Jagran Josh
ଭୁବନେଶ୍ବର : ୨୦୨୧ରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ସେପ୍ଟେମ୍ବର ୧୨ରେ ଏନ୍ଇଇଟି (ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍)-ୟୁଜି ଅନୁଷ୍ଠିତ ହେବ। କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଂଶୀଦାରମାନଙ୍କ ସହ ବିଚାରବିମର୍ଶ କରାଯିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏନେଇ ଟୁଇଟ୍ ଯୋଗେ ଘୋଷଣା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ନିଟ୍ ଲାଗି ମଙ୍ଗଳବାର ଅପରାହ୍ଣ ୫ଟାରୁ ଏନ୍ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ୱେବସାଇଟ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ସମୟରେ ସାମାଜିକ ଦୂରତାକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସହର ସଂଖ୍ୟା ଇତିମଧ୍ୟରେ ୧୫୫ରୁ ୧୯୮କୁ ବୃଦ୍ଧି କରାଯାଇଛି। ୨୦୨୦ରେ ସାରା ଦେଶରେ ୩୮୬୨ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ତେଣୁ ଏଥର ଏହି ସଂଖ୍ୟାକୁ ବୃଦ୍ଧି କରାଯିବ। ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯେପରି ଭିଡ଼ ନ ହୁଏ, ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଟାଇମ୍ ସ୍ଲଟ୍ ପ୍ରଦାନ କରାଯିବ। ପରୀକ୍ଷା କେନ୍ଦ୍ରରେ ପଞ୍ଜୀକରଣ ସ୍ପର୍ଶବିହୀନ ରହିବ। ବିଶୋଧନ ସହ ପରୀକ୍ଷାର୍ଥୀଙ୍କ ବସିବା ସମୟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ହୋଇଛି।
କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନିଟ୍କୁ ସ୍ଥଗିତ ରଖାଯାଇଥିଲା। ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ସେପ୍ଟେମ୍ବର ୧୨ରେ ପରୀକ୍ଷା କରାଇବାକୁ ନିଷ୍ପତ୍ତି ହୋଇଛି। ପ୍ରତିବର୍ଷ ପ୍ରାୟ ୧୪ରୁ ୧୫ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ତାହାକୁ ନଜରରେ ରଖି ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ୪ ହଜାରରୁ ଅଧିକ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଛାତ୍ରଛାତ୍ରୀ ଓ ଅଭିଭାବକ ନିୟମିତ ଭାବେ www.nta.ac.in ଓ https://ntaneet.nic.in ୱେବସାଇଟ୍ ପରିଦର୍ଶନ କରିବାକୁ ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି।
Follow Us