ଅବହେଳିତ ଐତିହାସିକ ସ୍ଥଳୀ: ବିକ୍ରମଖୋଲ ଗୁମ୍ଫାରୁ ଲିଭିଯାଉଛି ପ୍ରଚୀନ ଶିଳାଲିପି

ଅବହେଳିତ ଐତିହାସିକ ସ୍ଥଳୀ: ବିକ୍ରମଖୋଲ ଗୁମ୍ଫାରୁ ଲିଭିଯାଉଛି ପ୍ରଚୀନ ଶିଳାଲିପି

ଝାରସୁଗୁଡା (ପ୍ରଶାନ୍ତ ମିଶ୍ର): ଶିଳ୍ପାୟନ ଓ ଖଣି ଖାଦାନକୁ ଝାରସୁଗୁଡ଼ା ଜିଲ୍ଲାରେ ଯେଭଳି ଗୁରୁତ୍ୱ ଦିଆଯାଉଛି ଅନ୍ୟକ୍ଷେତ୍ର ଗୁଡ଼ିକ ପ୍ରତି ସେତିକି ଯତ୍ନ ନିଆଯାଉ ନାହିଁ। ସରକାରୀ ଉଦାସୀନତା ଓ ଆନ୍ତରିକତାର ଅଭାବ ଫଳରେ ଜିଲ୍ଲାରେ ଥିବା ଅନେକ ପର୍ଯ୍ୟଟନ ବିଭବ ଆଜି ଭୁଲୁଣ୍ଠିତ ହେବାକୁ ଲାଗିଛି। ଏହି ଅବହେଳାର ଶିକାର ହୋଇଛି ଐତିହାସିକ ପୀଠ ବିକ୍ରମଖୋଲ। ଏହା ଏବେ ତାର ସତ୍ତା ହରାଇବାକୁ ବସିଛି।

ବ୍ରାହ୍ମୀଲିପି ଖୋଦିତ ପ୍ରସ୍ତର ଗୁମ୍ଫା

ବେଲପାହାଡ଼ ସହର ଠାରୁ ମାତ୍ର ୩ କିମି ବଞ୍ଜାରୀ ଗ୍ରାମ ଜଙ୍ଗଲରେ ରହିଛି ଏହି ଐତିହାସିକ ସ୍ଥଳୀ। ଏହା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ। ଏଠାରେ ପ୍ରାଚୀନ ବ୍ରାହ୍ମୀଲିପି ଖୋଦିତ ପ୍ରସ୍ତର ଗୁମ୍ଫା ଦେଖିବାକୁ ମିଳେ। ଏଠାକାର ପ୍ରାକ-ଐତିହାସିକ ଶିଳାଲେଖ ଖ୍ରୀଷ୍ଟପୂର୍ବ ୩ ହଜାର ମସିହାର ବୋଲି କୁହାଯାଏ। ବିକ୍ରମଖୋଲ ସ୍ଥିତ ପ୍ରସ୍ତର ଆସ୍ଥାନ ଯେଉଁ ସ୍ଥାନରେ ଶିଳାଲେଖ ଅବିଷ୍କୃତ ହେଇଥିଲା ତାହା ଖ୍ରୀଷ୍ଟ ପୂର୍ବ ୩୦୦୦ରୁ ଖ୍ରୀଷ୍ଟପୂର୍ବ ୪୦୦୦ ମସିହା ସମୟର ବୋଲି ବହୁ ଐତିହାସିକ ମତ ଦେଇଛନ୍ତି।

publive-image

ଆଦିମାନବ ବସବାସ କରୁଥିଲେ

ବିଶିଷ୍ଟ ଐତିହାସିକ ଡକ୍ଟର କେ. ପି. ଜୟସ୍ୱାଲ ୧୯୩୫ ମସିହାରେ ଏ ବିଷୟରେ ଗବେଷଣାତ୍ମକ ନିବନ୍ଧ ରଚନା କରିଥିଲେ। ଏଠାରେ ଥିବା ଗୁମ୍ଫାରେ ହଜାର ହଜାର ବର୍ଷ ପୂର୍ବେ ଆଦିମାନବ ବସବାସ କରୁଥିଲେ ବୋଲି ବିଶ୍ୱାସ କରାଯାଏ। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକ୍ରମଖୋଲକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିବା ବେଳେ ବର୍ଷତମାମ ପର୍ଯ୍ୟଟକ, ଗବେଷକ ତଥା ପ୍ରକୃତିପ୍ରେମୀଙ୍କୁ ଏହା ଆକୃଷ୍ଟ କରିଥାଏ। ମାତ୍ର ଗମନାଗମନ ବ୍ୟବସ୍ଥା, ପାରିପାର୍ଶ୍ଵିକ ଉନ୍ନତି ଓ ପ୍ରଚାର ପ୍ରସାର ଅଭାବରୁ ଆଜି ପର୍ଯ୍ୟନ୍ତ ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଛି।

ଗୁମ୍ଫାରେ ରହିଛ ଅନେକ ପ୍ରାଚୀନ ଶିଳାଲିପି

ବିକ୍ରମଖୋଲରେ ୧୧୫ ଫୁଟ ଦୈଘ୍ୟ ଓ ୨୭.୭ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରାଚୀନ ଗୁମ୍ଫା ରହିଛି। ଗୁମ୍ଫାରେ ଅନେକ ପ୍ରାଚୀନ ଶିଳାଲିପି ରହିଛି, ଯାହାକୁ ଆଜି ପର୍ଯ୍ୟନ୍ତ କେହି ପଢ଼ି ବୁଝିବାକୁ ସକ୍ଷମ ହୋଇପାରିନାହାନ୍ତି। କିଛି ଐତିହାସିକ ଏହାକୁ ମହେଞ୍ଜୋଦାରୋ ସମୟର ବୋଲି କହିଥାନ୍ତ। ଅତୀତରେ କିଛି ଗବେଷକ, ଐତିହାସିକ ଗୁମ୍ଫା ଅନୁଧ୍ୟାନ କରି ଶିଳାଲିପି ଉପରେ ବିଭିନ୍ନ ପ୍ରକାର ତଥ୍ୟ ଉପସ୍ଥାପନ କରିଛନ୍ତି। ଲିପି ଖୋଦିତ ପଥରଟିର ଦୈଘ୍ୟ ୩୭ ମିଟର, ପ୍ରସ୍ଥ ୫.୬୫ ମିଟର ଓ ଉଚ୍ଚତା ୮ ମିଟର। ସ୍ୱାମୀ ଜ୍ଞାନନନ୍ଦ ନାମକ ଜଣେ ସାଧୁ ଏହି ଖୋଦିତ ଲିପି ଆବିଷ୍କାର କରିଥିଲେ ବୋଲି କୁହାଯାଏ।

ମହେଞ୍ଜୋଦାରୋ ସଭ୍ୟତା ସହ ସାମଞ୍ଜସ୍ୟ

ପ୍ରାଚୀନ ମହେଞ୍ଜୋଦାରୋ ସଭ୍ୟତାରେ ବ୍ୟବହୃତ ହେଉଥିବା ଲିପି ସହ ଏହାର ସାମଞ୍ଜସ୍ୟ ଥିବା ପ୍ରତ୍ନତାତ୍ୱିକ ଖନନ ଓ ଗବେଷଣାରୁ ଜଣାଯାଏ। ଲିପି ବ୍ୟତୀତ କେତେକ ପଶୁପକ୍ଷୀଙ୍କ ଚିତ୍ର ମଧ୍ୟ ଶିଳାରେ ଦେଖାଯାଏ। ୧୯୫୮ ମସିହାରେ ଏହି ଗୁମ୍ଫା ଲୋକଲୋଚନକୁ ଆସିଥିଲା। ୧୯୯୫ ମସିହାରେ ଏକ ପ୍ରତ୍ନତତ୍ତ୍ୱବିତ ଦଳ ସର୍ବେକ୍ଷଣ ପାଇଁ ଗୁମ୍ଫାକୁ ଯାଇଥିଲେ। ସେମାନେ ରାସାୟନିକ ପ୍ରଲେପ ଦେଇ ଶିଳାଲିପିର ସଂରକ୍ଷଣ ପାଇଁ ଉଦ୍ୟମ କରିଥିଲେଯ ମାତ୍ର ପରବର୍ତ୍ତୀ ସମୟରେ ଏହାର ସଂରକ୍ଷଣ ପାଇଁ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ କିଛି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଖରା, ବର୍ଷା, ପବନରେ ଗୁମ୍ପାରେ ଖୋଦିତ ଶିଳାଲିପିଗୁଡ଼ିକ କ୍ଷୟ ହେବାରେ ଲାଗିଛି।

publive-image

ପୂର୍ବେ ଶିଳାଲିପି ଯେପରି ସ୍ପଷ୍ଟ ଥିଲା ଏବେ ତାହା ଆଉ ଦେଖିବାକୁ ମିଳୁନି। ପର୍ଯ୍ୟଟନ ବିଭାଗ କେବଳ ଗୁମ୍ଫାର ଉପର ମୁଣ୍ଡରୁ ବହୁଥିବା ବର୍ଷାପାଣିକୁ ରୋକିବା ପାଇଁ କଂକ୍ରିଟ କାନ୍ଥ ଏବଂ ଗୁମ୍ଫାକୁ ଯିବା ଆସିବା ପାଇଁ ପାହାଚ ନିର୍ମାଣ କରିଛି। ମାତ୍ର ସମ୍ମୁଖ ଭାଗ ଜଙ୍ଗଲରୁ ଗୁମ୍ଫାକୁ ପଶି ଆସୁଥିବା ବର୍ଷାପାଣି ଓ ପବନକୁ ରୋକିବା ପାଇଁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନାହିଁ।

ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ଶିଳାଲିପି?

ଐତିହାସିକ ମାନେ ମର୍ମାହତ ହୋଇ କହିଥାନ୍ତି ଯେ, ଏହି ବିରଳ ଲିପିରେ ଲିଖିତ ଶିଳାଲେଖାକୁ ଚରମ ଅବହେଳା କରାଯାଉଥିବାରୁ କ୍ରମଶଃ ଏହା ନଷ୍ଟ ହେବାକୁ ଯାଉଛି। ନିକଟସ୍ଥ ପର୍ବତାଞ୍ଚଳରେ କୋଇଲାଖଣି ସମୂହ ରହିଛି ଓ ଆଖପାଖରେ ବିଭିନ୍ନ ଶିଳ୍ପ କାରଖାନା ଗଢି ଉଠିଥିବା ଫଳରେ ଖୋଲା ଜଙ୍ଗଲରେ ଥିବା ଏହି ପ୍ରାକ- ଐତିହାସିକ ସ୍ଥଳରେ ଏହାର ବହୁ କୁପ୍ରଭାବ ପଡ଼ୁଛିଯ ବିଭିନ୍ନ ସମୟରେ କିଛି ବ୍ୟକ୍ତି ଏଠାକୁ ଅବାଧରେ ଆସି ଶିଳାଲେଖା ଗୁଡ଼ିକୁ ନଷ୍ଟ ମଧ୍ୟ କରୁଥିବାର ଦେଖାଯାଏ। ଏହି ଅଞ୍ଚଳ ସରକାରଙ୍କ ସଂରକ୍ଷିତ ଜଙ୍ଗଲରେ ରହିଥିଲେ ମଧ୍ୟ ଜଞ୍ଚଲ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଗୁମ୍ଫାର ସଂରକ୍ଷଣ ଦିଗରେ ପଦକ୍ଷେପ ନ ନେଲେ କିଛିବର୍ଷ ପରେ ଏହି ପ୍ରାଚୀନ ଶିଳାଲିପି ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe