ଦ୍ବନ୍ଦ୍ବରେ ପକାଇଲା ନୟାଗଡ଼ ସଂଖ୍ୟା

୮ ଦିନରେ କରୋନା ନେଲାଣି ୩୩୨ ମୁଣ୍ଡ

Representative image

ଭୁବନେଶ୍ବର/ନୟାଗଡ଼ : ରାଜ୍ୟରେ ଏବେ କରୋନା ସଂକ୍ରମଣ ହାର କମି କମି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ୪୦/୪୫ରେ ସୀମିତ ରହିଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ନୟାଗଡ଼ ଘଟଣା ଦ୍ବନ୍ଦ୍ବ ବଢ଼ାଇ ଦେଇଛି। କରୋନା ମୃତ୍ୟୁସଂଖ୍ୟାକୁ ନେଇ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ତଥ୍ୟରେ ତାଳମେଳ ରହୁନାହିଁ। କରୋନାର ଦ୍ବିତୀୟ ଲହରରେ ନୟାଗଡ଼ ଜିଲ୍ଲାରେ ୯୬ ଜଣ ପ୍ରାଣ ହରାଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ରିପୋର୍ଟ ଦେଇଥିବା ବେଳେ ରାଜ୍ୟ ସରକାର ପକ୍ଷରୁ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ସେଥିରେ ୯ ମୃତ୍ୟୁ ଦର୍ଶାଯାଇଛି।

କୋଭିଡ ହସ୍ପିଟାଲ ଗୁଡ଼ିକରେ ଯେତିକି ସଂଖ୍ୟକ ମୃତ୍ୟୁ ହେଉଛି ତାହାର ଯଥେଷ୍ଟ କମ୍ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ଘୋଷଣା କରାଯାଉଥିବା ବିଷୟ ସିଡିଏମ୍ଓଙ୍କ ରିପୋର୍ଟରୁ ସଙ୍କେତ ମିଳୁଛି। ଯଦି କୋଭିଡ ମୃତ୍ୟୁକୁ ଠିକ୍ ଭାବେ ଘୋଷଣା କରାନଯିବ, ତାହେଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ବିଭିନ୍ନ ସହାୟତା ରାଶି ମୃତକଙ୍କ ହିତାଧିକାରୀମାନେ ପାଇପାରିବେ ନାହିଁ ବୋଲି କୁହାଯାଉଛି।

ଗତବର୍ଷ ରାଜ୍ୟରେ କରୋନା ସଂକ୍ରମଣ ଜୁନ୍, ଜୁଲାଇ ମାସରେ ଶୀର୍ଷକୁ ଛୁଇଁଥିଲା।

ଏହାର ପରବର୍ତୀ ମାସ ଗୁଡ଼ିକରେ ସଂକ୍ରମଣ କମିବାକୁ ଆରମ୍ଭ କରିଥିଲା। ହେଲେ ରାଜ୍ୟରେ ସଂକ୍ରମଣ ଶୀର୍ଷରେ ଥିବା ସମୟରେ ସରକାରଙ୍କ ପକ୍ଷରୁ ଦୈନିକ ଯେତିକି କୋଭିଡ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଉଥିଲା, ସଂକ୍ରମଣ ହ୍ରାସ ପରେ ମଧ୍ୟ ଏହି ଧାରା ଜାରି ରହିଥିଲା। ଯାହାକୁ ନେଇ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିଥିଲା। ଦ୍ବିତୀୟ ଲହରରେ ମଧ୍ୟ ସମାନ ଧାରା ଆରମ୍ଭରୁ ଜାରି ରଖିଥିଲେ ସରକାର। ରିଅଲ ଟାଇମ୍ କୋଭିଡ ମୃତ୍ୟୁ ସଂପର୍କରେ ବାରମ୍ବାର ପ୍ରଶ୍ନ ଉଠିବା ପରେ ଏହି ସଂଖ୍ୟା ବଢ଼ିଥିଲା। ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଉଛି ଯେ ଏବେ ଯେଉଁ ମୃତ୍ୟୁସଂଖ୍ୟା ଘୋଷଣା କରାଯାଉଛି ତାହା ପୁରୁଣା ରିପୋର୍ଟ ଉପରେ ଅଡିଟ୍ କଲା ପରେ ପ୍ରକାଶ କରାଯାଉଛି।

ଗତମାସ ୨୭ତାରିଖରେ ରାଜ୍ୟ ସରକାର କୋଭିଡ ହସ୍ପିଟାଲ(ସରକାରୀ/ଘରୋଇ)ରେ ହେଉଥିବା ମୃତ୍ୟୁର ୪୮ଘଣ୍ଟା ଭିତରେ ଅଡିଟ୍‌ କରିବା ଲାଗି ଜିଲ୍ଲା କମିଟିମାନଙ୍କୁ ନିର୍ଦେଶ ଦେଇଛନ୍ତି। ଯାହାଫଳରେ କୋଭିଡ ମୃତ୍ୟୁ ଯଥାଶୀଘ୍ର ରିପୋର୍ଟ ହୋଇପାରିବ। ମାତ୍ର ରାଜ୍ୟରେ ଏବେ ଘୋଷଣା ହେଉଥିବା କୋଭିଡ ମୃତ୍ୟୁ ବେଶ୍‌ କିଛିଦିନ ତଳର। ସରକାରଙ୍କ ସ୍ବାସ୍ଥ୍ୟ ଅଧିକାରୀମାନେ ମଧ୍ୟ ଏହା ସ୍ବୀକାର କରୁଛନ୍ତି।

କେବଳ ଓଡିଶା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ବିହାର ସରକାର ଗତକାଲି ନିଜ ରାଜ୍ୟରେ ହୋଇଥିବା କୋଭିଡ ମୃତ୍ୟୁକୁ ସଂଶୋଧିତ କରିବା ସହିତ ଆହୁରି ୩୯୫୧ ଜଣଙ୍କର କୋଭିଡ ମୃତ୍ୟୁ ହୋଇଥିବା ଘୋଷଣା କରିଛନ୍ତି। ଯାହାଫଳରେ ବିହାରରେ କୋଭିଡ ମୃତ୍ୟୁ ସଂଖ୍ୟା ୯୪୨୯କୁ ବୃଦ୍ଧି ପାଇଛି। ସେହିପରି ଗତବର୍ଷ ମଧ୍ୟ ଦିଲ୍ଲୀ ସରକାର ନିଜ ରାଜ୍ୟର କୋଭିଡ ମୃତ୍ୟୁ ସଂଖ୍ୟାକୁ ପଛ‌ରେ ସଂଶୋଧନ କରିଥିଲେ।

ଇତିମଧ୍ୟରେ ଆମ ନୟାଗଡ଼ ପ୍ରତିନିଧି ଜଣାଇଛନ୍ତି ‌ଯେ କରୋନା ମୃତ୍ୟୁ ତାଳମେଳ ରହୁନଥିବା ନେଇ ଆଜି ତନାଘନା ଆରମ୍ଭ ହୋଇଛି। ଏସଂପର୍କରେ ସିଡିଏମ୍ଓ ଡାକ୍ତର ଶକ୍ତି ପ୍ରସାଦ ମିଶ୍ର କହିଛନ୍ତି ଯେ ୯୬ ମୃତ୍ୟୁ ସଂପର୍କରେ ସେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ରିପୋର୍ଟ ‌ଦେଇଥିଲେ। ଏବେ ଜିଲ୍ଲାପାଳଙ୍କ ସହିତ ବିଚାରବିମର୍ଶ ଚାଲିଛି। ଖୁବ ଶୀଘ୍ର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe