News Nation
ଫୁଲବାଣୀ : କନ୍ଧମାଳରେ କେକେବିଏନ୍ ଓ ବିଜିଏନ୍ ମାଓବାଦୀ ସଂଗଠନ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି। ତୁମୁଡ଼ିବନ୍ଧ, ବାଲିଗୁଡ଼ା, ଫିରିଙ୍ଗିଆ, ଗୋଛାପଡ଼ା, ବେଲଘର, କ.ନୂଆଗାଁ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ରହିଛି। ଶୁକ୍ରବାର ରାତିରେ ମାଓବାଦୀ ଓ ପୁଲିସ ବାହିନୀ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ମାଓବାଦୀମାନେ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା ଚଳାଇଥିବା କୌଣସି ସୁତ୍ରରୁ ଖବର ପାଇ ପୁଲିସ କମ୍ବିଂ ଅପରେସନ୍ ଜୋରଦାର କରିଛି।
ଗତକାଲି ରାତିରେ ଫିରିଙ୍ଗିଆ ବ୍ଳକ ସୁମେରବନ୍ଧ ପଞ୍ଚାୟତ ବନ୍ଧଦାନି ଜଙ୍ଗଲରେ ଯବାନ ଓ ମାଓବାଦୀ ମୁହଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ପରେ ମାଓବାଦୀ କ୍ୟାମ୍ପ୍ ଛାଡ଼ି ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ତେବେ ଯବାନମାନେ ମାଓ କ୍ୟାମ୍ପ୍ ଦଖଲ କରିବା ପରେ ବହୁ ବିସ୍ଫୋରକ ସାମଗ୍ରୀ ସହ ସେମାନଙ୍କ ବ୍ୟବହୃତ ଜିନିଷ ଠାବ କରିଛନ୍ତି।
ମିଳିଥିବା ସୂଚନା ପ୍ରକାରେ ବନ୍ଧଦାନି ଜଙ୍ଗଲରେ ୨୦ରୁ ୨୫ ଜଣିଆ ମାଓବାଦୀଙ୍କ ଏକ ପଲଟଣ କ୍ୟାମ୍ପ୍ କରିଥିବା ବିଶେଷ ସୂତ୍ରରୁ ପୁଲିସକୁ ଖବର ମିଳିଥିଲା। ସେହି ଆଧାରରେ ଯବାନମାନେ ସଂପୃକ୍ତ ସ୍ଥାନକୁ ଅଗ୍ରସର ହେଉଥିବା ବେଳେ ମାଓବାଦୀଙ୍କ ପକ୍ଷରୁ ଗୁଳିମାଡ଼ ହୋଇଥିଲା। ଯବାନଙ୍କ ପକ୍ଷରୁ ପାଲଟା ଗୁଳିମାଡ଼ କରା ଯାଇଥିଲା। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ ଜୀବନ ଭୟରେ ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ମାଓବାଦୀଙ୍କ ଏହି ପଲଟଣରେ ୧୦ରୁ ୧୨ ଜଣ କ୍ୟାଡର ପାହ୍ୟାର ମାଓବାଦୀ ଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଏ ନେଇ କନ୍ଧମାଳ ଏସ୍.ପି. ପ୍ରତୀକ ଗୀତା ସିଂଙ୍କୁ ପଚାରିବାରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା କହିଛନ୍ତି। କମ୍ବିଂ ଅପରେସନ୍ରେ ସାମିଲ ଥିବା ଟିମ୍ ଫେରିଲେ ସବିଶେଷ ବିବରଣୀ ଜଣାପଡ଼ିବ ଏବଂ ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍କୁ ଜୋର୍ଦାର୍ କରାଯାଇଛି ବୋଲି ସେ କହିଛନ୍ତି।
ଦୁଇ ସପ୍ତାହ ତଳେ କ.ନୂଆଗାଁ ଥାନା ବୁଡ୍ରୁମାହା ଗାଁରେ ମାଓବାଦୀ ରାତିରେ ଘରୁ ଡାକି ନେଇ ବାଲିଗୁଡ଼ା ଥାନା ମାର୍ଦୁଲ ଗାଁର ରଞ୍ଜନ ଦିଗାଲଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ଗୁଳି କରି ହତ୍ୟା କରିଥିଲେ। ବିଭିନ୍ନ ସମୟରେ ଗଛକାଟି ରାସ୍ତା ଅବରୋଧ କରିବା ଓ ମାଓ ପୋଷ୍ଟର ମାରି ସେମାନଙ୍କ ସ୍ଥିତି ଜାହିର କରୁଥିବା ବେଳେ ଗତକାଲି ବନ୍ଧଦାନି ଜଙ୍ଗଲରେ ଗୁଳି ବିନିମୟ ଘଟଣାରୁ କନ୍ଧମାଳରେ ଲାଲବାହିନୀ ସକ୍ରିୟ ଥିବା ଅଧିକ ସ୍ପଷ୍ଟ ହୋଇଛି।
Follow Us