ବିଚ୍ଛିନ୍ନାଞ୍ଚଳରେ ସହିଦ୍‌ ସ୍ତମ୍ଭ ନିର୍ମାଣ କଲେ ନକ୍ସଲ

Advertisment
ବିଚ୍ଛିନ୍ନାଞ୍ଚଳରେ ସହିଦ୍‌ ସ୍ତମ୍ଭ ନିର୍ମାଣ କଲେ ନକ୍ସଲ

ମାଲକାନଗିରି : କିଛି ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ପୁଣି ମେଳି କରିଛନ୍ତି ନକ୍ସଲ। ଅଣ୍ଡ୍ରାପାଲୀ ନିକଟସ୍ଥ ଜଂଗଲରେ ଏହି ବିଶାଳ ସମାବେଶ ହୋଇଥିବା ସୂଚନା ମିଳିଛି। କମ୍ରେଡ ମୀନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନକ୍ସଲଙ୍କ ବୈଠକ ହୋଇଥିବା ବେଳେ ସହିଦ ସ୍ତମ୍ଭ ମଧ୍ୟ ନିର୍ମାଣ କରିଛନ୍ତି। ମାସକ ତଳେ ମାଲକାନଗିରି ପୁଲିସର ଏନକାଉଣ୍ଟରରେ ଟପ୍ ମାଓ ନେତ୍ରୀ ମୀନା ନିହତ ହୋଇଥିଲା। ମୀନା ବିଚ୍ଛିନ୍ନା଼ଞ୍ଚଳରେ ଡେପୁଟି କମାଣ୍ଡର ଭାବେ ଦାୟିତ୍ବ ତୁଲାଉଥିଲେ। ତାଙ୍କ ମୃତ୍ୟୁ ସଂଗଠନକୁ ଶକ୍ତ ଧକ୍କା ଦେଇଥିବା ବେଳେ ପୁଣି ‌ବଳ ଜୁଟାଇବା ପାଇଁ ନକ୍ସଲ ବୈଠକ ଡକାଇଥିଲେ। ଏଥିରେ ଉଦୟ, ସୁଧୀର, ଅନିଲ, ରଣଦେବଙ୍କ ଭଳି ଟପ୍ କ୍ୟାଡର ମାଓବାଦୀ ଯୋଗ ଦେଇଥିଲେ। ସେହିପରି ବିଚ୍ଛିନ୍ନାଞ୍ଚଳର ଶତାଧିକ ନକ୍ସଲ ବି ସାମିଲ ହୋଇଥିଲେ। ଆଖପାଖ ଗ୍ରାମବାସୀଙ୍କୁ ବି ଏଠାକୁ ଡକାଯାଇଥିଲା। ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଉପସ୍ଥିତ ଲୋକଙ୍କୁ କୁୁହାଯାଇଥିଲା। ମୀନାଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି କ୍ୟାଡର ମାଓବାଦୀ କହିଥିଲେ। ମୀନା କେଉଁଭଳି କାମ କରୁଥିଲେ ଏବଂ ଅଞ୍ଚଳ ପ୍ରତି ଥିବା ତାଙ୍କ ଅବଦାନ ସଂପର୍କରେ ମଧ୍ୟ ବୁଝାଯାଇଥିଲା। ତେଣୁ ତାଙ୍କ ପଥକୁ ଅନୁସରଣ କରି କାମ କରିବାକୁ ନୂଆରେ ଯୋଗ ଦେଇଥିବା ନକ୍ସଲଙ୍କୁ କୁହାଯାଇଥିଲା।

ସ୍ବାଭିମାନ ଅଂଚଳରେ ପୁଲିସର ଘନଘନ ଅପରେସନ ମାଓ ସଂଗଠନକୁ ଏକ ପ୍ରକାର ଦୁର୍ବଳ କରି ଦେଇଥିଲା। ଏହାପରେ ଗୁରୁପ୍ରିୟା ସେତୁ ଏବଂ ବିଚ୍ଛିନ୍ନାଞ୍ଚଳରେ ଦୁଇଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବାରୁ ନକ୍ସଲଙ୍କ ଗତିବିଧି ପୂର୍ବ ଅପେକ୍ଷା କମି ଯାଇଥିଲା। ଏମିତି ସମୟରେ ନକ୍ସଲ ବିଚ୍ଛିନ୍ନାଞ୍ଚଳରେ ସହିଦସ୍ତମ୍ଭ ନିର୍ମାଣ ସାଙ୍ଗକୁ ମେଳି କରି ପୁଣି ନିଜ ପତିଆରା ଜାହିର କରିଛନ୍ତି। ଏପରିକି ନକ୍ସଲ ବିଚ୍ଛିନ୍ନାଞ୍ଚଳରେ ସକ୍ରିୟ ରହିଥିବା ଲୋକଙ୍କୁ ଅବଗତ କରାଯାଉଛି। ଯନ୍ତ୍ରୀ, ପଣସପୁଟ, ଯଡାମ୍ବ ଭଳି ପଞ୍ଚାୟତରୁ ଶତାଧିକ ଲୋକ ନକ୍ସଲଙ୍କ ଡାକରାରେ ଅଣ୍ଡ୍ରାପାଲୀ ଜଂଗଲରେ ଏକତ୍ରିତ ହୋଇଥିଲେ। ସରକାରଙ୍କ ବିରୋଧରେ ଲୋକଙ୍କୁ କହି ସଂଗଠନ ବଢ଼ାଇବା ପାଇଁ ଯୁବକ, ଯୁବତୀଙ୍କୁ ପିଏଲଜିଏରେ ସାମିଲ ପାଇଁ ପ୍ରବର୍ତ୍ତାଇଥିଲେ। ମୀନାଙ୍କ ଉଦ୍ଦେଶ୍ୟରେ ଏକାଠି ହୋଇଥିବା ନେଇ ଦର୍ଶାଇ ନକ୍ସଲ ଏକ ବଡ଼ ଧରଣର ହମଲା ପାଇଁ ପ୍ରସ୍ତୁତ ହେଉଥିବା ଏହି ମେଳି ପରେ ପରୋକ୍ଷରେ ଆଭାସ ମିଳୁଛି। ତେବେ କେଉଁ ଭଳି ଯୋଜନା ହୋଇଛି ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe