ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଅବହେଳା: ସିଂହଦ୍ବାର ଗୁମୁଟ ପାର୍ଶ୍ବରେ ଫାଟ, ଭାଙ୍ଗିଯାଉଛି ପ୍ରାଚୀନ ମୂର୍ତ୍ତି

ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଅବହେଳା: ସିଂହଦ୍ବାର ଗୁମୁଟ ପାର୍ଶ୍ବରେ ଫାଟ, ଭାଙ୍ଗିଯାଉଛି ପ୍ରାଚୀନ ମୂର୍ତ୍ତି

ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ପାର୍ଶ୍ବରେ ବଡ଼ବଡ଼ ଫାଟ ଦେଖିବାକୁ ମିଳିଛି। ଫାଟ ଏତେ ବଡ଼ବଡ଼ ଯେ ଏହା ଗୁମ୍ପା ଭଳି ଦିଶିଲାଣି। ପଥର ସନ୍ଧିର ଏହି ଫାଟ ଭିତରେ ସରୀସୃପ ଆଦି ବସବାସ କରୁଥିବା ଆଶଙ୍କା କରାଯାଉଛି। କେବଳ ଫାଟ ନୁହେଁ, ଯେଉଁ ପ୍ରାଚୀନ ମୂର୍ତ୍ତି ଲାଗିଛି, ତାହା ବି ଭାଙ୍ଗି ଝଡ଼ି ପଡ଼ିଲାଣି। ତଥାପି ନା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଏଥିପ୍ରତି ଦୃଷ୍ଟି ପଡ଼ୁଛି ନା ଶ୍ରୀମନ୍ଦିର ପ୍ରଶାସନର। ଏହା ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଥିବା ଅବହେଳାକୁ ପ୍ରତିପାଦିତ କରୁଛି।

publive-image

୧୯୭୫ ମସିହାରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ବହୁ ପ୍ରାଚୀନ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଇ ଆସୁଛି। ପୂର୍ବରୁ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଧଳା ରଙ୍ଗର ଥିଲା। ପଥର ଉପରେ ଚୂନର ମୋଟା ଆସ୍ତରଣ ଦିଆଯାଇଥିଲା। ଏହା ଶ୍ରୀମନ୍ଦିର ପାଇଁ ବିପଦ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ କହିବା ପରେ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୩୦ ବର୍ଷ ତଳୁ ଶ୍ରୀମନ୍ଦିରରୁ ଚୂନ ଛଡ଼ାଇ ସ୍ବତନ୍ତ୍ର କେମିକାଲ୍‌ ଲଗାଇଛି ଏଏସ୍‌ଆଇ। ତଥାପି ଶ୍ରୀମନ୍ଦିର ଉପରୁ ବିପଦ ଟଳିନି। ମଝିରେ ମଝିରେ ବଡ଼ବଡ଼ ପଥର ଖଣ୍ଡ ଖସି ଶ୍ରୀମନ୍ଦିର ଅସୁରକ୍ଷିତ ବୋଲି ଦର୍ଶାଇ ଦେଉଛି। ସେପଟେ ରତ୍ନଭଣ୍ଡାର, ନାଟମଣ୍ଡପ ବି ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି। ବର୍ଷା ହେଲେ ପାଣି ଗଳୁଛି। ହାଇକୋର୍ଟଙ୍କ ଆଦେଶକ୍ରମେ ନାଟମଣ୍ଡପର ମରାମତି କାମ ଆରମ୍ଭ ହୋଇଛି ସତ, କିନ୍ତୁ ଅଦ୍ୟାବଧି ଶେଷ ହୋଇନି। ଏବେ ବି ନାଟମଣ୍ଡପ ଭାରା ବନ୍ଧା ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ ସିଂହଦ୍ବାର ପ୍ରବେଶ ପଥର ବାମପାର୍ଶ୍ବରେ ପଥରରେ ବଡ଼ବଡ଼ ଫାଙ୍କ ସୃଷ୍ଟି ହେବା ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିଛି।

publive-image

ସିଂହଦ୍ବାରରେ ପ୍ରବେଶ ପଥର ବାମପାର୍ଶ୍ବ ସିଂହ ମୂର୍ତ୍ତି କଡ଼ ଉପରିଭାଗରେ ପଥରରେ ଫାଟ ପରେ ଏଭଳି ଏକାଧିକ ଫାଙ୍କ ଦେଖିବାକୁ ମିଳିଛି। ଦେଖା ଦେଇଥିବା ଏକ ବଡ଼ ଫାଟ ଆକାର ଦେଖିଲେ, ଏହାର ଲମ୍ବ ପ୍ରାୟ ଦୁଇଫୁଟ ହୋଇଥିବାବେଳେ ଚଉଡ଼ା ପ୍ରାୟ ୪/୫ ଇଞ୍ଚ ହେବ। ସେହିଭଳି ଯେଉଁ ପ୍ରାଚୀନ ଦେବଦେବୀ ମୂର୍ତ୍ତି ଲାଗିଛି, ସେଥିରୁ କାହାର ଆଣ୍ଠୁଠାରୁ ପାଦ ପର୍ଯ୍ୟନ୍ତ ପଥର ଗଳି ପଡ଼ିଲାଣି ତ କାହାର ମୁହଁ ଗଳି ପଡ଼ିଲାଣି। ସିଂହ କାରୁକାର୍ଯ୍ୟ ବି ଭାଙ୍ଗି ଗଳି ପଡ଼ିଲାଣି। ଅନେକ କାରୁକାର୍ଯ୍ୟ ବି ମନ୍ଦିରରୁ ଭାଙ୍ଗି ଝଡ଼ି ପଡ଼ିବା ପରେ ଏହାର ଚିହ୍ନବର୍ଣ୍ଣ ଲିଭିଗଲାଣି। ସ୍ଥିତି ଏପରି ହୋଇଛି ଯେ ଯଦି ଏବେଠୁ ଏହାର ସୁରକ୍ଷା କଥା ଚିନ୍ତା କରାନଯାଏ, ଏହି ଫାଟ ଦେଇ ପାଣି ପଶି ମନ୍ଦିର ପାଇଁ ବିପଦ ସୃଷ୍ଟି କରିବ। ସେହିଭଳି ବାକି ମୂର୍ତ୍ତି ବି କ୍ରମେ ଭାଙ୍ଗି ଗଳିପଡ଼ିବେ ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe