ପିଣ୍ଡାପଦର ଜଙ୍ଗଲରେ ପ୍ରଜାକୋର୍ଟ

Advertisment

୮ ଜଣଙ୍କୁ ଅପହରଣ, ୪ ଜଣଙ୍କୁ ପିଟିଲେ

୮ ଜଣଙ୍କୁ ଅପହରଣ, ୪ ଜଣଙ୍କୁ ପିଟିଲେ

ପିଣ୍ଡାପଦର ଜଙ୍ଗଲରେ ପ୍ରଜାକୋର୍ଟ

ମାଥିଲି/ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ମାଥିଲି ଥାନା ଅଧୀନସ୍ଥ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଗଲିଆଗୁଡା ଗ୍ରାମର ୮ଜଣଙ୍କୁ ଘରୁ ଉଠାଇ ନେବା ପରେ ପ୍ରଜାକୋର୍ଟରେ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ନିସ୍ତୁକ ପିଟିଛନ୍ତି। ଏଥିସହ ଚେତାବନୀ ଦେଇ ଛାଡ଼ିଛନ୍ତି। ଅପହୃତ ଗ୍ରାମବାସୀ ଏହି ଘଟଣା ପରେ ଏତେ ମାତ୍ରାରେ ଭୟଭୀତ ହୋଇ ଯାଇଛନ୍ତି ଯେ ଘଟଣା ସଂପର୍କରେ ମୁହଁ ଖୋଲିବାକୁ ଚାହୁଁ ନାହାନ୍ତି। ନକ୍ସଲଙ୍କ ଉଗ୍ରରୂପ ଦେଖି ଗ୍ରାମବାସୀ ବି ଆତଙ୍କିତ ଅବସ୍ଥାରେ ରହିଛନ୍ତି।

publive-imageସୂଚନା ଅନୁଯାୟୀ, ୧୦ଦିନ ତଳେ ଯୋଜନାବଦ୍ଧ ଭାବେ ଦରଭା ଡିଭିଜନ ନକ୍ସଲ ସଂଗଠନର ବହୁ ସଦସ୍ୟ ହଠାତ୍‌ ଗାଲିଆଗୁଡା ଗାଁରେ ଅସ୍ତ୍ରଶସ୍ତ୍ର ଧରି ପହଞ୍ଚିଥିଲେ। ବିନା ଆଲୋଚନାରେ ପରଦେଶୀ ଦୁରୁଆ, ସୀତାରାମ ଦୁରୁଆ, ପଦିଆ କାବାସି, ମୁସୁକି ଦୁରୁଆ, ମିଶି କାବାସି, ଲକ୍ଷ୍ମୀଧର ଦୁରୁଆ, ଆଡମା ପଡିଆମି ଏବଂ ପାଣ୍ଡୁ ମାଢିକୁ ଗାଁରୁ ଉଠାଇ ନେଇଥିଲେ। ୭ଦିନ ଧରି ବନ୍ଧକ କରି ରଖି ଗତ ଶୁକ୍ରବାର ଦିନ ମାଲକାନଗିରି ଏବଂ ଛତିଶଗଡ ସୀମାନ୍ତ ଦଣ୍ଡିପଦର ଗ୍ରାମ ନିକଟସ୍ଥ ତୁଳସୀ ପାହାଡ ଜଂଗଲରେ ପ୍ରଜାକୋର୍ଟର ଆୟୋଜନ କରିଥିଲେ। ଏଥିରେ ଆଖପାଖ ଗାଁର ଶତାଧିକ ଲୋକ ଜମା ହୋଇଥିଲେ।

ବିଚାର ପ୍ରକ୍ରିୟା ଆରମ୍ଭ ହୋଇ ଉପରୋକ୍ତ ୮ଜଣ ପୁଲିସକୁ ନିୟମିତ ଭାବେ ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ଦେଉଥିବା ଅଭିଯୋଗ କରାଯାଇଥିଲା। ତେବେ ଶୁଣାଣି ମଧ୍ୟରେ ପରଦେଶୀ ଦୁରୁଆ, ମିଶି କାବାସି, ଲକ୍ଷ୍ମୀଧର ଦୁରୁଆ ଏବଂ ପାଣ୍ଡୁ ମାଢିଙ୍କ ବିରୋଧରେ ବିଶେଷ ପ୍ରମାଣ ନମିଳିବାରୁ ସେମାନଙ୍କୁ ନିର୍ଦୋଷରେ ଖଲାସ କରିଥିଲେ। କିନ୍ତୁ ସୀତାରାମ ଦୁରୁଆ, ପଦିଆ କବାସି, ମୁସିକି ଦୁରୁଆ ଏବଂ ଆଡମା ପଡିଆମି ପ୍ରମୁଖ ଦୋଷୀ ସାବ୍ୟସ୍ତ ହେଲେ। ତେଣୁ ସେଠାରେ ହିଁ ସେମାନଙ୍କୁ ଦଣ୍ଡ ଦିଆଗଲା। ଶହ ଶହ ଲୋକଙ୍କ ସାମ୍ନାରେ ଅମାନୁଷିକ ଭାବେ ଅତ୍ୟାଚାର କରିବା ସହ ଘଣ୍ଟା ଘଣ୍ଟା ଧରି ପିଟିଲେ। ଦରମରା ଅବସ୍ଥାରେ ଚେତାବନୀ ଦେଲେ ଯେ, ଆଗକୁ ଯଦି ପୁଲିସକୁ କୌଣସି ସୂଚନା ଦିଅନ୍ତି ତାହାହେଲେ ପରିସ୍ଥିତି ଭୟାବହ ହେବ। ଆଗକୁ ଆଉ ସହରକୁ ଯିବେ ନାହିଁ। ଅଜଣା ବ୍ୟକ୍ତି ସହ ଆଦୌ କଥା ହେବେ ନାହିଁ ବୋଲି ନିର୍ଦେଶ ଦେଇଥିଲେ। ଅନ୍ୟଥା ପ୍ରଜାକୋର୍ଟରେ ସମସ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe