image credit : Times Now
ଭୁବନେଶ୍ୱର/ରାଉରକେଲା : ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ପୁଣି ଚମକିଲେ ଓଡ଼ିଆ ଛାତ୍ର। ଦେଶରେ ଥିବା ମେଡିକାଲ କଲେଜଗୁଡ଼ିକର ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍)ରେ ଓଡ଼ିଆ ଛାତ୍ର ସୋଏବ୍ ଅଫ୍ତାବ୍ ବାଜିମାତ୍ କରିଛନ୍ତି। ଦେଶର ୧୫ଲକ୍ଷ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ଟପର୍ ହେବା ସହ ଇତିହାସ ସୃଷ୍ଟି କରିଛନ୍ତି। ନିଟ୍ ପରୀକ୍ଷା ଆରମ୍ଭ ହେବା ଦିନଠାରୁ କୌଣସି ଓଡ଼ିଆ ଛାତ୍ରଛାତ୍ରୀ ଏହାପୂର୍ବରୁ କେବେହେଲେ ଟପର୍ ହୋଇ ନଥିବା କୁହାଯାଉଛି। ରାଉରକେଲାର ୧୮ବର୍ଷୀୟ ଛାତ୍ର ସୋଏବ୍ ୭୨୦ରୁ ୭୨୦ ମାର୍କ ରଖି ଏଭଳି ସଫଳତା ହାସଲ କରିଛନ୍ତି। ତାଙ୍କ ସଫଳତା ଖବର ପ୍ରସାରିତ ହେବା ପରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାଜସ୍ଥାନର କୋଟାରେ ଥିବା ଆଲେନ୍ରେ କୋଚିଂ ନେଉଥିବା ସୋଏବ୍ ଏହି ସଫଳତାର ଶ୍ରେୟ ବାପା, ମା’, ଭଉଣୀଙ୍କ ସହ ଶିକ୍ଷକମାନଙ୍କୁ ଦେଇଛନ୍ତି।
ରାଉରକେଲାରେ ଘର, କୋଟାରେ କୋଚିଂ ନେଉଥିଲେ
ଭିନ୍ନକ୍ଷମ ବର୍ଗରେ ଦ୍ବିତୀୟ ସ୍ଥାନରେ ଓଡ଼ିଶାର ଦୁଇ
ସୋଏବ୍ଙ୍କ ବାପା ଶେଖ୍ ମହମ୍ମଦ ଅବ୍ବାସ, ମା’ ସୁଲତାନା ରଜିଆ ଓ ଭଉଣୀଙ୍କ ସହ ରାଉରକେଲାର ଆଜାଦ ବସ୍ତିରେ ରୁହନ୍ତି। ବାପା ଜଣେ ଚା’ ବ୍ୟବସାୟୀ ତଥା ସିଭିଲ କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରନ୍ତି। ସୋଏବ୍ ରାଉରକେଲାସ୍ଥିତ ଡି’ସୁଜା ସ୍କୁଲରୁ ୨୦୧୮ରେ ମାଟ୍ରିକ୍ ଶିକ୍ଷା ଶେଷ କରିବା ପରେ ରାଜସ୍ଥାନ କୋଟାର ସର୍ବୋଦୟ ସ୍କୁଲରେ ଯୁକ୍ତ୨ରେ ନାମ ଲେଖାଇଥିଲେ। ପରିବାରର ଆର୍ଥିକ ସ୍ଥିତି ଯଦିଓ ଏତେଟା ସ୍ବଚ୍ଛଳ ନ ଥିଲା, ତେବେ ମା’ ଓ ଭଉଣୀଙ୍କ ସହ କୋଟାରେ ରହି ଯୁକ୍ତ୨ ପଢ଼ିବା ସହ ନିଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଯୁକ୍ତ୨ ପରୀକ୍ଷାରେ ସେ ୯୬% ନମ୍ବର ରଖି ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ। ପିଲାଟି ଦିନରୁ ମେଧାବୀ ସୋଏବ ପାଠ୍ୟକ୍ରମରେ ଉନ୍ନତ ପ୍ରଦର୍ଶନ କରୁଥିଲେ ଏବଂ ବିଭିନ୍ନ କୁଇଜ୍ ପ୍ରତିଯୋଗିତାରେ ମଧ୍ୟ ସଫଳତା ପାଇଥିଲେ। ସେ ‘କୌନ ବନେଗା ହେଲ୍ଥ ଚାମ୍ପିଅନ-୨୦୧୯’, ଜୁନିଅର ସାଇଣ୍ଟିଷ୍ଟ୍, ନ୍ୟାସନାଲ ଷ୍ଟାଣ୍ଡାର୍ଡ ଏକ୍ଜାମିନେସନ ଇନ୍ କେମେଷ୍ଟ୍ରି ଆଦିରେ ନିଜର ଦକ୍ଷତା ପ୍ରମାଣିତ କରିସାରିଛନ୍ତି। ନିଟ୍ ପ୍ରସ୍ତୁତିରେ ତାଙ୍କୁ ବେଶ୍ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଆଲେନ୍ର ‘ଟ୍ୟାଲେଣ୍ଟ ଏକ୍ସ ସ୍କଲାରସିପ୍’ ପାଇ ସୋଏବ୍ କୋଚିଂ ନେଇଥିଲେ। ଦିନକୁ ୧୩/୧୪ ଘଣ୍ଟାର ନିଷ୍ଠାପର ପରିଶ୍ରମ ଯୋଗୁଁ ଏହି ସଫଳତା ହାସଲ କରିଥିବା ସୋଏବ କହିଛନ୍ତି।
ସୋଏବ୍ଙ୍କ ବ୍ୟତୀତ ଓଡ଼ିଶା ପାଇଁ ଆଉ ଦୁଇଟି ଖୁସି ଖବର ବି ରହିଛି। ଭିନ୍ନକ୍ଷମ ବର୍ଗରେ ଓଡ଼ିଶାର ଦୁଇଜଣ ପରୀକ୍ଷାର୍ଥୀ ଦେଶରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଦେଶର ଶ୍ରେଷ୍ଠ ୧୦ ଜଣ ଛାତ୍ରୀଙ୍କ ମଧ୍ୟ ଓଡ଼ିଶାର ପ୍ରିୟଙ୍କା ସାହୁ ୫୯୮ ନମ୍ବର ଓ ଛାତ୍ର ବର୍ଗରେ ଓଡ଼ିଶାର ଅନିମେଶ ଗିରି ୬୫୦ ନମ୍ବର ରଖି ଦ୍ବିତୀୟ ସ୍ଥାନରେ ରହିଛନ୍ତି।
Follow Us