ସମୟରେ ଶେଷହେଲାନି ନେତାଜୀ ବସ୍‌ ଟର୍ମିନାଲ

Advertisment
ସମୟରେ ଶେଷହେଲାନି ନେତାଜୀ ବସ୍‌ ଟର୍ମିନାଲ

କଟକ : ଅତ୍ୟାଧୁନିକ ‌ଖାନନଗର ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ଚଳିତବର୍ଷ ଜୁନ୍‌ ଶେଷକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ମାତ୍ର, କଣ୍ଟ ପୂରିଥିଲେ ବି ପ୍ରକଳ୍ପ କାମ ୪୦ ପ୍ରତିଶତ ଶେଷହୋଇଛି। ଦେଢ଼ବର୍ଷ ମଧ୍ୟରେ ଅର୍ଥାତ୍‌ ଚଳିତ ମାସ ଶେଷସୁଦ୍ଧା କାମ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ଥିବାବ‌େଳେ ପ୍ରକଳ୍ପ କାମ ଆହୁରି ୬ ମାସରୁ ଅଧିକ ଦିନ ଲାଗିବ ବୋଲି ସୂଚନା ଦିଆଯାଇଛି।

୨୦୨୧ ଜାନୁଆରି ୨୩ ତାରିଖ ତଥା ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ପାଇଁ ପ୍ରଥମେ ୬୫ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିଲା। ମାତ୍ର ପରେ ଏହାକୁ ୧୯ କୋଟି ବଢାଇ ମୋଟ ୮୪ କୋଟି ଟଙ୍କା କରାଯାଇଛି। ପ୍ରଶାସନ ପକ୍ଷରୁ ପ୍ରକଳ୍ପର ନିର୍ମାଣ ପାଇଁ ୨୦୨୧ ଫେବୁଆରି ଓ ମାର୍ଚ୍ଚରେ ଏକାଧିକ ନିର୍ମାଣକୁ ଉଚ୍ଛେଦ କରାଯାଇଥିଲା। ସେଥିମଧ୍ୟରେ ସିଏମ୍‌ସିର କେନ୍ଦ୍ରୀୟ ବିଶ୍ବନାଥ ପାଠାଗାର, ଚାରା ବିକ୍ରି କେନ୍ଦ୍ର, ୨୪ଟି କ୍ବାର୍ଟର୍ସ, ରାତ୍ର ଆଶ୍ରୟସ୍ଥଳୀ , ଏମ୍‌ସିସି ପଏଣ୍ଟ, ଖାନନଗର ବାଳିକା ହାଇସ୍କୁଲ ପରି ଏକାଧିକ ବିଷୟ ଥିଲା। ଟର୍ମିନାଲ ନିର୍ମାଣ ଦାୟିତ୍ବ ନେଇଥିବା ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ୍‌ କର୍ପୋରେସନ୍‌ (ଓବିସିସି)କୁ ୧୨ ଏକର ଜମି ପ୍ରଶାସନ ପକ୍ଷରୁ ଗତବର୍ଷ ଏପ୍ରିଲରେ ହସ୍ଥାନ୍ତର କରାଯାଇଥିଲା। ଉକ୍ତ ଅଞ୍ଚଳକୁ ଲୁହା ପ୍ଲେଟ୍‌ରେ ଆବାଦ କରି ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏହାମଧ୍ୟରେ ତିନି ମହଲାର ଟର୍ମିନାଲ ବିଲଡିଂ, ୧୮୦ଟି ବସ୍‌ ରହିବା ପାଇଁ ପାକିଂ ସ୍ଥାନ, ୨ ଏକର ଜମି ଉପରେ ସପିଂମଲ, ଯାତ୍ରୀ ବିଶ୍ରାମାଗାର, ୪ ଓ ୩ ଚକିଆ ଗାଡି ପାକିଂ ସ୍ଥାନ, ଗାଡି ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ ପରି ବହୁ ବିଷୟ ରହିଛି।

ତେବେ ପ୍ରକଳ୍ପ ଶେଷ ହେବାକୁ ଲକ୍ଷ୍ୟ ଥିବା ସମୟ ମଧ୍ୟରେ କେବଳ ପାଚେରି ନିର୍ମାଣ କାମ ସଂପୂର୍ଣ୍ଣ ହୋଇଥିବା ବେଳେ ତିନି ମହଲା ଟର୍ମିନାଲ ବଲଡିଂର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ ହୋଇଥିବା ବେଳେ ଆଉ ଦ୍ବିତୀୟ ମହଲା କାମ ଆରମ୍ଭ ହୋଇଛି। ସେହିପରି ୧୮୦ଟି ବସ୍‌ ରହିବା ପାଇଁ ଏହା ମଧ୍ୟରେ ୫ଟି ପାର୍କିଂ ସ୍ଥାନର ମୂଳଦୁଆ ପଡ଼ି ପିଲ୍‌ର କାମ ଚାଲିଛି। ଏବେ ସୁଦ୍ଧା ପ୍ରକଳ୍ପର ୪୦ ପ୍ରତିଶତ କାମ ଶେଷ ହୋଇଥିବାବେଳେ ବାକି ୬୦ ପ୍ରତିଶତ କାମ ବାକି ରହିଛି। ଉକ୍ତ କାମକୁ ଆସନ୍ତା ୬ମାସ ତଥା ଡିସେମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ଓବିସିସି ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ଓବିସିସିର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମାନସ ସେଠୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe