ନୟାଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ, ଟ୍ରେନ୍ ଅଟକ, ବସ୍ ଚଳାଚଳ ଠପ୍, ଦୋକାନବଜାର ବନ୍ଦ

ନୟାଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ, ଟ୍ରେନ୍ ଅଟକ, ବସ୍ ଚଳାଚଳ ଠପ୍, ଦୋକାନବଜାର ବନ୍ଦ

ନୟାଗଡ଼ : ଆଜି ନୟାଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ୨୦୧୪ ମସିହାରୁ ନୟାଗଡ଼ ପାଣିପୋଇଲାଠାରେ ବନ୍ଦ ହୋଇ ପଡ଼ିଥିବା ନୟାଗଡ଼ ଚିନିକଳକୁ କାର୍ଯ୍ୟକ୍ଷମ କରାଇବା, ଆଖୁ ଚାଷୀ , ଚିନିକଳର ଶ୍ରମିକ ଓ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ଦାବି ନେଇ ଏହି ବନ୍ଦ ପାଳନ କରାଯାଉଥିବା ଜଣାଯାଇଛି। ଚିନିକଳ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଏହି ବନ୍ଦ ପାଳନ ଜାରି ରହିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେଉଛି।
ଆଜି ସକାଳେ ସେବା ଏକ୍ସପ୍ରେସକୁ ଅଟକାଯାଇଥିଲା। ଜିଲ୍ଲାରେ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବାର ଖବର ମିଳିଛି। ଦୋକାନବଜାର ବି ବନ୍ଦ ରହିଛି। କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ବିଶ୍ବନାଥ ମହାପାତ୍ର, ମନୋଜ ସାହୁ, ସନ୍ତୋଷ ପ୍ରଧାନ, ଯୋଗେନ୍ଦ୍ର ଖୁଣ୍ଟିଆ, ଶିବରାମ ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଚିନିକଳ କ୍ରିୟାନୁଷ୍ଠାନ କମିଟି ଜରିଆରେ ଚାଷୀଙ୍କ ବ୍ୟାପକ ଆନ୍ଦୋଳନ, ନୟାଗଡ଼ରୁ ନବୀନ ନିବାସ ପଦଯାତ୍ରା ପରେ ମଧ୍ୟ ଚିନିକଳ ଚଳାଇବା ନେଇ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଏହି ପରିପ୍ରେକ୍ଷୀ‌ରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୟାଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।

publive-image image source-youtube

ଏଥିପୂର୍ବରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ବିଶ୍ବନାଥ ମହାପାତ୍ର, ମନୋଜ ସାହୁ, ସନ୍ତୋଷ ପ୍ରଧାନ, ଯୋଗେନ୍ଦ୍ର ଖୁଣ୍ଟିଆ, ଶିବରାମ ମହାପାତ୍ର ପ୍ରମୁଖ ଚାଷୀ ଏବଂ ବିଭିନ୍ନ ସଂଗଠନକୁ ନେଇ ଜନଜାଗରଣ ବୈଠକ କରିଥିଲେ। ଗତକାଲି ସନ୍ଧ୍ୟାରେ ମଧ୍ୟ ନୟାଗଡ଼ ବସ୍‌ଷ୍ଟାଣ୍ଡରେ ଜନଜାଗରଣ ବୈଠକ କରାଯାଇଥିଲା। ବନ୍ଦକୁ ବ୍ୟବସାୟୀ, ବିଭିନ୍ନ ଯାନବାହାନ ସଂଘ, ସାଧାରଣ ଲୋକ ସମର୍ଥନ କରୁଥିବା କ୍ରିୟାନୁଷ୍ଠାନ କମିଟି କହିଛି। ତେବେ ବନ୍ଦ ସମୟରେ କୌଣସି ଜରୁରୀ ସେବାକୁ ବାଧା ଦିଆଯାଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe