ନୀଳମଣି ସାମଲ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି

ନୀଳମଣି ସାମଲ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ନୀଳମଣି ସାମଲ। ଅଖିଳ ଭାରତ ସ୍ବାଧୀନତା ସଂଗ୍ରାମୀ ସମିତିର ଅନୁ ମୋଦନକ୍ରମେ ରାଜ୍ୟ ସମିତିର ସଭାପତି ଭାବେ ଶ୍ରୀ ସାମଲ ନିର୍ବାଚିତ ହୋଇଛନ୍ତି। ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ ପରେ ଏହି ପଦ ଖାଲି ପଡ଼ିଥିଲା। ତୃତୀୟଥର ରାଷ୍ଟ୍ରପତି ସମ୍ମାନ ପାଇଥିବା ୯୭ ବର୍ଷୀୟ ସଂଗ୍ରାମୀ ଶ୍ରୀ ସାମଲଙ୍କ ଘର ଯାଜପୁର ଜିଲ୍ଲା ବଡ଼ଚଣାର ବାଲିପଡ଼ିଆ ଗ୍ରାମରେ। ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ସେ କାରାବାରଣ କରିଥିଲେ। ବାଲିପଡ଼ିଆ ଠକ୍କରବାପା ଆଶ୍ରମ ସହ ଜଡ଼ିତ ରହି ସେବାରେ ନିୟୋଜିତ ଅଛନ୍ତି।

୧୯୨୩ ଫେବ୍ରୁଆରି ୨୩ ତାରିଖରେ ଜନ୍ମିତ ଶ୍ରୀ ସାମଲ ଯାଜପୁର ଜିଲ୍ଲା ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବେ କାର୍ଯ୍ୟ କରି ଆସୁଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରତିଭାଦେବୀ ସିଂ ପାଟିଲ୍‌ ଓ ପ୍ରଣବ ମୁଖାର୍ଜୀ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ସେ ସମ୍ମାନିତ ହୋଇସାରିଛନ୍ତି। କେନ୍ଦ୍ରପଡ଼ା ଜିଲ୍ଲା ସମିତି ପକ୍ଷରୁ ଶ୍ରୀ ସାମଲଙ୍କ ନାମ ପ୍ରସ୍ତାବିତ ହେବା ପରେ ରାଜ୍ୟ ସମିତି ସ୍ବୀକୃତି ଦେବା ସହ ସର୍ବଭାରତୀୟ ସମିତି ଅ‌ନୁମୋଦନ କରିଛି। ଡ. ହରେକୃଷ୍ଣ ମହତାବଙ୍କ ଦ୍ବାରା ପ୍ରତିଷ୍ଠିତ ଅଖିଳ ଭାରତ ସ୍ବାଧୀନତା ସଂଗ୍ରାମୀ ସମିତିର ରାଜ୍ୟ ସଭାପତି ଭାବରେ ପୂର୍ବରୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରହ୍ଲାଦ ରାୟ ଲାଠ୍‌, ଶ୍ରୀଧର ଦାଶ, ପୁରୁଷୋତ୍ତମ ନାୟକ ଓ ଭବାନୀଚରଣ ପଟ୍ଟନାୟକ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe