ପଦ୍ମପୁର ନିର୍ବାଚନରେ ମାତିଲେ ନୟାଗଡ଼ର ଶିକ୍ଷକ

ଅସୁସ୍ଥ ଥିବା ମିଛ ଛୁଟି ଦରଖାସ୍ତ ଦେଇ ରାଜନୀତି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

ପଦ୍ମପୁର ନିର୍ବାଚନରେ ମାତିଲେ ନୟାଗଡ଼ର ଶିକ୍ଷକ

ନୟାଗଡ଼ : ପଦ୍ମପୁର ବିଧାନସଭା ଆସନ ଉପନିର୍ବାଚନ ନେଇ ରାଜ୍ୟ ଉଠୁଛି ପଡ଼ୁଛି। ବି‌ଜେଡି-ବିଜେପିର ନେତାମାନେ ନିଜ ଦଳକୁ ଜିତାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଦଳୀୟ ‌ପ୍ରେମ ଦେଖାଇ ନୟାଗଡ଼ର ଜଣେ ଶିକ୍ଷକ ଉତ୍ସାହିତ ହୋଇ ପଦ୍ମପୁର ନିର୍ବାଚନରେ ମାତିଥିବା ଦେଖାଯାଇଛି। ଦଳର ଜ‌ଣେ ଦୃଢ଼ ସମର୍ଥକ ବୋଲି ନିଜର ରାଜନୈତିକ ସଂପୃକ୍ତି, ନିଷ୍ଠାକୁ ପ୍ରମାଣିତ କରିବାକୁ ଶିକ୍ଷକ ଜଣକ ଆଗକୁ ବଢ଼ିଛନ୍ତି।

ଉକ୍ତ ଶିକ୍ଷକଙ୍କ ନାମ ଭବାନୀ ଶଙ୍କର ନାୟକ, ସେ କପିଳେଶ୍ବର ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ହୋଇଥିବା ବେଳେ, ପ୍ରାୟ ଏକ ମାସ ହେବ ଡେପୁଟେସନରେ ନବଘନପୁର ହାଇସ୍କୁଲରେ ଯୋଗ ଦେଇଥିବା ଜଣାପଡ଼ିଛି। ପଦ୍ମପୁରର ପାଇକମାଳ ଅଞ୍ଚଳରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସମେତ ବିଜୁ ଜନତା ଦଳ ନୟାଗଡ଼ର ଅନେକ ଛାମୁଆ ନେତା ବସି ରଣନୀତି ପ୍ରସ୍ତୁତ କରୁଥିବା ଉକ୍ତ ଫଟୋରେ ‌ଦେଖାଯାଇଛି। ସେମାନଙ୍କ ସହିତ ଶିକ୍ଷକ ଶ୍ରୀ ନାୟକ ବେଶ୍‌ ହସହସ ମୁହଁରେ ଉପସ୍ଥିତ ଥିବା ଦେଖାଯାଇଛି। ଜଣେ ସରକାରୀ କର୍ମଚାରୀ ପୁଣି ଶିକ୍ଷକ ହୋଇ ଖୋଲାଖୋଲି ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେବା, ମିଛ କହି ସ୍କୁଲରୁ ଛୁଟି ନେବାକୁ ସବୁ ମହଲରେ ନାପସନ୍ଦ କରାଯାଇଛି। ପିଲାଙ୍କୁ ପାଠ ପଢ଼ାଇବାକୁ ସରକାର ମାସକୁ ମାସ ଶିକ୍ଷକଙ୍କୁ ହଜାର ହଜାର ଟଙ୍କା ଦରମା ଦେଉଥିବା ବେ‌ଳେ, ଭବାନୀଶଙ୍କର ଭଳି ଶିକ୍ଷକ ରାଜନୀତିରେ ବ୍ୟସ୍ତ ରହୁଛନ୍ତି।

ଭାଇରାଲ୍‌ ହେଉଥିବା ଫଟୋଟି ଗତ ୧ ତାରିଖର, ସେଦିନ ଶିକ୍ଷକ ଶ୍ରୀ ନାୟକ ପଦ୍ମପୁରରର ପାଇକମାଳା ଯାଇଥିବ‌ା ଜଣାପଡ଼ିଛି। ସଂପୃକ୍ତ ଦିନ ଶ୍ରୀ ନାୟକ ଅସୁସ୍ଥ ଥିବା ଦର୍ଶାଇ ସ୍କୁଲରୁ ଛୁଟି ନେଇଥିଲେ ବୋଲି ନବଘନରପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାୟକ କହିଛନ୍ତି। ଏ ବାବଦରେ ଶିକ୍ଷକ ଭବାନୀ ଶଙ୍କର ନାୟକଙ୍କୁ ପଚାରିବାରୁ, ସେ ପରୋକ୍ଷରେ ସତ ମାନି ଯାଇଥିଲେ। ‘‘ନ୍ୟୁଜ୍‌ କରନ୍ତୁନି, ଯଦି କରିବେ ଯେମିତି ମୋର କିଛି କ୍ଷତି ନ ହେବ ଟିକେ ଦେଖିବେ, ଅନୁରୋଧ ଏତିକି’’ ବୋଲି ଆଳ ଦେଖାଇଥିଲେ। ‘‘କେଉଁ ଫଟୋ ଭାଇରାଲ ହେଉଛି ମୁଁ ଦେଖିନି’’ ବୋଲି ପୁଣି ବାହାନା କରିଥିଲେ। ଫଟୋ ଦେଖାଇବା ପରେ ନାନା ଗପ ଶୁଣାଇଥିଲେ। ତେବେ ଫଟୋରେ ଥିବା ଜନୈକ ନେତା ଏହା ପଦ୍ମପୁର ପାଇକମାଳର ଫଟୋ; ସଂପୃକ୍ତ ଦିନ ଶିକ୍ଷକ ଭବାନୀ ଶଙ୍କର ନାୟକ ଆମ ସହିତ ଉପସ୍ଥିତ ଥିଲେ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ୧ ତାରିଖ ଦିନ ଶିକ୍ଷକ ଜଣକ କେଉଁ ଅଞ୍ଚଳରେ ଥିଲେ ତାଙ୍କ ମୋବାଇଲ ଲୋକେସନ୍‌ ଯାଞ୍ଚ ହେଲେ ସମସ୍ତ କଥା ପ୍ରମାଣିତ ହୋଇଯିବ। ଏନେଇ ତୁରନ୍ତ ତଦନ୍ତ କରି ନିର୍ବାଚନ କମିସନ୍‌ କାର୍ଯ୍ୟାନୁଷ୍ଠାନ ନେବାକୁ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe