ଜରାଜୀର୍ଣ୍ଣ ଜରାନିବାସ: ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ସରକାର ସ୍ଥାଣୁ

Advertisment
ଜରାଜୀର୍ଣ୍ଣ ଜରାନିବାସ: ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ସରକାର ସ୍ଥାଣୁ

ସୋର: ନାହିଁ ନାହିଁରେ ଚାଲିଛି ଜରାନିବାସ। ସରକାରୀ ସହାୟତାକୁ ଆପେକ୍ଷା‌ କରି ବର୍ଷ ପରେ ବର୍ଷ ବିତିଯାଇଛି; ହେଲେ ସହାୟତା ତ ଦୂରର କଥା, ସହାନୁଭୂତି ଟିକକ ବି ମିଳିନି। ଏବେ ଜରାନିବାସଟି ଜରାଜୀର୍ଣ୍ଣ। ନାନା ସମସ୍ୟା ‌ଦେଇ ଗତି କରୁଛି। ଫଳରେ ସ୍ଥାନୀୟ ଲୋକ ଜରାନିବାସ ପ୍ରତି ସରକାର ସୁଦୃଷ୍ଟି ଦେବାକୁ ଦାବି କରିଛନ୍ତି।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଗୁଡ଼ ପଞ୍ଚାୟତ ଠାକୁରପଦା ଗ୍ରାମରେ ଶିବମୁନି ସେବା ସଂଗଠନର ଜରାନିବାସ ରହିଛି। ୨୦୧୨-୧୩ ମସିହାରେ ଏହା ପଞ୍ଜିକୃତ ହୋଇଥିଲା। ଜରାନିବାସର ପ୍ରତିଷ୍ଠାତା ହେଉଛନ୍ତି ସୁଧାକର ମୁନି। ସେ ଜଣେ ଯୋଗଗୁରୁ।

ଜରାନିବାସ ନିର୍ମାଣ ପାଇଁ ଶରତ କୁମାର ପଣ୍ଡା ଜମି ଦାନ ଏବଂ ଦାମୋଦର ପୁହାଣ ଅର୍ଥ ସହାୟତା କରିଥିଲେ। ଏବେ ଜରାନିବାସରେ ୪ ଜଣ ବୃଦ୍ଧ ଓ ୧୭ ଜଣ ବୃଦ୍ଧା ରହୁଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅସ୍ତ୍ରୋପଚାର ହୋଇଥିବାରୁ ସେ ଶଯ୍ୟାଶାୟୀ। ଅନ୍ୟଜଣଙ୍କ ଆଖିରେ ଦେଖାଯାଉ ନାହିଁ। ଏଯାଏ ଜରାନିବାସକୁ କୌଣସି ସରକାରୀ ସହାୟତା ମିଳି ନାହିଁ। ରାଜନେତା ଓ ଜିଲ୍ଲାପାଳଙ୍କଠାରେ ବାରମ୍ବାର ଗୁହାରି କଲେ ମଧ୍ୟ କିଛି ଫଳ ମିଳୁନି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲା। ହେଲେ ଉତ୍ତର ଆସୁନି। ଫଳରେ ସୁଧାକର ମାଗିଯାଚି ଏବଂ ଯୋଗଶିକ୍ଷା ଦେଇ ମିଳୁଥିବା ଅର୍ଥ ସହ ସ୍ଥାନୀୟ ବଦାନ୍ୟ ବ୍ୟକ୍ତି ଦେଉଥିବା ସହାୟତା ଅର୍ଥରେ ଜରାନିବାସଟି ଚାଲିଛି। କେବଳ ସେତିକି ନୁହେଁ, ଜରାନିବାସଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଆସିଛି। ଏଠାରେ ଆବଶ୍ୟକ ମୁତାବକ କୋଠାରି ଓ ଶୌଚାଳୟ ନାହିଁ। ବିଦ୍ୟୁତ୍‌ ସଂଯୋଗ ନାହିଁ। ଗୋଟିଏ ସୋଲାର୍‌ ପ୍ଲେଟ୍‌ରୁ ଉତ୍ପନ୍ନ ବିଦ୍ୟୁତ୍‌ରେ କାମ ଚଳୁଛି। ଗୋଟିଏ ମାତ୍ର ନଳକୂଅ ଥିବା ବେଳେ ସେଥିରେ ପାଇପ୍‌ ସଂଯୋଗୀକରଣ କାମ ହୋଇନାହିଁ।

ତେବେ ଏପରି ସମୟରେ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କ ମୁହଁକୁ ଦେଖି ସରକାର ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ଲୋକ ଏବଂ ଜରାନିବାସ ପରିଚାଳକ ସୁଧାକର ମୁନି କହିଛନ୍ତି। ଯାହାଫଳରେ ବୟସର ଅରାହ୍ନରେ ଥିବା ମଣିଷମାନଙ୍କ ମୁହଁରେ ଟିକିଏ ହସ ଫୁଟିପାରନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe