ନୟାଗଡ଼ ଜଳସମ୍ପଦ କାର୍ଯ୍ୟାଳୟ: ୧୦ ବର୍ଷ ପ‌ରେ ବି ପାଣି ପଞ୍ଚାୟତ ନିର୍ବାଚନ ହେଉନି

ନୟାଗଡ଼ ଜଳସମ୍ପଦ କାର୍ଯ୍ୟାଳୟ: ୧୦ ବର୍ଷ ପ‌ରେ ବି ପାଣି ପଞ୍ଚାୟତ ନିର୍ବାଚନ ହେଉନି

ନୟାଗଡ଼: ବର୍ଷେ କି ଦୁଇ ବର୍ଷ ନୁହେଁ, ୧୦ ବର୍ଷରୁ ଅଧିକ ସମୟ ହେବ ଡାହୁକା ଜଳସେଚନ ପ୍ରକଳ୍ପ ଅଧୀନରେ ଥିବା ପାଣି ପଞ୍ଚାୟତଗୁଡ଼ିକରେ ନିର୍ବାଚନ ହୋଇନାହିଁ। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମନମାନୀରେ ଏଠାରେ ବିଭିନ୍ନ କାର୍ଯ୍ୟ କରାଯାଉଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବତନ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ କହିଛନ୍ତି, ଡାହୁକା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ବିଭାଗ ମନମାନୀ ଚଳାଇଛି। ଏଠାରେ ଠିକାଦାର ସର୍ବେସର୍ବା ସାଜିଥିବା ବେଳେ ଚାଷୀଙ୍କ ସ୍ବାର୍ଥକୁ ଫୁ କରିଦିଆଯାଇଛି। ଏହି ଅଞ୍ଚଳରେ ଜଳସେଚନ ପାଇଁ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପ କାମରେ ଲାଗୁନଥିବା ଦେଖାଯାଇଛି। ନୟାଗଡ଼ ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟା‌ଳୟ ନିଦାବିଷ୍ଣୁ ପାଲଟିଛି।

ଏହି ପ୍ରକଳ୍ପ ଅଞ୍ଚଳରେ ଥିବା ୬ଟି ପାଣି ପଞ୍ଚାୟତର କାର୍ଯ୍ୟକାଳ ୨୦୧୩ରୁ ଶେଷ ହୋଇଛି। କିନ୍ତୁ ଏଠାରେ ହୋଇଥିବା ବ୍ୟାପକ ଅନିୟମିତତା ପାଇଁ ପାଣି ପଞ୍ଚାୟତଗୁଡ଼ିକରେ ନିର୍ବାଚନ ହେଉନଥିବା ଚର୍ଚ୍ଚା ହେଉଛି। ଡାହୁକା ପ୍ରକଳ୍ପ ଅଧୀନରେ ନୂତନ କର୍ମକର୍ତ୍ତା ଦାୟିତ୍ବ ନେଲେ ପୁରାତନ କର୍ମକର୍ତ୍ତାଙ୍କ ମୁଖା ଖୋଲିଯିବାର ଭୟ ରହିଛି। ନିର୍ବାଚନ ନକରି ଅଧୀକ୍ଷଣ ଯନ୍ତ୍ରୀମାନେ ଅନେକ ସମୟରେ ନାନା ଆଳ ଦେଖାଉଛନ୍ତି। କମାଣ୍ଡ ଏରିଆ ଡେଭ‌ଲପ୍‌ମେଣ୍ଟ୍‌ ଅଥରିଟି (କାଡା) ଜରିଆରେ ମନ ଇଚ୍ଛା କାର୍ଯ୍ୟ କରାଯାଉଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। କାଡା ଜରିଆରେ ନିର୍ମାଣ କରାଯାଇଥିବା କେନାଲ ଚାଷୀଙ୍କର କୌଣସି କାମ‌ରେ ଆସୁନାହିଁ। ଏହା କେବଳ ଠିକାଦାରଙ୍କୁ ପୋଷିବାକୁ ନିର୍ମାଣ ହୋ‌ଇଥିବା ଚାଷୀ କହିଛନ୍ତି।

ସୂଚନାଯୋଗ୍ୟ, ବାରମ୍ବାର ନିର୍ବାଚନ ନେଇ ଦାବି ହେବା ପରେ ପାଣି ପଞ୍ଚାୟତ ଭୋଟର୍‌ ତାଲିକା ସଂଶୋଧନ ପାଇଁ ୨୦୧୭ ଅକ୍ଟୋବର ୧୦ ତାରିଖରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପରିକି ନିର୍ବାଚନ ହେବା ନେଇ ପ୍ରଚାର ଗାଡ଼ି ମାଧ୍ୟମରେ ଅବଗତ କରାଯାଇଥିଲା। କିଛି ଅଭିଯୋଗ ଥିଲେ ୧୫ ଦିନ ମଧ୍ୟ‌ରେ ଜଣାଇବାକୁ ଚାଷୀମାନଙ୍କୁ କୁହାଯାଇଥିଲା। କିନ୍ତୁ କୌଣସି କାରଣ ପାଇଁ ଏହାକୁ ଅଟକାଇ ଦିଆଗଲା। ଇତି ମଧ୍ୟରେ ଭୋଟର୍‌ ତାଲିକା ପ୍ରସ୍ତୁତି ବିଜ୍ଞପ୍ତିକୁ ୬ ବର୍ଷ ବିତିଲାଣି, ମାତ୍ର ନିର୍ବାଚନ ହୋଇନାହିଁ। ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରାଣବନ୍ଧୁ ବେହେରାଙ୍କୁ ପଚାରିବାରୁ ସେ ନିର୍ବାଚନ ବିଳମ୍ବର କାରଣ ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇପାରିନାହାନ୍ତି। ଏହି ପ୍ରକଳ୍ପ ଅଧୀନ ଭୋଟର୍‌ ବା ହିତାଧିକାରୀ ତାଲିକା ଅନୁମୋଦନ ନିମ‌ନ୍ତେ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା, ଅନୁମୋଦନ ପରେ ଆଜି ତାଲିକା ହସ୍ତଗତ ହୋଇଥିବା ସେ ସୂଚନା ଦେଇଛନ୍ତି। ତେବେ ନିର୍ବାଚନ କେବେ କରାଯିବ ପଚାରିବାରୁ ଏହା ପରେ ବିଭିନ୍ନ ନିୟମ ରହିଛି, ସେ ସବୁ କରାଯିବା ପରେ ନିର୍ବାଚନ ହେବ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe