ନୂଆଗାଁ : କରୋନା କବଳରେ ଦୃଷ୍ଟିହୀନ ଓ ଅସହାୟଙ୍କ ଦୁଃଖ

ନୂଆଗାଁ : କରୋନା କବଳରେ ଦୃଷ୍ଟିହୀନ ଓ ଅସହାୟଙ୍କ ଦୁଃଖ

ନୂଆଗାଁ : ନୂଆଗାଁ ବ୍ଲକ୍‌ର ଅଧିକାଂଶ ଅସହାୟ ବ୍ୟକ୍ତି ଭୋକ ଉପବାସରେ ଛଟପଟ ହେଉଛନ୍ତି। ସବୁଥାଇ କିଛି ନଥିଲା ପରି ଅନ୍ୟମାନଙ୍କ ଉପରେ ବୋଝ ସାଜିଛନ୍ତି। ଏବେ କରୋନା ମହାମାରୀ ଯୋଗୁ ଅସହାୟଙ୍କ ଦୁଃଖ ଆହୁରି ବଢ଼ିଯାଇଛି। ଏମିତି ଅନେକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗାତେରୀ ପଞ୍ଚାୟତ ଆଡିପଡା ଗ୍ରାମର ପ୍ରମିଳା ନାୟକ। ସେ ଜନ୍ମରୁ ଦୃଷ୍ଟିହୀନ। ତାଙ୍କର ଦୁଇ ଆଖିକୁ ଦେଖା ନ ଯିବାରୁ ସେ ଅବିବାହିତ ରହିଛନ୍ତି। ଏବେ ତାଙ୍କ ଦୁଇ ଭାଇଙ୍କ ଉପରେ ବୋଝ ହୋଇ ଜୀବନ ଅତିବାହିତ କରୁଛନ୍ତି।

publive-image

ଖବରରୁ ପ୍ରକାଶ, ଆଡିପଡା ଗ୍ରାମର ପ୍ରମିଳା ନାୟକ ଜନ୍ମରୁ ଦୃଷ୍ଟହୀନ ଥିବାରୁ ତାଙ୍କୁ ସରକାରଙ୍କ ପକ୍ଷରୁ ମୁଣ୍ତପିଛା ହିସାବରେ ଚାଉଳ ୫ କିଲୋ ଏବଂ ୫ ଶହ ଟଙ୍କା ଭତ୍ତା ଦିଆଯାଉଛି। ଦୁଇଭାଇ ପ୍ରମିଳାଙ୍କୁ ପାଖରେ ରଖି ତାଙ୍କର ଯାବତୀୟ କଥା ବୁଝନ୍ତି। ବାହାରେ ଦୁଇଭାଇ ଶ୍ରମିକ ଭାବେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର କଷ୍ଟେ ମଷ୍ଟେ ଚଳିଯାଏ। କରୋନା ମହାମାରୀ ସାରା ଦେଶରେ ଆତଙ୍କ ଖେଳାଇ ଚାଲିଥିବାରୁ ସରକାର ସମସ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାମଧନ୍ଦା ନ ପାଇ ଦୁଇ ଭାଇ ଘରେ ବସି ରହିଛନ୍ତି। ସରକାରଙ୍କ ପକ୍ଷରୁ ପ୍ରମିଳାଙ୍କୁ ମିଳୁଥିବା ଚାଉଳ ୫ କେଜି ଏବଂ ୫ ଶହ ଭତ୍ତା ଟଙ୍କାରେ ଚଳିବା କଷ୍ଟକର ହୋଇପଡ଼ିଛି। ରାଜ୍ୟ ସରକାର ଅସହାୟ ବ୍ୟକ୍ତିମାନଙ୍କୁ ପଞ୍ଚାୟତରେ ରନ୍ଧାଖାଦ୍ୟ ଦେବା ପରେ ପ୍ରମିଳାଙ୍କ ଭୋକ କିଛି ମାତ୍ରାରେ ମେଣ୍ଟି ଯାଉଥିଲା। ଏବେ ରନ୍ଧାଖାଦ୍ୟ ବନ୍ଦ ହେବାରୁ ପରିବାରର ଦୁଃଖ ଆହୁରି ବଢ଼ିଯାଇଛି। ଏପଟେ ବେରୋଜଗାରିଆ ଦୁଇଭାଇ ଘରେ ବସି ରହୁଥିବା ପରେ ଘରର ଅନଟନ ଦିନକୁ ଦିନ ବୃଦ୍ଧି ପାଇଛି। ଏବେ ଦୁଃଖଯନ୍ତ୍ରଣାରେ ପରିବାରଟି କାଳାତିପାତ କରୁଛନ୍ତି।

ସେହିପରି ଆଉ ଜଣେ ଦିବ୍ୟାଙ୍ଗ ହେଉଛନ୍ତି ଟୁନା ନାୟକଙ୍କ ସ୍ତ୍ରୀ ରତନି ନାୟକ। ରତନିଙ୍କ ଡାହାଣ ହାତ ସଂପୂର୍ଣ୍ଣ ଭାବେ କଟି ଯାଇଛି। ତାଙ୍କ ପକ୍ଷେ ଚଳିବା କଷ୍ଟକର ହେବାରୁ ସେ ଏବେ ବାପ ଘରେ ଯାଇ ଆଶ୍ରୟ ନେଇଛନ୍ତି। ତାଙ୍କୁ ସରକାରଙ୍କ କୌଣସି ଯୋଜନାରେ ସାମିଲ୍ କରାଯାଇ ନାହିଁ। ଆଉ ଜଣେ ବାବୁଲ ନାୟକଙ୍କ ସ୍ତ୍ରୀ ରୀତା ନାୟକଙ୍କ କ୍ଷେତ୍ରରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବାବୁଲା ନାୟକ କେରଳରେ ଯାଇ କାମ କରୁଥିଲା ବେଳେ ରୀତା ନିଜର ଦୁଇପୁଅଙ୍କୁ ଧରି ଗାଁ’ରେ ରୁହନ୍ତି। ତାଙ୍କର ଆର୍ଥିକ ସମ୍ବଳ ବୋଲି କିଛି ନାହିଁ। ଭଙ୍ଗା କୁଡ଼ିଆରେ ନିଜର ଦୁଇପୁଅଙ୍କୁ ଧରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତାଙ୍କୁ ଆଜି ପର୍ଯ୍ୟନ୍ତ ରାସନ କାର୍ଡ ପାଇବାରୁ ବଂଚିତ ହୋଇଛନ୍ତି। ଏପଟେ ସ୍ବାମୀ ବାବୁଲା ନାୟକ କେରଳରେ ରହି କାମ କରୁଥିବାରୁ ଲକ୍‌ଡାଉନ୍ ଯୋଗୁ ଗାଁ’କୁ ଆସି ପାରୁନାହାନ୍ତି। ସମସ୍ତେ ଦଳିତ ପରିବାରର ହୋଇଥିବାରୁ ପ୍ରଶାସନ ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe