ଏନ୍‌ସିଆରବି ରିପୋର୍ଟ ୨୦୨୦: ଚିକିତ୍ସା ଅବହେଳା‌ ନେଇ ପୁଳାପୁଳା ଅଭିଯୋଗ, ରେକର୍ଡରେ ଶୂନ

Advertisment
ଏନ୍‌ସିଆରବି ରିପୋର୍ଟ ୨୦୨୦: ଚିକିତ୍ସା ଅବହେଳା‌ ନେଇ ପୁଳାପୁଳା ଅଭିଯୋଗ, ରେକର୍ଡରେ ଶୂନ

TCTMD

ଭୁବନେଶ୍ବର: ରାଜ୍ୟରେ ମେଡିକାଲଗୁଡ଼ିକରେ ଚିକିତ୍ସାରେ ଅବହେଳା ନେଇ ପୁଳାପୁଳା ଅଭିଯୋଗ ହେଉଛି। ସରକାରୀ ହେଉ ବା ବେସରକାରୀ, ବିଭିନ୍ନ ସମୟରେ ଚିକିତ୍ସା ଅବହେଳା କାରଣରୁ ରୋଗୀଙ୍କ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଓ ପରେ ଉତ୍ତେଜନା ଦେଖିବାକୁ ମିଳୁଛି। ୨୦୨୦ କରୋନା ବର୍ଷରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ମାତ୍ର ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋରେ ୨୦୨୦ରେ ଗୋଟିଏ ହେଲେ ଅଭିଯୋଗ ନାହିଁ।

ଗତବର୍ଷ ଦେଶବ୍ୟାପୀ ମେଡିକାଲରେ ଚିକିତ୍ସା ଅବହେଳା ନେଇ ୧୨୯ଟି ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୨୯ଟି ଅଭିଯୋଗ ହୋଇଥିବା ବେଳେ ରାଜସ୍ଥାନରେ ୨୩, ତ‌େଲେଙ୍ଗାନା ୧୬, ମଧ୍ୟପ୍ରଦେଶ ୧୧, ଝାରଖଣ୍ଡ ୧୦, ଆସାମ ୯, ହରିୟାନା ୭, କେରଳ ୫ ଓ ଅନ୍ୟ ରାଜ୍ୟରେ ଅଭିଯୋଗ ହୋଇଛି। ମାତ୍ର ଓଡ଼ିଶାରେ ଗୋଟିଏ ହେଲେ ଅଭିଯୋଗ ପଞ୍ଜୀକୃତ ହୋଇନାହିଁ। ମେଡିକାଲରେ ଚିକିତ୍ସାରେ ଅବହେଳା ନେଇ ରାଜ୍ୟବ୍ୟାପୀ ଅଭିଯୋଗ ହେଉଥିଲେ ହେଁ ଏହି ଘଟଣାଗୁଡ଼ିକ ଅଦୃଶ୍ୟ ଚାପରେ ଦବି ଯାଉଛି। ଏ ନେଇ ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି, ଚିକିତ୍ସା ଅବହେଳା ନେଇ ଅନେକ କ୍ଷେତ୍ରରେ ମଧ୍ୟ ରୋଗୀଙ୍କ ସଂପର୍କୀୟମାନେ ଲିଖିତ ଭାବେ ପୁଲିସ କିମ୍ବା ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରୁ ନାହାନ୍ତି।

ଅଭିଯୋଗ ମଧ୍ୟ ବିଭିନ୍ନସ୍ତରରେ ହେଉଛି। ଓଏଚ୍‌ଆରସି, ଏନ୍‌ଏଚ୍‌ଆରସି, ସ୍ଥାନୀୟ ଡାକ୍ତରଖାନାରେ ‌ଅଭିଯୋଗ କରାଯାଉଛି। ହେଲେ ଅଭିଯୋଗରେ ଯଦି ସତ୍ୟତା ଥାଏ, ତାହାଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନେକ ଅଭିଯୋଗରେ ମଧ୍ୟ ସତ୍ୟତା ନାହିଁ। ତେବେ କୌଣସି ହସ୍ପିଟାଲ କର୍ମଚାରୀ ଜାଣିଶୁଣି ରୋଗୀଙ୍କ କ୍ଷତି କରିବାକୁ ଚାହିଁ ନଥା’ନ୍ତି। ସରକାରୀ ଡାକ୍ତରଖାନା ଅପେକ୍ଷା ଘରୋଇ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ ଅଧିକ। ଦୀର୍ଘଦିନ ଧରି ଚିକିତ୍ସା କରାଯିବା କାରଣରୁ ଅଧିକ ବିଲ୍‌ ହେବାର ଆଶଙ୍କା ଥାଏ। ତେଣୁ ସେଠାରେ ଚିକିତ୍ସା ଅବହେଳା ଅଭିଯୋଗ ଆସିଥାଏ। ମାତ୍ର ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଚାପ ଅଧିକ। ଯଦି ଡାକ୍ତର କିମ୍ବା କର୍ମଚାରୀ ଅନ୍ୟ ରୋଗୀଙ୍କୁ ଦେଖି ଆସିବାରେ ସାମାନ୍ୟ ବିଳମ୍ବ ହୋଇଯାଏ, ତାହାଲେ ସଂପର୍କୀୟମାନେ ଅଭିଯୋଗ ଆଣିବାକୁ ପଛାଉ ନାହାନ୍ତି ବୋଲି ଡା. ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe