ଓଡ଼ିଶାରେ ନେପାଳ ରାଜା

Advertisment
ଓଡ଼ିଶାରେ ନେପାଳ ରାଜା

ଭୁବନେଶ୍ୱର/ଜଟଣୀ : ଶ୍ରୀ ଗୋବର୍ଧନ ପୀଠାଧୀଶ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ୨୫ତମ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ନେପାଳର ରାଜା ଶ୍ରୀ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହାଦେବ ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଆଜି ପୂର୍ବାହ୍ନରେ ସେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ମହୋତ୍ସବ କମିଟିର ସଂଯୋଜକ ଡ.ବଦ୍ରିନାଥ ପଟ୍ଟନାୟକ, ରାମରାଜ୍ୟ ପରିଷଦର ମୁଖ୍ୟ ଡ.ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅତିରିକ୍ତ ସଚିବ ଆଲୋକ କୁମାର କର ପ୍ରମୁଖ  ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ପଣ୍ଡିତମାନେ ବେଦପାଠ କରି ପାରମ୍ପରିକ ରୀତିରେ ମହାରାଜାଙ୍କୁ ପାଛୋଟି ନେଇଥିଲେ।

ପରେ ମହାରାଜା ଶ୍ରୀ ଜ୍ଞାନେନ୍ଦ୍ର ଜଟଣୀ ରଥିପୁରଗଡ଼ରେ ଗତ ୪ ତାରିଖରୁୁ ଆରମ୍ଭ ହୋଇଥିବା ବିଶ୍ୱର ପ୍ରଥମ ଗୋ ସମ୍ବର୍ଧନା ମହୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞରେ ଅତିଥି ଭାବେ ଯୋଗ ଦେଇଥିଲେ। ଯଜ୍ଞରେ ପୂର୍ଣ୍ଣାହୁତି ଦେଇ ସେ କହିଲେ ଯେ ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗୋ-ସଂପଦର ବିରାଟ ଭୂମିକା ରହିଛି। ମାତ୍ର ଏହି ଗୋ-ସଂପଦ ଏବେ ଧୀରେ ଧୀରେ କ୍ଷୟ ହେବାକୁ ଯାଉଛି। ଏପରି କ୍ଷେତ୍ରରେ ଗୋ-ସଂପଦର ସୁରକ୍ଷା ଜରୁରୀ। ସେ ଆହୁରି ମଧ୍ୟ କହିଥିଲେ ଯେ  ନେପାଳର ପଶୁପତିନାଥ ଓ ଓଡ଼ିଶାର ଜଗନ୍ନାଥଙ୍କ ସାଂସ୍କୃତିକ ସଂପର୍କ ଅତି ନିବିଡ଼। ଭାରତୀୟ ସଂସ୍କୃତି ମହାନତାର ସଂଗ୍ରହାଳୟ। ଗୋମାତା ପୂଜନ ସନାତନ ଧର୍ମ ହିନ୍ଦୁ ସଂସ୍କୃତିର ମୂଳ ପରିଚାୟକ। ଏପରି କ୍ଷେତ୍ରରେ ବିଶ୍ୱରେ ଗୋ-ସଂପଦର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ସଂଗଠନ ‘ଶ୍ରୀ ମାର୍ଗ’ ଓ ‘ଓ୍ଵାଓ କାଓ’ ମିସନର ପ୍ରଚେଷ୍ଟା ସମସ୍ତଙ୍କ ପାଇଁ ଶୁଭଙ୍କର ବୋଲି ଶ୍ରୀ ଜ୍ଞାନେନ୍ଦ୍ର କହିଥିଲେ।

ଏହି ଅବସରରେ ମହାରାଜା ଗୋବିନ୍ଦ ଗୋ ମାତା ମନ୍ଦିରର ଶିଳାନ୍ୟାସ ଏବଂ ଗୋଶାଳାର ଉଦ୍‌ଘାଟନ ମଧ୍ୟ କରିଥିଲେ। ଏଥିସହିତ ଗୋ ମାତାମାନଙ୍କୁ ସମ୍ବର୍ଧନା ଓ ବନ୍ଦାପନା କରଥିଲେ। ଏହି କାର୍ଯ୍ୟକ୍ରମର ଆୟୋଜକ ହିନ୍ଦୁ ପରମ୍ପରା ତଥା ସଂସ୍କୃତିର ପ୍ରଚାର ପ୍ରସାର ଏବଂ ଗୋମାତାର ଉପଯୋଗିତାକୁ ଲୋକପ୍ରିୟ କରାଇବା ପାଇଁ କାର୍ଯ୍ୟ କରୁଥିବା ‘ଶ୍ରୀ ମାର୍ଗ’ର ସଂପାଦକ ଶିବାଶିଷ ଶତପଥୀ ଓ ମୁଖ୍ୟ ପୃଷ୍ଠପୋଷକ ଦୀପ୍ତିରଂଜନ ମାର୍ଥାଙ୍କୁ ମହାରାଜା ପ୍ରଶଂସା କରିଥିଲେ। ନରେଶଙ୍କ ଆଗମନରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଭବ୍ୟ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ନେପାଳ ନରେଶଙ୍କ ସହ ରାଜଗୁରୁ ଅମିତ୍‌ ଶାସ୍ତ୍ରୀ, ସେନାମୁଖ୍ୟ ଏବଂ ରାଜବଂଶର ଅନ୍ୟାନ୍ୟ ସଦସ୍ୟଗଣ ଏହି କାଯ୍ୟର୍କ୍ରମରେ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe