New Indian Express
ନୟାଗଡ଼ : ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୨୮ ତାରିଖରେ ନୟାଗଡ଼ ସମବାୟ ଚିନିକଳର ସ୍ଥାବର, ଅସ୍ଥାବର ସମ୍ପତ୍ତି ତାଲିକା ପ୍ରସ୍ତୁତ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମ୍ପତ୍ତି ଆକଳନ କରାଯାଇଥିବା ବେଳେ, ସମ୍ପତ୍ତି ତାଲିକା ନେଇ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ, ଚିନିକଳ ଏମ୍ଡି ସବୀର ପଣ୍ଡା ଆଜି ସତ୍ୟପାଠ ଦାଖଲ କରିଛନ୍ତି।
ଚିନିକଳରୁ ବାରମ୍ବାର ଚୋରି ନେଇ ନୟାଗଡ଼ ସୁଗାର୍ କମ୍ପ୍ଲେକ୍ସ ଲିମିଟେଡ୍ ଅଧ୍ୟକ୍ଷ ତ୍ରୈଲୋକ୍ୟ ମିଶ୍ର ଅଭିଯୋଗ କରିଥିଲେ। ଏହା ସତ୍ତ୍ବେ ମଧ୍ୟ ଜିଲ୍ଲା ପ୍ରଶାସନ ଚିନିକଳରେ ସୁରକ୍ଷା କର୍ମୀ ମୁତୟନ କରିନଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଜିଲ୍ଲାପାଳ ଏ ନେଇ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ରହିଛି। ଏପରିକି ନୟାଗଡ଼ ଚିନିକଳରୁ ବହୁ ମୂଲ୍ୟ ଯନ୍ତ୍ରାଂଶ ଚୋରି ହେଉଥିବା ବେଳେ ଚିନିକଳ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଚୋର ଧରିଥିଲେ। ଏହା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ପାଲଟିଥିଲା। ଅଚଳ ହୋଇପଡ଼ିଥିବା ନୟାଗଡ଼ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରାଇବା, ଚୋରି ରୋକିବା ନିମନ୍ତେ ଗତବର୍ଷ ଚିନିକଳ କ୍ରିୟାନୁଷ୍ଠାନ କମିଟି ତୀବ୍ର ପ୍ରତିବାଦ କରିଥିଲା। ଏଭଳି ପ୍ରତିବାଦକୁ ପ୍ରତିହତ କରିବାକୁ ଜିଲ୍ଲା ପ୍ରଶାସନ ୨୦୨୦ ମାର୍ଚ୍ଚ ୧୨ରେ ଚିନିକଳର ସମ୍ପତ୍ତି ଆକଳନ କରିଥିଲା। ଏଥରର ଆକଳନକୁ ମିଶାଇ ଚିନିକଳ ବନ୍ଦ ପରେ ୨ ଥର ସମ୍ପତ୍ତି ଆକଳନ ହୋଇଛି। ଏପରି ସ୍ଥଳେ ଗତବର୍ଷ କରାଯାଇଥିବା ସମ୍ପତ୍ତି ତାଲିକା ଓ ଏ ବର୍ଷର ସମ୍ପତ୍ତି ତାଲିକା ମଧ୍ୟରେ ଅନେକ ଫରକ ରହିଥିବା ନୟାଗଡ଼ ସୁଗାର୍ କମ୍ପ୍ଲେକ୍ସ ଲିମିଟେଡ୍ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ରାଜୀବ ରଥ କହିଛନ୍ତି। ଗତବର୍ଷ ଓ ଏ ବର୍ଷର ସମ୍ପତ୍ତି ତାଲିକାକୁ ହିସାବ କରି, ଚିନିକଳରୁ କେତେ ପରିମାଣର ଯନ୍ତ୍ରାଂଶ ଚୋରି ହୋଇଛି ସେ ନେଇ ଦୁଇ ସପ୍ତାହ ମଧ୍ୟରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବୁ ବୋଲି ଶ୍ରୀ ରଥ କହିଛନ୍ତି।
Follow Us