ବୌଦ୍ଧ/ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଆଡ଼େଣିଗଡ଼ ନିକଟ କଖାରୁଫାଳଠାରେ ନିର୍ମାଣାଧୀନ ୪ନମ୍ବର ଟନେଲ୍ରେ ମଙ୍ଗଳବାର ପୁଣି ଅନ୍ୟ ଏକ ସ୍ଥାନରେ ମାଟି ଧସି ଆଉ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସୋମବାର ଯେଉଁ ସ୍ଥାନରେ ଟନେଲ୍ ଭୁଶୁଡ଼ି ପଡ଼ିଥିଲା, ଆଜି ସନ୍ଧ୍ୟାରେ ସେହି ସ୍ଥାନରୁ ପ୍ରାୟ ୧୦୦ ମିଟର୍ ଦୂରରେ ମାଟି ଧସିଛି। ଫଳରେ ଟନେଲ୍ କାମର ମାନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲଗାତାର ସୁଡ଼ଙ୍ଗ ଧସିବା କାରଣରୁ ଏହି ପ୍ରକଳ୍ପ କାର୍ଯ୍ୟ ମନ୍ଥର ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସୂଚନା ମୁତାବକ, ପ୍ରାୟ ମାସେ ତଳେ ରାଜ୍ୟର ଏହି ସର୍ବବୃହତ୍ ରେଳ ଟନେଲ୍ (ପ୍ରାୟ ୪କିମି)ର ଦୁଇ ପାର୍ଶ୍ବରେ ବାଟ ଫିଟିଥିଲା। ଏହାପରେ ଉଭୟ ପାର୍ଶ୍ବରୁ ଟନେଲ୍ର ଭିତର ପାର୍ଶ୍ବର ସୁଦୃଢ଼ୀକରଣ କାମ ଜାରି ରହିଛି।
ସୂଚନା ମୁତାବକ, ଗତକାଲିର ଦିନ ପ୍ରାୟ ୧୦ଟାରେ ମାଟି ଧସିଥିଲା। ଯେଉଁ ସ୍ଥାନରେ ମାଟି ଧସିଥିଲା, ତାହା ଆଡ଼େଣିଗଡ଼ ପାର୍ଶ୍ବ ପ୍ରବେଶପଥରୁ ପ୍ରାୟ ଦେଢ଼ କିମି ଦୂରତାରେ ଅବସ୍ଥିତ। ସେଠାରେ ଗତକାଲି ସକାଳେ ଏକ ଏକ୍ସକାଭେଟର୍ ନିୟୋଜିତ ଥିଲା। ଏହାର ଅପରେଟର୍ ଉତ୍ତରପ୍ରଦେଶର ମିରାଜ ଆଲମ୍ ଅଳ୍ପ କିଛି ସମୟ ପୂର୍ବରୁ ସେଠାରେ କିଛି ଅଘଟଣ ହେବାର ଆଭାସ ପାଇ ୫-୬ମିଟର ପଛକୁ ଘୁଞ୍ଚି ଆସିଥିଲେ। ଆଉ ସେତିକିବେଳେ ମାଟି ଧସି ସୁଡ଼ଙ୍ଗ ଭିତରେ ପଡ଼ିଥିଲା। ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ତୁରନ୍ତ ସୁଡ଼ଙ୍ଗ ବାହାରକୁ ଆସି ସେଠାରେ ନିୟୋଜିତ ଥିବା ସୁରକ୍ଷା ଅଧିକାରୀଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ତେବେ କୌଣସି ଧନଜୀବନ ନଷ୍ଟ ହୋଇନଥିଲା। ଆଜି ସେଠାରେ କାମ ବନ୍ଦ ରହିଥିଲା ବୋଲି ନିର୍ମାଣ ସଂସ୍ଥା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। କାମ ବନ୍ଦ ଥିବାରୁ ଆଜିର ଅତଡ଼ା ଧସିବାବେଳେ ବି କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।
Follow Us