏହାପରେ ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର। ଏଥିପାଇଁ ଲଢ଼େଇକୁ ଜୋରଦାର କରିବାକୁ ଆହ୍ବାନ ଦେଇଥିଲେ। ନକ୍ସଲମାନେ ନାଚଗୀତରେ ସେମାନଙ୍କ କାର୍ଯ୍ୟଶୈଳୀ ତଥା ଅଭିମୁଖ୍ୟକୁ ଉପସ୍ଥାପନା କରିଥିଲେ। ସହିଦଙ୍କ ରାସ୍ତାକୁ ଅନୁକରଣ କରିବା ପାଇଁ କୁହାଯାଇଥିଲା। ଆଦିବାସୀ ଭାଷାରେ ଭାଷଣ ଦେଇ ଗୁରୁପ୍ରିୟା ସେତୁକୁ ବିରୋଧ କରିବା ସହ ପୁଲିସର ଅତ୍ୟାଚାର ସଂପର୍କରେ କ୍ୟାଡର ନକ୍ସଲ ବଖାଣିଥିଲେ। ସରକାର ସ୍ବାଭିମାନ ଅଂଚଳର ପାଇଁ କିଛି କରୁ ନ ଥିବା କୁହାଯାଇଥିଲା। ଲୋକ ମଧ୍ୟ ନକ୍ସଲଙ୍କ ପ୍ରତ୍ୟେକ କଥାରେ ସ୍ବର ମିଳାଇ ଚାଲିଥିଲେ। ତେବେ ଭୟରେ ଏମିତି କରିଥିଲେ ନା ସ୍ବଇଚ୍ଛାରେ ସମର୍ଥନ ଦେଇଥିଲେ ଜଣା ପଡ଼ିନାହିଁ।

ଅନ୍ୟପକ୍ଷରେ ଆଜି ଜିଲ୍ଲାର ବିଭିନ୍ନ ପ୍ରାନ୍ତ ତଥା ଦୁର୍ଗମ ଅଞ୍ଚଳରେ ମାଳ ମାଳ ବ୍ୟାନର ତଥା ପୋଷ୍ଟର ନକ୍ସଲ ଲଗାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରଗୁଡ଼ିକରେ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ଆହ୍ବାନ ଦିଆଯାଇଛି। ସ୍ବାଭିମାନ ଅଞ୍ଚଳର ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ସିରିପେଟା, ତୁମ୍ବାପଦର, ବଣ୍ଡାଘାଟି, ଯନ୍ତ୍ରୀ ଅଂଚଳରେ ସର୍ବାଧିକ ପୋଷ୍ଟର ଏବଂ ବ୍ୟାନର ଦେଖିବାକୁ ମିଳିଛି। ନକ୍ସଲଙ୍କ ଗତିବିଧି ଉପରେ ଗୁଇନ୍ଦା ବିଭାଗ ଏବଂ ଅର୍ଦ୍ଧସାମରିକ ବଳ ନଜର ରଖିଛନ୍ତି। ଏପରିକି ନକ୍ସଲ ପ୍ରତ୍ୟେକ କାର୍ଯ୍ୟକ୍ରମ ସଂପର୍କରେ ବି ନିୟମିତ ସୂଚନା ମିଳୁଛି। କିନ୍ତୁ ସେହି ଅଞ୍ଚଳରେ ପହଞ୍ଚିବା ପୂର୍ବରୁ ନକ୍ସଲ ନିଜ କାମ ସାରି ଚାଲି ଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe