ଓଡ଼ିଶାରୁ ନିଟ୍ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କୁ ଉପେକ୍ଷା ଅଭିଯୋଗ, ହାଇକୋର୍ଟରେ ମାମଲା

Advertisment
ଓଡ଼ିଶାରୁ ନିଟ୍ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କୁ ଉପେକ୍ଷା ଅଭିଯୋଗ, ହାଇକୋର୍ଟରେ ମାମଲା

Odisha Sun Times

କଟକ : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଜାତୀୟ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍) ଫଳାଫଳକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଓଡ଼ିଶାରୁ ନିଟ୍ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କୁ ଉପେକ୍ଷା କରାଯାଇଛି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ନିଟ୍ ଭଳି ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷାରେ ଯଦି ଦୁଇ କିମ୍ବା ଅଧିକ ସିଟିଂ କରାଯାଏ ତେବେ ପରୀକ୍ଷାର୍ଥୀଙ୍କ ବ୍ୟକ୍ତିଗତ ପରସାଣ୍ଟାଇଲ୍ ସ୍କୋର୍ ଅଲଗା ବାହାର କରାଯାଇ ନର୍ମାଲାଇଜେସନ୍ କରାଯାଏ। ସ‌ାରା ଦେଶରେ ମେ’ ୫ରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ବାତ୍ୟା ‘ଫନି’ ଯୋଗୁ ଓଡ଼ିଶାରେ ପରୀକ୍ଷା ହୋଇ ପାରି ନଥିଲା। ମେ’ ୨୦ରେ ରାଜ୍ୟରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାରା ଦେଶରେ ୧୪ ଲକ୍ଷ ୧୦ ହଜାର ୭୫୫ ଜଣ ପରୀକ୍ଷା ଦେଇଥିବା ବେଳେ ଏଥି ମଧ୍ୟରେ ଓଡ଼ିଶାର ୩୨ ହଜାର ୩୭୮ ଜଣ ପ୍ରାର୍ଥୀ ଥିଲେ। ଏନଟିଏର ନିୟମାବଳୀ ମୁତାବକ ଦୁଇଟି ଅଲଗା ଅଲଗା ପରୀକ୍ଷାର ପରୀକ୍ଷାର୍ଥୀଙ୍କ ଅଲଗା ଅଲଗା ପରସେଣ୍ଟାଇଲ ବାହାର କରି ନର୍ମାଲାଇଜେସନ୍ କରାଯିବା କଥା। ଓଡ଼ିଶାର ପରୀକ୍ଷାର୍ଥୀଙ୍କ ପ‌େର୍ସଣ୍ଟାଇଲ ନିରୂପଣ କରାଯିବା ବେଳେ ପରିମାପକ ଭାବେ ମେ’ ୨୦ରେ ରାଜ୍ୟରେ ପରୀକ୍ଷା ଦେଇଥିବା ୩୨ ହଜାର ୩୭୮ ବିଦ୍ୟାର୍ଥୀଙ୍କୁ ଗ୍ରହଣ କରାଯିବା କଥା। କିନ୍ତୁ ଏପରି କରାଯାଇ ନଥିବା ଜଣା ପଡିଥିଲା। ନିଟ୍ ଫଳାଫଳ ବାହାରିବା ପରେ ଜଣା ପଡିଥିଲା ଯେ ଏନଟିଏ ଓଡ଼ିଶା ପରୀକ୍ଷାର୍ଥୀଙ୍କ ପରସେଣ୍ଟାଇଲ ନିରୂପଣ କରିବା ‌ବେଳେ ପରିମାପକ ଭାବେ ମେ’ ୫ ଓ ମେ’ ୨୦ରେ ପରୀକ୍ଷା ଦେଇଥିବା ମୋଟ ୧୪ ଲକ୍ଷ ୧୦ ହଜାର ୭୫୫ଜଣଙ୍କୁ ପରିମାପକ ଭାବେ ଗ୍ରହଣ କରିଛି। ଏହା ଦ୍ବାରା ଓଡ଼ିଶାର ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଏପରି ପରିସ୍ଥିତିରେ ଓଡ଼ିଶାରୁ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ବାହାର ରାଜ୍ୟ‌ର ମେଡିକାଲ କଲେଜରେ ଅଧ୍ୟୟନ କରିବାରେ ଏକ ପ୍ରକାର ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। କେତେକ ପରୀକ୍ଷାର୍ଥୀଙ୍କ ଅଭିଭାବକ ଏନଟିଏ ନିକଟରେ ଏହି ପ୍ରସଂଗ ଉଠାଇଥିଲେ। ଓଡ଼ିଶାରେ କମ୍ ପରୀକ୍ଷାର୍ଥୀ (ଜାତୀୟ ସ୍ତରରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ପ୍ରାୟ ୨.୫ ପ୍ରତିଶତ) ମେ’ ୨୦ରେ ପରୀକ୍ଷା ଦେଇଥିବାରୁ ଏହି ନରମାଲାଇଜେସନ୍ ପ୍ରକ୍ରିୟା ଲାଗୁ କରାଯାଇ ନାହିଁ ବୋଲି ଏନଟିଏ ନିକଟରୁ ଉତ୍ତର ମିଳିଥିଲା। ଏପରି ପରିସ୍ଥିତିରେ କେତେକ ଅଭିଭାବକ ନ୍ୟାୟ ପାଇବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏମ୍.ଦାସ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାରେ କେନ୍ଦ୍ର ସରକାର, ଏନଟିଏ, ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ, ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe