ଆଜି ନେତାଜୀ ଜୟନ୍ତୀ: ଅବହେଳିତ ନେତାଜୀ ସଂଗ୍ରହାଳୟ

ଆଜି ନେତାଜୀ ଜୟନ୍ତୀ: ଅବହେଳିତ ନେତାଜୀ ସଂଗ୍ରହାଳୟ

ପୁରୀ : ନେତାଜୀଙ୍କ ଫରୱାର୍ଡ ବ୍ଲକ୍‌ର ଗୁପ୍ତ ବୈଠକର ମୂକସାକ୍ଷୀ ହେଉଛି ନେତାଜୀ ସଂଗ୍ରହାଳୟ। ରମାବଲ୍ଲଭ ରୋଡ୍‌ରେ ଥିବା ଜାନକୀନାଥ ଭବନରେ ନେତାଜୀ ସୁଭାଷ ବୋଷଙ୍କର ଅନେକ ସ୍ମୃତି ଜଡ଼ିତ ରହିଛି। ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ କଟକରେ ରହୁଥିବା ବେଳେ ୧୯୧୬ ମସିହାରେ ଶାରଦା ଦେବୀ ରୋଡ୍‌ରେ ଲିଜ୍‌ ସୂତ୍ରରେ ୦.୪୩୪ ଏକର ଜମି ପାଇଥିଲେ। ତେଣୁ ଏଠାରେ ମଧ୍ୟ କଟକ ସଦୃଶ ଦୁଇ ‌ମହଲା କୋଠା ନିର୍ମାଣ କରିଥିଲେ। ପୁରୀ ଆସିଲେ ଜାନକୀନାଥଙ୍କ ସମଗ୍ର ପରିବାର ଏଠାରେ ଅବସ୍ଥାନ କରୁଥିଲେ।

୧୯୩୮ରେ ଜାନକୀନାଥ ବୋଷଙ୍କ ମୃତ୍ୟୁ ପରେ ନେତାଜୀଙ୍କ ନାମରେ ଏହା ୧୯୪୬ ମସିହାରେ ପୁଣି ଲିଜ୍‌ ଦିଆଯାଇଥିଲା। ତେଣୁ ନେତାଜୀ ପୁରୀ ଆସୁଥିବା ବେଳେ ଏହି କୋଠାରେ ଫରୱାର୍ଡ ବ୍ଲକ୍‌ର ଗୁପ୍ତ ବୈଠକ କରାଉଥିବା ସ୍ବାଧୀନତା ସଂଗ୍ରାମୀମାନେ କହିଥିଲେ। ତେଣୁ ଦେଶର ଏହି ଅଦ୍ବିତୀୟ ବୀର ସନ୍ତାନଙ୍କର ଘରକୁ ସ୍ମୃତିପୀଠ ଭାବେ ଘୋଷଣା କରାଯାଇ ସଂଗ୍ରହାଳୟ କରାଯାଇଛି। କିନ୍ତୁ ପୁରୁଣା କୋଠା ଉପରେ କେବଳ ରଙ୍ଗ ବୋଳି ଦେଇ ଯେମିତି କୋଠାର ଦୁର୍ବଳତାକୁ ଲୁଚାଇବାକୁ ‌ଉଦ୍ୟମ‌ ହୋଇଛି।

୧୦୬ ବର୍ଷ ତଳର ଏହି କୋଠାକୁ କେବଳ କାମଚଳା ମରାମତି କରାଯାଇଥିବା ଦେଖିବାକୁ ମିଳିଛି। ୧୯୧୬ ମସିହାରେ ଏହି ବିଲ୍‌ଡିଂ ନିର୍ମିତ ହୋଇଥିବା ବେଳେ ଏହାକୁ ବହୁ ବାଦ ବିବାଦ ପରେ ସଂଗ୍ରହାଳୟର ରୂପ ଦେବା ନିଶ୍ଚିତ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ଏଥିପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି କରିନପାରିବା ପ୍ରଶାସନର ପାରିବାପଣିଆ ଉପ‌ରେ ପ୍ରଶ୍ନବାଚୀ ଲଗାଇଛି। ସଂଗ୍ରହାଳୟ ମଧ୍ୟରେ ନେତାଜୀଙ୍କ କୋଠରି ସମେତ ପଠନଶାଳା ଓ ସେ ବ୍ୟବହାର କରୁଥିବା ପୋଷାକପତ୍ର ରହିଛି। ଏହାବ୍ୟତୀତ ନେତାଜୀଙ୍କର ବହୁ ବିରଳ ଫଟୋ ମଧ୍ୟ ରହିଛି। କିନ୍ତୁ ସଂଗ୍ରହାଳୟକୁ ବାଟ କଢ଼େଇ ନେବା ପାଇଁ କୌଣସି ଆକର୍ଷଣୀୟ ବ୍ୟବସ୍ଥା ନାହିଁ କି ସେନେଇ ଆଜି ପର୍ଯ୍ୟନ୍ତ କୌଣସି ଉଦ୍ୟମ ହୋଇନାହିଁ। ତେଣୁ କେବେ କେବେ ମାସକରେ ୫୦ ଜଣ ପର୍ଯ୍ୟଟକଙ୍କ ପାଦ ବି ପଡ଼ିପାରୁନାହିଁ। ଏପରିକି କୋଠାରୁ ରଙ୍ଗ ଛାଡ଼ି ଯାଇଥିଲେ ବି ସେଥିପ୍ରତି ଧ୍ୟାନ ଦିଆଯାଇ ନାହିଁ। ଏହା ମଧ୍ୟରେ ଏକ ୱାଟର ୍‌ଫାଉଣ୍ଟେନ ରହିଥିଲେ ବି ତାହା ଅଚଳ ହୋଇଯାଇଛି।

ଏନେଇ ସୁଭାଷ ବୋଷଙ୍କ ସମ୍ପର୍କରେ କାମ କରୁଥିବା ଦେବୀ ପୃଷ୍ଟି କହିଛନ୍ତି, ପର୍ଯ୍ୟଟକଙ୍କୁ ସଂଗ୍ରହାଳୟକୁ ଆକର୍ଷିତ କରିବା ପାଇଁ ଆଚାର୍ଯ୍ୟ ହରିହର ଛକରୁ ସଂଗ୍ରହାଳୟକୁ ବାଟ କଢ଼େଇବା ପାଇଁ ସୁନ୍ଦର ତୋରଣ ସମେତ ସଂଗ୍ରହାଳୟ ପର୍ଯ୍ୟନ୍ତ ଘରର କାନ୍ଥରେ ସୁଭାଷ ବୋଷଙ୍କ ବିଭିନ୍ନ କାର୍ଯ୍ୟଧାରା ଉପରେ ଚିତ୍ର କରାଯାଇପାରିବ। ଏହା ବ୍ୟତୀତ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ଏହା ମଧ୍ୟରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ର ଆୟୋଜନ କରାଯାଇପାରିବ। ଏଥିପାଇଁ ବହୁ ବଦାନ୍ୟ ବ୍ୟକ୍ତି ପାଣ୍ଠି ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। କିନ୍ତୁ ବାରମ୍ବାର ଏହା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ବେ ପ୍ରଶାସନ ଏ କ୍ଷେତ୍ରରେ ନିରବ ରହିଛି। କେବଳ ସଂଗ୍ରହାଳୟ କରିଦେଲେ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସମ୍ଭବ ହେବନାହିଁ। ତେଣୁ ଜିଲ୍ଲାପାଳ ଓ ପର୍ଯ୍ୟଟନ ବିଭାଗ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ଶ୍ରୀ ପୃଷ୍ଟି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe