ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚେତିଲେ : ଚିନିକଳ ପରିସରରେ ଜିଲ୍ଲାପାଳଙ୍କ ଅନୁଧ୍ୟାନ

ବିଦ୍ୟୁତ୍‌କରଣ ସହ ସିସି କ୍ୟାମେରା ବ୍ୟବସ୍ଥା ହେବ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚେତିଲେ : ଚିନିକଳ ପରିସରରେ ଜିଲ୍ଲାପାଳଙ୍କ ଅନୁଧ୍ୟାନ

New Indian Express

ନୟାଗଡ଼ : ଧ୍ବଂସସ୍ତୁପ‌ରେ ପହଞ୍ଚିଥିବା ନୟାଗଡ଼ ସମବାୟ ଚିନିକଳର ସୁରକ୍ଷା ନେଇ ‌ଶେଷରେ ଜିଲ୍ଲା ପ୍ରଶାସନ ଯୋଜନା କରୁଥିବା ଖବର ମିଳିଛି। ଚିନିକଳର ସୁରକ୍ଷା ନେଇ ନୟାଗଡ଼ ସୁଗାର କମ୍ପ୍ଲେକ୍ସ ଲିମିଟେଡ୍‌ ଅଧ୍ୟକ୍ଷ ତ୍ର‌ୈଲୋକ୍ୟ ମିଶ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ଡିସେମ୍ବର ୪ରେ ହାଇକୋର୍ଟ ଚିନିକଳର ସୁରକ୍ଷା ବ୍ୟବସ୍ଥା କରିବାକୁ ନୟାଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲାପାଳ ଏ ନେଇ ଧ୍ୟାନ ଦେଇନଥିଲେ। ଜାନୁଆାରି ୧୮‌ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହୋଇଥିବା ବେ‌ଳେ, ଚିନିକଳର ସ୍ଥିତାବସ୍ଥା ନେଇ ସତ୍ୟପାଠ ଦାଖଲ କରିବାକୁ ନୟାଗଡ଼ ଜିଲ୍ଲାପାଳ ଓ ଚିନିକଳ ପରିଚାଳନା ନିର୍ଦ୍ଦେଶକ ଦୁଇ ସପ୍ତାହ ସମୟ ମାଗିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ, ଏସ୍‌ପି ସିଦ୍ଧାର୍ଥ କଟାରିଆ, ଡିଏଫ୍‌ଓ ଧନରାଜ ଏଚ୍‌.ଡି ଓ ଅନ୍ୟ ଅଧିକାରୀଗଣ ଚିନିକଳ ପରିସରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଚିନିକଳର ସୁରକ୍ଷା ନିମନ୍ତେ ପୁଲିସ କର୍ମଚାରୀ ମୁତୟନ, ସିସି ଟିଭି ଲଗାଇବାର ଯୋଜନା ହେଉଥିବା ଜଣାପଡ଼ିଛି। ଏଥି ସହିତ ଚିନିକଳ ପରିସରକୁ ପଶିବା ଲାଗି ସମସ୍ତ ବାଟ ବନ୍ଦ କରାଯିବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ତେବେ ଗତ ବର୍ଷ ମାର୍ଚ୍ଚ ମାସରେ ଜିଲ୍ଲାପାଳ ଚିନିକଳର ସ୍ଥିତି ପରଖିଥିଲେ। ଏହା ମଧ୍ୟରେ ଥିବା ଯନ୍ତ୍ରାଂଶଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀର ଗଣନା କରାଯାଇଥିଲା। ଏହ‌ାର ତାଲିକା ପ୍ରସ୍ତୁତ କରିବା ସହ ତାଲା ପକାଯାଇ ଜଉମୁଦ ଦେଇ ସିଲ୍‌ କରାଯାଇଥିଲା। କିନ୍ତୁ ଏଠାରେ ସୁରକ୍ଷା କର୍ମୀ ମୁତୟନ କରାଯାଇନଥିଲା। ଫଳରେ ଚିନିକଳକୁ ସିଲ୍‌ କରି ପ୍ରଶାସନ ପରୋକ୍ଷରେ ଚୋର ହାତକୁ ଟେକି ଦେଇଥିଲା। ଚିନିକଳରୁ ବହୁ ମୂଲ୍ୟର ଯନ୍ତ୍ରାଂଶ କାଟି କବାଡ଼ିଆକୁ ବିକ୍ରି କରି ଦିଆଯାଇଛି। ଏପରିକି ଚିନିକଳ ପରିସରରେ ଥିବା ବିଭିନ୍ନ ଗାଡ଼ିକୁ ଗୋଟିଏ କୋଠରିରେ ଭର୍ତ୍ତି କରାଯାଇ ସିଲ୍‌ କରାଯାଇଥିଲା। ବର୍ତ୍ତମାନ ସେ ଗାଡ଼ିଗୁଡ଼ିକ ପଡ଼ିରହିଥିବା ବେ‌ଳେ, ତାହା ମଧ୍ୟରେ କୌଣସି ଯନ୍ତ୍ରାଂଶ ନାହିଁ। ଅନେକ କୋଠରିରୁ ଝରକା, କବାଟ ମଧ୍ୟ ଚୋର ତାଡ଼ି ନେଇଛନ୍ତି। ୨୦୧୪ରୁ ଚିନିକଳ ଅଚଳ ହୋଇପଡ଼ିଥିଲେ ମଧ୍ୟ ଏହାର ପରିଚାଳନା ଦା‌ୟିତ୍ବ ନେଇଥିବା ତ୍ର‌ୈଲୋକ୍ୟ ମିଶ୍ର ଘରୋଇ ଭାବେ ସୁରକ୍ଷା ବ୍ୟବସ୍ଥା କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ଚିନିକଳକୁ ସିଲ୍‌ କରିବା ପରେ ଶ୍ରୀ ମିଶ୍ର ସୁରକ୍ଷା ଦାୟିତ୍ବରୁ ଓହରି ଯାଇଥିଲେ। ଚିନିକଳରୁ ବାରମ୍ବାର ଚୋରି ଖବର ପାଇବା ପରେ ଶ୍ରୀ ମିଶ୍ର ହାଇକୋର୍ଟର ଦ୍ବାରସ୍ଥ ହୋଇଥି‌ଲେ। ଗତ ୧୮ ତାରିଖରେ ହାଇକୋର୍ଟଙ୍କୁ ନୟ‌ାଗଡ଼ ଜିଲ୍ଲାପାଳ ଓ ଚିନି କଳ ପରଚାଳନା ନିର୍ଦ୍ଦେଶକଙ୍କ ପକ୍ଷରୁ ସରକାରୀ ଓକିଲ ମିଛ କହିଥିବା ଆଇନଜୀବୀ ତଥା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଚିନିକଳର ସୁରକ୍ଷା ନେଇ ବ୍ୟବସ୍ଥା କରାନଯାଇ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇଥିବା କୁହାଯାଇଛି। ଏଭଳି ସ୍ଥିତିରେ ସତ୍ୟପାଠ ଦାଖଲ ନେଇ ସମୟ ମାଗିବା ସନ୍ଦେହ ବଢ଼ାଉଛି। ବାସ୍ତବ‌ରେ ଗତ ମାର୍ଚ୍ଚରେ ଚିନିକଳର ସ୍ଥିତାବସ୍ଥା ଯାଞ୍ଚ ବେଳେ ଯେଉଁ ଯନ୍ତ୍ରାଂଶ ତାଲିକା କରାଯାଇଥିଲା, ଏବେ ସେସବୁ ନଥିବା ନେଇ ଖୋଦ ପ୍ରଶାସନର ମଧ୍ୟ ସନ୍ଦେହ ରହିଛି। ପୁନର୍ବାର ସ୍ଥିତାବସ୍ଥା ଯାଞ୍ଚ କରାଯାଇ କୋର୍ଟଙ୍କୁ ସତ୍ୟପାଠ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ତେବେ ଚିନିକଳ ପରିସରକୁ ଆଜି ଜିଲ୍ଲାପାଳ ଯାଇଥିଲେ। ଏ ବିଷୟରେ ତାଙ୍କର ପ୍ରତିକ୍ରିୟା ଜାଣିବା ଲାଗି ଫୋନ୍‌ କରାଯାଇଥିବା ବେଳେ, ଚିରାଚରିତ ଭାବେ ସେ ଫୋନ୍‌ ଉଠାଇ ନାହାନ୍ତି। ତେବେ ଚିନିକଳରୁ ଚୋରି ପରେ ଜିଲ୍ଲାପାଳଙ୍କ ଗସ୍ତକୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ ସମାଲୋଚନା କରିଛନ୍ତି। ଚିନିକଳରୁ ଚୋରି ହୋଇଥିବା ଯନ୍ତ୍ରାଂଶର କ୍ଷତିପୂରଣ ବାବଦରେ ଅର୍ଥ ଜିଲ୍ଲାପାଳଙ୍କ ଦରମାରୁ ଆଦାୟ ପାଇଁ ସେ ଦାବି କରିଛନ୍ତି। ଏଥି ନେଇ ଶ୍ରୀ ଦାଶ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe