ଆଜି ନିଟ୍‌, ଓଡ଼ିଶାର ୧୬ ସହରରେ ୮୩ ପରୀକ୍ଷା କେନ୍ଦ୍ର

ଓଡ଼ିଶାରେ ୩୭ ହଜାର ପରୀକ୍ଷାର୍ଥୀ

ଆଜି ନିଟ୍‌, ଓଡ଼ିଶାର ୧୬ ସହରରେ ୮୩ ପରୀକ୍ଷା କେନ୍ଦ୍ର

Jagran Josh

ଭୁବନେଶ୍ବର : ମେଡିକାଲ ପାଠ୍ୟକ୍ରମରେ ନା‌ମଲେଖା ପାଇଁ ରବିବାର ନିଟ୍‌-ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ଣ ୨ଟାରୁ ୫ଟା ମଧ୍ୟରେ ପେନ୍‌ ଓ ପେପର ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦେଶରେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୨୦୨ଟି ସହରର ୩୮୬୨ଟି କେନ୍ଦ୍ରରେ ପରୀକ୍ଷା ଦେବେ। ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶାର ୧୬ଟି ସହରରେ ୩୭ ହଜାରରୁ ଅଧିକ ପରୀକ୍ଷାର୍ଥୀ ରହିଛନ୍ତି। ଅନୁଗୁଳ ସମେତ ଭୁବନେଶ୍ବର, ବାଲେଶ୍ବର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରା‌ୟଗଡ଼ା, ପୁରୀ ସହରରେ ୮୩ଟି ପରୀକ୍ଷା କେନ୍ଦ୍ର ହୋଇଛି। ଭୁବନେଶ୍ବରରେ ସର୍ବାଧିକ ୧୬ଟି କେନ୍ଦ୍ରରେ ୧୦ ହଜାର ୯୯୬ ଜଣ ପରୀକ୍ଷାର୍ଥୀ ଏଥିରେ ସାମିଲ ହେବେ।

publive-image

ପରୀକ୍ଷାର ସୁପରିଚାଳନା ପାଇଁ ବ୍ୟପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ଏଥିସହ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରିବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ନିୟମାବଳି ଜାରି କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ସମୟରେ ସାମାଜିକ ଦୂରତା ରକ୍ଷା ସହ ପରୀକ୍ଷା କେନ୍ଦ୍ରରେ ଉପଲବ୍ଧ ଏନ୍‌ ୯୫ ମାସ୍କକୁ ନିଶ୍ଚିତ ଭାବେ ବ୍ୟବହାର କରିବା, ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର, କାଶିବା ଓ ଛିଙ୍କିବା ସମୟରେ ନିଜ ମୁହଁ ଓ ନାକକୁ ଟିସ୍ୟୁ/ରୁମାଲ ଦ୍ବାରା ଘୋଡ଼ାଇବା, କୌଣସି ରୋଗର ଲକ୍ଷଣ ଥିଲେ ଯଥାଶୀଘ୍ର ରିପୋର୍ଟ କରିବାକୁ ପିଲାଙ୍କୁ ପରାମର୍ଶ ଦିଆଯାଇଛି।

ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ପ୍ରାର୍ଥୀଙ୍କୁ ସ୍ବଚ୍ଛ ପାଣି ବୋତଲ, ଏକ ଅତିରିକ୍ତ ଫଟୋ, ବ୍ୟକ୍ତିଗତ ହ୍ୟାଣ୍ଡ ସାନିଟାଇଜର, ପ୍ରବେଶପତ୍ର ସହ ଡାଉନ୍‌ଲୋଡ ଅଣ୍ଡରଟେକିଂରେ ଲଗାଇବା ପାଇଁ ଏକ ପୋଷ୍ଟକାର୍ଡ ସାଇଜର ଫଟୋ ବିଧିବଦ୍ଧ ଭାବେ ପୂରଣ ହୋଇଥିବା ଆବଶ୍ୟକ। କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ପ୍ରାର୍ଥୀ ଅଣ୍ଡରଟେକିଂରେ ଆବଶ୍ୟକ ବିବରଣୀକୁ ସ୍ପଷ୍ଟ ଅକ୍ଷରରେ ପ୍ରଦାନ କରିବା ଉଚିତ। କୌଣସି ପ୍ରକାର ବୈଦ୍ୟୁତିକ ଉପକରଣ, ମୋବାଇଲ୍‌ ଫୋନ୍‌ ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ପରୀକ୍ଷା କେନ୍ଦ୍ରକୁ ନେବାକୁ ପ୍ରାର୍ଥୀଙ୍କୁ ଅନୁମତି ମିଳିବ ନାହିଁ। ବ୍ୟକ୍ତିଗତ ସୁରକ୍ଷା ପାଇଁ ପରୀକ୍ଷା ଅଧିକାରୀ ଦାୟୀ ରହିବେ ନାହିଁ। ଏଥିପାଇଁ କୌଣସି ସୁବିଧ‌ା ମଧ୍ୟ ପ୍ରଦାନ କରାଯିବ ନାହିଁ। ପରୀକ୍ଷା ଓ କୋଭିଡ୍‌-୧୯ ସମ୍ବନ୍ଧିତ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଓ ନିର୍ଦେଶ ପ୍ରାର୍ଥୀଙ୍କ ପ୍ରବେଶପତ୍ରରେ ଉଲ୍ଲେଖ ହୋଇଛି। ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe