ମହାତ୍ମାଗାନ୍ଧୀ ପାର୍କର ବିକାଶକୁ ଅଣଦେଖା: ଆମୋଦ ପ୍ରମୋଦରୁ ବଞ୍ଚିତ ହେଉଛନ୍ତି ଶିଶୁ

୪ ମାସ ହେଲା ଟୟ ଟ୍ରେନ୍ ଅଚଳ, ଠେଲିଲେ ଚାଲୁଛି

ମହାତ୍ମାଗାନ୍ଧୀ ପାର୍କର ବିକାଶକୁ ଅଣଦେଖା: ଆମୋଦ ପ୍ରମୋଦରୁ ବଞ୍ଚିତ ହେଉଛନ୍ତି ଶିଶୁ

ରାୟଗଡ଼ା: ରାୟଗଡ଼ା ସହରବାସୀଙ୍କ ଆମୋଦ ପ୍ରମୋଦର ମାଧ୍ୟମ ପାଲଟିଥିବା ମହାତ୍ମାଗାନ୍ଧୀ ପାର୍କ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ପାର୍କର ବିକାଶକୁ ପୌର ପରିଷଦ ଅଣଦେଖା କରି ଆସୁଥିବାରୁ ଆମୋଦ ପ୍ରମୋଦରୁ ବଞ୍ଚିତ ହୋଇ ଆସୁଛନ୍ତି। ଦୀର୍ଘ ମାସ ହେଲା ପାର୍କର ସମସ୍ତ ଉପକରଣ ଅଚଳ ସହ ଭଗ୍ନ ଅବସ୍ଥାରେ ପଡିଛି। ଅଥଚ ମରାମତି ପାଇଁ ପୌର କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି।

ବହୁ ପୁରାତନ ମହାତ୍ମାଗାନ୍ଧୀ ପ୍ରମୋଦ ଉଦ୍ୟାନର ନବକଳେବର ୨୦୦୭ ମସିହାରେ ହୋଇଥିଲା। ଜେକେ କାଗଜକଳ ପ୍ରମୋଦ ଉଦ୍ୟାନର ବିକାଶ ଦାୟିତ୍ବ ନେଇ ଲକ୍ଷାଧିକ ଟଙ୍କା ବ୍ୟୟରେ ଶିଶୁଙ୍କ ପାଇଁ ଖେଳ ଉପକରଣ, ସୌନ୍ଦର୍ଯ୍ୟକରଣ ସହ ଅନ୍ୟ କାର୍ଯ୍ୟ ସମାପନ କରିଥିଲା। ଏହା ପରେ ପୌର ପରିଷଦ ପକ୍ଷରୁ ପାର୍କର ବିକାଶ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ହୋଇଛି। ଜିଲ୍ଲା ଖଣିଜ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଶିଶୁଙ୍କ ପାଇଁ ଟୟ୍ ଟ୍ରେନ୍ ସୁବିଧା କରାଯାଇଥିଲା। ଯାହା ଗତ ୪ ମାସ ହେଲା ଅଚଳ ହୋଇ ପଡିଛି। ଟୟ୍ ଟ୍ରେନ୍ ଅଚଳ ହୋଇ ପଡିଥିବାରୁ ପାର୍କକୁ ଯାଉଥିବା ଶିଶୁମାନେ ଏହାର ମଜା ଉଠାଇ ପାରୁନାହାନ୍ତି। ଫଳରେ ଅଭିଭାବକମାନେ ଶିଶୁଙ୍କୁ ଟ୍ରେନରେ ବସାଇ ନିଜେ ପଛରୁ ଠେଲି ଟ୍ରେନକୁ ଚଳାଉଛନ୍ତି। ଟ୍ରେନର ଓଜନ ଅଧିକ ହୋଇଥିବାରୁ ୨/୩ ଅଭିଭାବକ ମିଳିତ ଭାବେ ଟ୍ରେନକୁ ଠେଲି ପିଲାଙ୍କ ମନ ବୁଝାଉଛନ୍ତି। ବିଦ୍ୟୁତ୍ ଦ୍ବାରା ଏହି ଟୟ୍ ଟ୍ରେନ୍ ଚାଲୁଥିବା ବେଳେ ପିଲାଙ୍କ ପିଛା ପୌର ପରିଷଦ ୧୦ ଟଙ୍କା ଟିକେଟ୍ ସଂଗ୍ରହ କରୁଥିଲା। ହେଲେ ଅଚଳ ପରେ ମରାମତି ଦିଗରେ ଆଉ ଦୃଷ୍ଟି ଦେଉନି।

ସହରବାସୀଙ୍କ ଏହା ଏକ ମାତ୍ର ପାର୍କ ହୋଇଥିବାରୁ ଶିଶୁଙ୍କ ସହ ସମସ୍ତ ବର୍ଗର ଲୋକଙ୍କୁ ଦୃଷ୍ଟିରେ ରଖି ପାର୍କର ସୌନ୍ଦର୍ଯ୍ୟକରଣକୁ ବୃଦ୍ଧି କରାଯାଇଛି। ପାର୍କ ଚର୍ତୁପାର୍ଶ୍ବରେ ବରିଷ୍ଠ ନାଗରିକଙ୍କ ବସିବା ପାଇଁ ଚେୟାର ସହିତ ଚାଲିବା ପାଇଁ ପାଥ ୱେ ନିର୍ମାଣ କରାଯାଇଛି। ଏବେ ବହୁ ଚେୟାର ଭାଙ୍ଗିରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ପାଥ ୱେ ଚାରି ପାର୍ଶ୍ବ ମଧ୍ୟ ଭଲ ନାହିଁ। ଭଲ ଭାବରେ ସଫେଇ ହେଉନଥିବାରୁ ପାର୍କ ପରିସର ଅନାବନା ଘାସରେ ପରିପୂର୍ଣ୍ଣ ହୋଇ ରହିଛି। ଶିଶୁଙ୍କ ପାଇଁ ଉର୍ଦ୍ଧିଷ୍ଟ୍ ଦୋଳି, ସ୍ଲୋପ‌ ୱେ, ରାଉଣ୍ଡ ଚେୟାର୍, ଝୁଲା ଚେୟାର ସବୁ ଭାଙ୍ଗିରୁଜି ପଡିଛି।

publive-image

ଅଚଳ ଓ ଭଗ୍ନ ଅବସ୍ଥ‌ାରେ ପଡିଥିବା ସାମଗ୍ରୀର ମରାମତି ହେଉନଥିବାରୁ ପିଲା ମାନେ ବାଧ୍ୟ ହୋଇ ସେଥିରେ ଖେଳି ଆହତ ହେଉଛନ୍ତି। ବହୁ ଖେଳ ସାମଗ୍ରୀର ସିଟ୍ ଗୁଡ଼ିକ ମଧ୍ୟ ନାହିଁ। ଦୋଳି ଗୁଡ଼ିକ ବିପଦପୂର୍ଣ୍ଣ ଭାବେ ଝୁଲୁଥିବାରୁ କେତେବେଳେ କିଛି ଅଘଟଣ ଘଟିବ ତାହା କହି ହେବ ନାହିଁ। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପାର୍କ ପରିସରରେ ଥିବା ଦୁଇଟି ୱାଟର ଫାଉଣ୍ଟେନ୍ ମଧ୍ୟ ଅଚଳ ଅବସ୍ଥାରେ ପଡିଛି। ରଙ୍ଗ ବେରଙ୍ଗର ଆଲୋକ ସହ ମ୍ୟୁଜିକ୍ ଦ୍ବାରା ୱାଟର ଫାଉଣ୍ଟେନ୍ ପରିଚାଳନା ହେଉଥିଲା। ଯାହା ଶିଶୁଙ୍କ ସମେତ ସମସ୍ତ ବର୍ଗର ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା। ବର୍ଷା ପୂର୍ବରୁ ଏ ଗୁଡ଼ିକ ଅଚଳ ହୋଇ ପଡିଥିଲେ ମଧ୍ୟ ମରାମତି ହୋଇପାରୁନି। ମନୋରଞ୍ଜନର ଉପଯୁକ୍ତ ସୁବିଧା ନଥିବା ସତ୍ତ୍ବେ ପୌର ପରିଷଦ ପକ୍ଷରୁ ଜଣଙ୍କ ଟିକେଟ୍ ବାବଦକୁ ୫ ଟଙ୍କା ଆଦାୟ କରାଯାଉଛି। ଟିକେଟ୍ ବାବଦକୁ ଆଦାୟ ଟଙ୍କାରେ କିନ୍ତୁ ପାର୍କ ମରାମତି ହୋଇପାରୁନି।

ସୂଚନାଯୋଗ୍ୟ, ସହରର ମଧ୍ୟ ଭାଗରେ ଥିବା ଏହି ପାର୍କ ପରିସରରେ ବହୁ ମହାତ୍ମାଙ୍କ ପ୍ରତିମୂର୍ତ୍ତି ରହିଥିବାରୁ ଅଧିକାଂଶ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ ଓ ଉଚ୍ଚ ପଦସ୍ତ ଅଧିକାରୀ ଆସୁଛନ୍ତି। କିନ୍ତୁ ପାର୍କର ବିକାଶ ଦିଗରେ କେହି ଦୃଷ୍ଟି ଦେଉ ନାହାନ୍ତି। ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe