ଏନ୍‌ସିଇଆର୍‌ଟି ବହିରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ : କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କଲେ ରାଜ୍ୟ ଶକ୍ତିମନ୍ତ୍ରୀ

Advertisment
ଏନ୍‌ସିଇଆର୍‌ଟି ବହିରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ : କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କଲେ ରାଜ୍ୟ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର : ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ଦ୍ୱାରା ପଞ୍ଚମ ଶ୍ରେଣୀ ନିମନ୍ତେ ପ୍ରସ୍ତୁତ ପରିବେଶୀୟ ପାଠ୍ୟ(ଇଭିଏସ୍‌) ପୁସ୍ତକରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ବର୍ଣ୍ଣନା ଦେବାକୁ ଯାଇ ଜିଲ୍ଲାକୁ ଦାରିଦ୍ର୍ୟ ଓ ଅନାହାରର ଭୂଖଣ୍ଡ ରୂପେ ଚିତ୍ରଣ କରାଯାଇଛି। ଏହା ବୁଦ୍ଧିଜୀବୀଙ୍କ ନଜରକୁ ଆସିବା ପରେ ସମଗ୍ର ଜିଲ୍ଲାରେ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି। ତାହାକୁ ଦୃଷ୍ଟିରେ ରଖି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‌ ‘ନିଶଙ୍କ’ଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି।

ଆଲୋଚନା ସମୟରେ କଳାହାଣ୍ଡିର ପ୍ରକୃତ ଚିତ୍ର ଉପସ୍ଥାପନା ହୋଇ ନପାରିବା ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିବା ସହ ଏହାଦ୍ୱାରା ଗୋଟିଏ ଅଞ୍ଚଳର ଲୋକଙ୍କ ସ୍ୱାଭିମାନ ପ୍ରତି ବିରାଟ ଉପହାସ। ଏହାକୁ ତୁରନ୍ତ ବଜାରରୁ ପ୍ରତ୍ୟାହାର କରି ଆବଶ୍ୟକ ସଂଶୋଧନ ଦିଗରେ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ବର୍ତ୍ତମାନ ସମୟରେ କଳାହାଣ୍ଡି ରାଜ୍ୟର ଦ୍ୱିତୀୟ ବୃହତ୍ତମ ଧାନ ଉତ୍ପାଦନକାରୀ ଜିଲ୍ଲା। ପ୍ରତିବର୍ଷ ୧ହଜାର କୋଟି ଟଙ୍କାର ଧାନ ବିକ୍ରି କରି ଜିଲ୍ଲାର ଚାଷୀ ରେକର୍ଡ ସୃଷ୍ଟି କରିଛନ୍ତି। କପା ଉତ୍ପାଦନରେ କଳାହାଣ୍ଡି ରାଜ୍ୟର ପ୍ରଥମ ଜିଲ୍ଲା। ଜିଲ୍ଲାରେ ବୃହତ୍‌ ଜଳବିଦ୍ୟୁତ୍‌ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିସହ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଲ୍ଲା ଉନ୍ନତି ସାଧନ କରିଥିବା ବେଳେ କୋମଳମତି ଶିଶୁଙ୍କ ନିମନ୍ତେ ଉଦ୍ଦିଷ୍ଟ ପୁସ୍ତକରେ ଏଭଳି ତଥ୍ୟ ଉପସ୍ଥାପନା ଦାୟିତ୍ୱହୀନତାର ପରିଚୟ। ମନ୍ତ୍ରଣାଳୟ ତରଫରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପୋଖରିଆଲ୍‌ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ମନ୍ତ୍ରୀ ଶ୍ରୀ ମିଶ୍ର ଏନ୍‌ସିଇଆର୍‌ଟିର ନିର୍ଦ୍ଦେଶକ ହୃଷୀକେଶ ସେନାପତିଙ୍କ ସହ ମଧ୍ୟ ଏ ସମ୍ପର୍କରେ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe