The Hindu
କଟକ : ରାଜ୍ୟରେ ଚାଲିଥିବା ଘରୋଇ ଆବାସିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ଗୁଡିକ ପରିଚାଳନା କ୍ଷେତ୍ରରେ ନ୍ୟାସନାଲ କମିସନ ଫର ପ୍ରୋଟେକସନ ଅଫ ଚାଇଲ୍ଡ ରାଇଟ୍ସ(ଏନସିପିସିଆର) ପକ୍ଷରୁ ଜାରି ନିୟମାବଳୀ ପାଳନ ପ୍ରସଂଗକୁ ନେଇ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ଘୁଞ୍ଚିଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୩ ତାରିଖକୁ ଧାର୍ଯ୍ୟ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ସମଗ୍ର ରାଜ୍ୟରେ ଶିଶୁଙ୍କୁ ଶିକ୍ଷାଦାନ ଓ ସୁରକ୍ଷା ନିମନ୍ତେ ବିଭିନ୍ନ ବେସରକାରୀ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି। ଏଭଳି ଅନୁଷ୍ଠାନର ପଞ୍ଜୀକରଣ ପ୍ରସଂଗରେ କିଛି ସ୍ପଷ୍ଟ ନିୟମ ନଥିବାବେଳେ ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁସାରେ ଏହା ପରିଚାଳିତ ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ହଷ୍ଟେଲ ବା ଆବାସିକ ସ୍କୁଲ ଗୁଡିକ ଉପରେ ସିଡବ୍ଲ୍ୟୁସି ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ଅଭିଯୋଗ ନେଇ ଚଢଉ କରାଯାଉଛି। ଏଭଳି ସ୍ଥିତିରେ କେତେକ ଅନୁଷ୍ଠାନ ବନ୍ଦ ହୋଇଯାଉଛି। ଫଳରେ ଏହି ସବୁ ଅନୁଷ୍ଠାନରେ ରହି ପାଠ ପଢୁଥିବା ଶିଶୁଙ୍କ ଶିକ୍ଷା ଗ୍ରହଣ ପ୍ରଭାବିତ ହେଉଛି। ଏହି ପ୍ରସଂଗ ନେଇ ଏନସିପିସିଆର ପକ୍ଷରୁ ଜାରି ନିୟମାବଳୀ ପାଳନ କରାଗଲେ ଶିଶୁଙ୍କ ଶିକ୍ଷା ଗ୍ରହଣ ପ୍ରଭାବିତ ହୁଅନ୍ତା ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ନିୟମାବଳୀ କାର୍ଯ୍ୟକାରୀ କରିବା ପାଇଁ ଆଇନସେବା ସଂସ୍ଥା କ୍ଲାପର ଅଧ୍ୟକ୍ଷ ଡକ୍ଟର ବିକାଶ ଦାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
Follow Us