‘ଓମିକ୍ରନ୍‌’ରେ ଆତଙ୍କିତ ନହୋଇ ସତର୍କ ରହିବା ଜରୁରୀ: ଡ଼ା. ପୂର୍ଣ୍ଣଚନ୍ଦ୍ର ପଣ୍ଡା

‘ଓମିକ୍ରନ୍‌’ରେ ଆତଙ୍କିତ ନହୋଇ ସତର୍କ ରହିବା ଜରୁରୀ: ଡ଼ା. ପୂର୍ଣ୍ଣଚନ୍ଦ୍ର ପଣ୍ଡା

ଭବାନୀପାଟଣା: ସମଗ୍ର ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ପାଇଁ ଚିନ୍ତା ଦେଖାଯାଇଥିବା ବେଳେ କିଛିଦିନ ହେବ ଓଡ଼ିଶା ସମେତ ଆମ ଦେଶରେ ମଧ୍ୟ କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଥି ନେଇ ବିଶେଷଜ୍ଞମାନେ ବିଭିନ୍ନ ଗଣମାଧ୍ୟମରେ ସତର୍କ କରାଉଛନ୍ତି। ପରିସ୍ଥିତି ସ୍ୱାଭାବିକ ହେବା ପରେ ବଜାର ତଥା ବିଭିନ୍ନ ସ୍ଥାନରେ ଜନଗହଳି ଓ ଭିଡ ଦେଖିବାକୁ ମିଳୁଛି। କୋଭିଡ-୧୯ ନିୟମକୁ ଯଦି ଲୋକମାନେ ସଠିକ୍‌ ଭାବେ ପାଳନ ନ କରନ୍ତି, ତେବେ ତୃତୀୟ ଲହରକୁ ସାମ୍ନା କରିବାକୁ ପଡ଼ିପାରେ ବୋଲି ଉକୃଷ୍ଟ ସେବା ଯୋଗାଇ ସମଗ୍ର ଓଡ଼ିଶା ତଥା ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିବା କୋଭିଡ ଯୋଦ୍ଧା ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡା।

ଟିକା ନେଇଥିଲେ ହାଲୁକା ଲକ୍ଷଣ

ଡ଼ା. ପଣ୍ଡା କହିଛନ୍ତି ଯେ, ଓମିକ୍ରନ୍‌ କେତେ ଘାତକ, ତାହା ସ୍ପଷ୍ଟ ହୋଇ ନଥିଲେ ବି ଏହାର ଲକ୍ଷଣ ଗୁଡ଼ିକ ହେଲା ସର୍ବପ୍ରଥମେ ଥକ୍କା ବା ହାଲିଆ ଲାଗିବା, ଶରୀରରେ ଘୋଳାବିନ୍ଧା, ଯନ୍ତ୍ରଣା ହେବା, ଗଳା ବସିଯିବା ଓ ମୁଣ୍ଡ ବ୍ୟଥା ଦେଖାଯିବ। ଏହା ବ୍ୟତୀତ କିଛି ରୋଗୀଙ୍କ ଠାରେ ରାତିରେ ହଠାତ୍‌ ଝାଳ ବୋହି କ୍ଲାନ୍ତ ଲାଗିବା ଭଳି ଲକ୍ଷଣ ଦେଖାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ, ଓମିକ୍ରନ୍‌ ଉପରେ କରୋନା ଟିକା କେତେ ମାତ୍ରାରେ ପ୍ରଭାବଶାଳୀ ରହିବ। ଏଥି ନେଇ ଗବେଷଣା ଜାରି ରହିଛି। ଯେଉଁମାନେ ଟିକା ନେଇଛନ୍ତି, ସେମାନଙ୍କ ନିକଟରେ ଓମିକ୍ରନ୍‌ ସଂକ୍ରମଣର ହାଲୁକା ଲକ୍ଷଣ ଦେଖାଯାଉଛି।

ଟିକାକରଣକୁ ଗୁରୁତ୍ୱ

ଆମ ଦେଶରେ ଦୁଇଟି କୋଭିଡ ଲହର ଦେଖାଯାଇଛି। ଭାରତୀୟ ଜନତା ଏହାକୁ ମୁକାବିଲା କରିଛନ୍ତି। ତେଣୁ ଏଥି ନେଇ ଅଧିକ ଆତଙ୍କିତ ନ ହୋଇ ଶତପ୍ରତିଶତ ଟିକାକରଣକୁ ଗୁରୁତ୍ୱ ଦେବା, ସରକାରଙ୍କ ଦ୍ୱାରା ସ୍ଥିରିକୃତ କୋଭିଡ ନିୟମକୁ ଅନୁଶୀଳନ କରିବା, ସନ୍ତୁଳିତ ଖାଦ୍ୟପେୟ ଏବଂ ଯୋଗ-ବ୍ୟାୟାମକୁ ଗୁରୁତ୍ୱ ଦେବା ଉଚିତ୍‌। ଶରୀରରେ ରୋଗପ୍ରତିଷେଧକ ବଢ଼ାଇବା ପାଇଁ ଫଳ, ପନିପରିବା, ବାଦାମ, ଭଳି ଜିନିଷକୁ ଖାଦ୍ୟରେ ସାମିଲ କରିବା ବୋଲି ଡ଼ା. ପଣ୍ଡା ପରାମର୍ଶ ଦେଇଛନ୍ତି।

publive-image କୋଭିଡ୍‌-୧୯ର ୨ୟ ଲହର ସମୟରେ ସ୍କ୍ରିନିଂରେ ବ୍ୟସ୍ତ।

ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ

ଡ଼ା. ପଣ୍ଡା କହିଛନ୍ତି ଯେ, ଶରୀରରେ ପାଣିର ଅଭାବ ସିଧାସଳଖ ରୋଗପ୍ରତିଷେଧକ ଉପରେ ପଡୁଥିବାରୁ ପାଣିର ମାତ୍ରା କମ ହେବା ପାଇଁ ନଦେବା। ଚିନ୍ତା ଏବଂ ଅବସାଦରୁ ଦୂରେଇ ରହିବା ସହ ଭରପୁର ନିଦ୍ରାନେବା ଉଚିତ। ଶୀରରରେ ରୋଗପ୍ରତିଷେଧକ ଦୁର୍ବଳ କରୁଥିବାରୁ ଷ୍ଟ୍ରେସ୍‌ ଠାରୁ ଦୂରେଇ ରହିବା ସହ ନିୟମିତ ରୂପରେ ଭିଟାମିନ୍‌-ଡି’, କ୍ୟାଲସିୟମ ଏବଂ ଆଇରନ୍‌ର ସ୍ତର ଯାଞ୍ଚ କରି ଚିକିତ୍ସକଙ୍କର ପରାମର୍ଶ ନେବା। କରୋନାର ଲକ୍ଷଣ ଦେଖାଦେଲେ ଖାମଖିଆଲି ଭାବେ ନିଜେ ନିଜେ ଔଷଧ ନଖାଇ କୋଭିଡ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ନେବା। ସେହିପରି କରୋନା ଆକ୍ରାନ୍ତ ହୁଅନ୍ତୁ ଅଥବା ଅନ୍ୟ ଯେକୌଣସି ଗୁରୁତର ରୋଗୀ ମାନସିକ ସ୍ତରରେ ମଜବୁତ ହେବା ଦରକାର। ଚିକିତ୍ସାରେ ଅବହେଳା ନ କରି ମାନସିକ ସ୍ତରରେ ଶକ୍ତିଶାଳୀ ହେବା। କାରଣ ଜଣେ ରୋଗୀ ମାନସିକ ସ୍ତରରେ ଦୁର୍ବଳ ହୋଇଗଲେ ରୋଗର ପ୍ରଭାବ ବଢ଼ିଯାଇଥାଏ। ତେଣୁ ଯଥା ସମ୍ଭବ ଯୋଗ, ପ୍ରାଣାୟମ ଆଦି କରିବା ପାଇଁ ଡ଼ା. ପଣ୍ଡା ପରାମର୍ଶ ଦେଇଛନ୍ତି।

publive-image ଓଡ଼ିଶା କାରାଗାର ପ୍ରତିଷ୍ଠା ଦିବସ ଅବସରରେ ଭବାନୀପାଟଣାରେ ସମ୍ମାନିତ।

୧୦ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତଙ୍କ ସ୍କ୍ରିନିଂ

ସୂଚନାଯୋଗ୍ୟ, ଭବାନୀପାଟଣା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡ଼ା. ପୂର୍ଣ୍ଣଚନ୍ଦ୍ର ପଣ୍ଡା ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତଙ୍କ ସ୍କ୍ରିନିଂ ଏବଂ ଚିକିତ୍ସା କରି ସାରିଛନ୍ତି। କରୋନା କାଳରେ ସେ ଦିନରାତି ସମାନ କରିଦେଇଥିଲେ। ତାଙ୍କ ଆଖିରୁ ନିଦ ହଜି ଯାଇଥିଲା। ସେ କେବଳ କଳାହାଣ୍ଡିର ନୁହେଁ ବରଂ ପଡୋଶୀ ଜିଲ୍ଲା ଏବଂ ବାହାର ରାଜ୍ୟର ରୋଗୀ ଓ ହଜାର ହଜାର ପ୍ରବାସୀଙ୍କ ସ୍କ୍ରିଂନି କରିଛନ୍ତି। ସେହିପରି ରୋଗୀଙ୍କ ସାହସ ତଥା ଧୈର୍ଯ୍ୟ ବଢ଼ାଇବା ପାଇଁ ସୁପରାମର୍ଶ ଦେଇ ବିପୁଳ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଡ. ପଣ୍ଡାଙ୍କ ଠାରୁ ପରାମର୍ଶ ପାଇ ରୋଗୀ ମନୋବଳ ବଢ଼ାଇଥାନ୍ତି। ଆକର୍ଷଣୀୟ ଉଦବୋଧନ ଶୈଳୀ ଯୋଗୁଁ ତାଙ୍କୁ ଏପର୍ଯ୍ୟନ୍ତ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଶତାଧିକ ସଂସ୍ଥା ଏବଂ ଅନୁଷ୍ଠାନ ସମ୍ମାନିତ କରିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe