ବିନା ଇଣ୍ଟରନେଟ୍‌ରେ ମୋବାଇଲ ବ୍ୟାଙ୍କିଙ୍ଗ, ରାଉରକେଲା ପୁଅଙ୍କ ନୂଆ ଆବିଷ୍କାର

Advertisment
ବିନା ଇଣ୍ଟରନେଟ୍‌ରେ ମୋବାଇଲ ବ୍ୟାଙ୍କିଙ୍ଗ, ରାଉରକେଲା ପୁଅଙ୍କ ନୂଆ ଆବିଷ୍କାର

ରାଉରକେଲା: ଏବେ ସବୁକିଛି ଡିଜିଟାଇଜେସନ ହେଲାଣି। ବିଶେଷକରି ଅର୍ଥ ଲେଣଦେଣ କାରବାର ମୋବାଇଲ୍ ବ୍ୟାଙ୍କିଙ୍ଗ, ଅନଲାଇନ୍ ବ୍ୟାଙ୍କିଂ ଚାହିଦା ସର୍ବାଗ୍ରେ। ତେବେ ଏଥିପାଇଁ ଇଣ୍ଟରନେଟ୍ ସଂଯୋଗ ଅନିବାର୍ଯ୍ୟ। ଆଜି ବି ଦେଶର ମୋଟ୍ ଜନସଂଖ୍ୟାର ଦୁଇ ତୃତୀୟାଂଶ ଲୋକ ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳରେ ବାସ କରୁଥିବାରୁ ପ୍ରାୟ ୪୦% ଲୋକ ଇଣ୍ଟରନେଟ୍ସେବାରୁ ବଞ୍ଚିତ ଅଛନ୍ତି। ଏଣୁ ଏମାନେ ମୋବାଇଲ୍ ବ୍ୟାଙ୍କଂ/ଅନଲାଇନ ବ୍ୟାଙ୍କିଂରୁ ଅନିଚ୍ଛାସତ୍ତ୍ବେ ଦୂରେଇ ରହୁଛନ୍ତି। ଇଣ୍ଟରନେଟ ସେବା ଅପହଞ୍ଚ ଇଲାକାର ଲୋକଙ୍କୁ ଅନାୟାସରେ ଅର୍ଥଲେଣଦେଣ କରାଇବାକୁ ‘ଅଫ ୱାଲେଟ’ ଟେକ୍ନୋଲୋଜି ବିକଶିତ କରିଛନ୍ତି। ଏହି ଆପ୍ ଉଭୟ ଇଣ୍ଟରନେଟ୍ ପହଞ୍ଚ ଓ ଇଣ୍ଟରନେଟ୍ ଅପହଞ୍ଚ ଅଞ୍ଚଳର ଲୋକଙ୍କ ମଧ୍ୟରେ ଏକ ସେତୁ ଭଳି କାମ କରିବ। ଏହା କେବଳ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଆର୍ଥିକ ନେଣଦେଣ ନୁହେଁ, ସରକାରଙ୍କ ସ୍ବାସ୍ଥ୍ୟସେବା, କୃଷି, ଜରୁରୀକାଳୀନ ସେବା, ଇ-ଗଭର୍ଣ୍ଣାନ୍ସ, ଲଜିଷ୍ଟିକ, ରିଅଲ ଇଷ୍ଟେଟ ଭଳି ଆହୁରି ଅନେକ ଜନହିତକାରୀ ଯୋଜନାକୁ ଅପହଞ୍ଚ ଇଲାକାର ଲୋକଙ୍କ ପାଖରେ ପହଞ୍ଚାଇବ। ଦେଶର ଅସଂଖ୍ୟ ଜନସାଧାରଣଙ୍କୁ ଡିଜିଟାଲ ପ୍ଲାଟଫର୍ମକୁ ଆଣିବା ଉଦ୍ଦେଶ୍ୟରେ ଷ୍ଟାର୍ଟଅପ୍ ‘ବେଟାବିଲ୍ଡସ ଟେକ୍ନୋଲୋଜି’ ଏହି ଅଭିନବ ଆପ୍ ‘ଅଫ୍ ୱାଲେଟ୍’ ସୃଷ୍ଟି କରିଛି। ଏହାର ସ୍ରଷ୍ଟା ହେଉଛନ୍ତି ୩ ବନ୍ଧୁ ରାଉରକେଲାର ପ୍ରତୀକ ଅଗ୍ରୱାଲ, ମୁମ୍ବାଇ ର ନିର୍ମେଶ ରାଜ୍ୟଗୁରୁ ଓ ବେଙ୍ଗାଲୁରୁ ର ସମୀର ଦାଶ।

‘ଅଫ୍ ୱାଲେଟ’ ଆପ୍ଲିକେସନ ଗତବର୍ଷ ପେଟେଣ୍ଟ ହାସଲ କରିଥିଲା। ୨୦୧୯ ମସିହାରେ ଏକ ପାର୍ଟନରସିପ ଫାର୍ମରୁ ଆରମ୍ଭ ହୋଇଥିବା ଏହି କମ୍ପାନି ଇତିମଧ୍ୟରେ ପ୍ରାଇଭେଟ ଲିମିଟେଡ୍ କମ୍ପାନିରେ ପରିଣତ ହୋଇସାରିଛି। ପ୍ରତୀକ ଓ ନିର୍ମେଶ କମ୍ପାନିର ନିର୍ଦ୍ଦେଶକ ଥିବାବେଳେ ସମୀର କମ୍ପାନିର ବୈଷୟିକ ପରାମର୍ଶଦାତା ଦାୟିତ୍ୱ ତୁଲାଉଛନ୍ତି। ଡିଜିଟାଲ ଇଣ୍ଡିଆ ପ୍ରୟାସକୁ ସୁଦୃଢ଼ କରିବାକୁ ପ୍ରଶଂସନୀୟ ଉଦ୍ୟମ ପାଇଁ କମ୍ପାନି ଗୋଟିଏପରେ ଗୋଟିଏ ଉପଲବ୍ଧି, ପ୍ରଶଂସା ଗୋଟାଇଚାଲିଛି। ଇତିମଧ୍ୟରେ ଷ୍ଟାର୍ଟ୍ଅପ୍ ଓଡିଶା, ଷ୍ଟାର୍ଟଅପ୍ ଇଣ୍ଡିଆ, ଏନଆଇଟି ନାଳନ୍ଦାର ଅଟଳ ଇନକ୍ୟୁବେସନ ସେଣ୍ଟର, ୟୁଏନ୍ଡିପି ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଛି। ଏହାସହ ନ୍ୟାସନାଲ ପ୍ରଡକ୍ଟ କନକ୍ଲେଭରେ ନାସ୍କମ୍ ଆୟୋଜିତ ‘ଇଣ୍ଡିଆ ଫିନଟେକ ଆୱାର୍ଡ୍ସ’ର ବିଜେତା ହେବା ସହ କା୍ଜ ଇମ୍ପାକ୍ଟ ସୃଜନୀ, ଫିନ ବ୍ଲୁ ଏସଟିପିଆଇ, ଆମାଜନ ସମ୍ଭବ ଉଦ୍ୟୋଗୀ ଓ ଲେମନ ଆଇଡିଆଜ୍ ପ୍ରକାଶିତ ୧୫ ରାଜ୍ୟର ‘ଶ୍ରେଷ୍ଠ ୬୦ ହିଡେନ ଜୁଏଲ’ ତାଲିକାରେ ସ୍ଥାନିତ ହୋଇଛି କମ୍ପାନି।

publive-image

ତେବେ ଡିଜିଟାଲ ଇଣ୍ଡିଆ ପ୍ରୟାସକୁ ଦେଶର ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ ନେଇ କମ୍ପାନିର ଯେଉଁ ମୂଳଦୁଆ ପଡ଼ିଥିଲା, ତା’ପଛରେ ଏକ ରୋଚକ କାହାଣୀ ଥିବା କହିଛନ୍ତି ପ୍ରତୀକ। ୨୦୧୬ ମସିହାରେ ନିଜ ଗାଁ ରେ ଥିବାବେଳେ ନେଟୱାର୍କ ନଥିବା ଯୋଗୁଁ ତାଙ୍କୁ ଫୋନ୍କଲ ପାଇଁ ୪/୫ କିମି ଯିବାକୁ ପଡ଼ୁଥିଲା। ଏକ ଜରୁରୀ ସମୟରେ ବନ୍ଧୁଙ୍କ ପାଖକୁ ଅର୍ଥ ପଠାଇବା ପାଇଁ ମଧ୍ୟ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲି। ଏହାପରେ ଦୁଇ ବନ୍ଧୁ ନିର୍ମେଶ ଓ ସମୀରଙ୍କ ସହ ଆଲୋଚନା କରି ସମସ୍ୟାର ବାଟ କାଢ଼ିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏକାଧିକ ଗାଁରେ ବୁଲିବା ପରେ ସମସ୍ୟା ଅତ୍ୟ ଉଦ୍ବେଗଜନକ ଥିବା ଅନୁଭୂତ ହୋଇଥିଲା। ଏହାପରଠାରୁ ଗବେଷଣା ଜାରି ରହିଥିଲା ଓ ଶେଷରେ ଏହାର ସମାଧାନ ଖୋଜି ବାହାର କରିପାରିଛୁ। କେବଳ ମେସେଜ୍ ମାଧ୍ୟମରେ ଏହି ଅସମ୍ଭବକୁ ସମ୍ଭବ କରିହେବ। ଜଣେ ହିତାଧିକାରୀ ମେସେଜ୍ ଦେଲାପରେ ଆମ ଟେକ୍ନୋଲୋଜି ହିଁ ବାକିସବୁ ଆବଶ୍ୟକୀୟ କାର୍ଯ୍ୟ ସଂପନ୍ନ କରିବବୋଲି କହିଛନ୍ତି।

ତେବେ ଏଥିପାଇଁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ଆଗକୁ ୫ ମିଲିଅନ ବ୍ୟବହାରକାରୀଙ୍କ ପାଇଁ ପାଇଲଟ ପ୍ରୋଜେକ୍ଟ ଲକ୍ଷ୍ୟ ଥିବାବେଳେ ଆହୁରି ଉଚ୍ଚକୋଟିର ବୈଷୟିକ ଭିତ୍ତିଭୂମି ସହ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଚୁର ପୁଞ୍ଜିର ଆବଶ୍ୟକତା ରହିଛି। ଏଥିପାଇଁ ଆମେ ଷ୍ଟ୍ରାଟେଜିକ୍ ପାର୍ଟନର କିମ୍ବା ଜଏଣ୍ଟ୍ ଭେଞ୍ଚର ସନ୍ଧାନରେ ଅଛୁବୋଲି କହିଛନ୍ତି ‘ବେଟାବିଲ୍ଡସ ଟେକ୍ନୋଲୋଜି’ର ପ୍ରତିଷ୍ଠାତା ପ୍ରତୀକ ଅଗ୍ରୱାଲ। ଝାରସୁଗୁଡ଼ା ଜିଲ୍ଲା ତାଲପଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ପ୍ରତୀକ ପିଲାଟି ଦିନରୁ ରାଉରକେଲାରେ ଜଣେ ସଂପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ରାଉରକେଲା ସ୍ଥିତ ଇଣ୍ଡୋ ଇଂଲିଶ୍ ସ୍କୁଲରୁ ମାଟ୍ରିକ୍, ସ୍ଥାନୀୟ ମ୍ୟୁନିସିପାଲ କଲେଜରେ ବାଣିଜ୍ୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଏବଂ ପୁନେରେ ଏମ୍ବିଏ ଶିକ୍ଷାଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe