ପିଆରଏମ୍‌ରେ ଶିଶୁ ଅଦଳବଦଳ ଘଟଣାର ପୂର୍ଣ୍ଣଚ୍ଛେଦ: ଜନ୍ମଦାତ୍ରୀ ମା’ କୋଳକୁ ଫେରିଲା ଜୀବିତ ଶିଶୁ

ବନ୍ଧବାଡ଼ ମାନିଲାନି ମା’ର ମମତା, ଆନନ୍ଦାଶ୍ରୁରେ ପୂର୍ଣ୍ଣ ହେଲା ଆଖି, କୋର୍ଟ ରାୟ ପରେ ଫିଟିଲା ସମାଧାନର ବାଟ

ପିଆରଏମ୍‌ରେ ଶିଶୁ ଅଦଳବଦଳ ଘଟଣାର ପୂର୍ଣ୍ଣଚ୍ଛେଦ: ଜନ୍ମଦାତ୍ରୀ ମା’ କୋଳକୁ ଫେରିଲା ଜୀବିତ ଶିଶୁ

ବାରିପଦା: ପ୍ରାୟ ଶହେ ଦିନରୁ ଉର୍ଦ୍ଧ୍ଵ ସମୟ ପରେ ବହୁଚର୍ଚ୍ଚିତ ପିଆରଏମ୍‌ ମେଡିକାଲ୍‌ ଶିଶୁ ଅଦଳବଦଳ ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଜନ୍ମଦାତ୍ରୀ ମା’ ରାଇବରୀ ଏବଂ ପିତା ବ୍ରଜମୋହନ ସିଂ’ଙ୍କ କୋଳକୁ ଫେରିଛି ଜୀବିତ ଶିଶୁ। ଦୀର୍ଘଦିନ ହେବ ପିଆରଏମ୍‌ରେ ଥିବା ଜୀବିତ ଶିଶୁଟିକୁ ଜନ୍ମଦାତା ପିତାମାତାଙ୍କୁ ଫେରାଇବାକୁ ଚଳିତ ମାସ ୩ ତାରିଖରେ ବାରିପଦା ଜିଲ୍ଲା ଦେରାଜଜ୍‌ ରାୟ ଦେଲାପରେ ଏହା ସମ୍ଭବ ହୋଇଛି।

ଗତକାଲି ପିଆରଏମ ହସ୍ପିଟାଲରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ବ୍ରଜମୋହନ ଏବଂ ରାଇବରୀ ତାଙ୍କର ଶିଶୁ ପୁତ୍ରକୁ ଘରକୁ ନେଇଥିଲେ। ଏହି ଅବସରରେ କିନ୍ତୁ ମା’ର ମମତା ବନ୍ଧବାଡ଼ ମାନିନଥିଲା। ଆଖିରୁ ଅବିରତ ଗଡ଼ିପଡ଼ୁଥିଲା ଆନନ୍ଦାଶ୍ରୁ। ନିଜ ଅନ୍ତଫାଡ଼ି ଜନ୍ମ କରିଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସାମାନ୍ୟ ଅସାବଧନତା କାରଣରୁ ପ୍ରାୟ ୧୨୦ ଦିନ ହେବ ନିଜ ଛୁଆକୁ ଭଲରେ କୋଳରେ ଧରିପାରିନଥିଲେ ରାଇବରୀ।

ତେବେ ନିଜ ଛୁଆକୁ ଘରକୁ ନେଇ ବେଶ୍‌ ପ୍ରଫୁଲ ଥିଲେ ଉଭୟ ପତି ପତ୍ନୀ। ଦୀର୍ଘ ଦିନର ସଂଘର୍ଷ ଏବଂ ନ୍ୟାୟିକ ଲେଇର ଫଳ ମିଳିଥିବା ପ୍ରକାଶ। ଜୀବିତ ଶିଶୁର ଡିଏନ୍‌ଏ ରିପୋର୍ଟ ବ୍ରଜମୋହନ ଏବଂ ରାଇବରି ସିଂ’ଙ୍କ ସହିତ ମିଶୁଥିବାରୁ ଉକ୍ତ ଶିଶୁଙ୍କୁ ତାଙ୍କୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଦୀର୍ଘ ୪ ମାସ ହେବ ପିଆରଏମ୍‌ ମେଡିକାଲରେ ସଂରକ୍ଷିତ ହୋଇ ରହିଥିବା ମୃତ ଶିଶୁର ବ୍ୟବଚ୍ଛେଦ ପରେ ପ୍ରଶାସନ ପକ୍ଷରୁ ତା’ର ଶେଷକୃତ୍ୟ କରାଯାଇଛି। ମୃତ ଶିଶୁଟି କିନ୍ତୁ ନିଜ ଜନ୍ମକଲା ପିତାମାତାଙ୍କ ପାଖକୁ ଫେରିପାରିନି। କୋର୍ଟ ମଧ୍ୟ ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହିତ ଦୁଃଖ ପ୍ରକାଶ କରିଥିଲେ। କାରଣ ଉକ୍ତ ମୃତ ଶିଶୁକୁ ନେବାକୁ କେହି ମଧ୍ୟ ଆଗେଇ ଆସି ନ ଥିଲେ।

publive-image

ଉଲ୍ଲେଖଯୋଗ୍ୟଯେ ମେ ୧୧ରେ ପିଆରଏମ୍‌ ମେଡିକାଲ୍‌ରେ ଏହି ଶିଶୁ ଅଦଳବଦଳ ଘଟଣା ପଦାକୁ ଆସିଥିଲା। ଉଭୟ ଶିଶୁଙ୍କ ମା’ ନାମ ରାଇବରୀ ସିଂ ସମାନ ଥିବାରୁ ଦ୍ଵନ୍ଦ୍ୱ ଉପୁଜିଥିଲା। ଏପ୍ରିଲ୍‌ ମାସ ୨୬ରେ ଶ୍ୟାମାଖୁଣ୍ଟା ବ୍ଲକ୍‌ ଅନ୍ତର୍ଗତ ପୋଡ଼ାଅସ୍ତିଆ ଜାମବଣି ଗ୍ରାମର କାର୍ତ୍ତିକ ସିଂ’ଙ୍କ ପତ୍ନୀ ରଇବାରୀ ପିଆରଏମ୍‌ରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁର ଅବସ୍ଥା ଭଲନଥିବାରୁ ତାଙ୍କୁ ଶିଶୁ ବିଭାଗର ଏସ୍‌ଏନସିୟୁରେ ରଖାଯାଇଥିଲା।

ଅନ୍ୟପକ୍ଷରେ ଶ୍ୟାମାଖୁଣ୍ଟା ବ୍ଲକ୍‌ ପୋଡ଼ାଅସ୍ତିଆ ଅନ୍ତର୍ଗତ ଧାଡ଼ଧୁଡ଼ ଗ୍ରାମର ବ୍ରଜମୋହନ ସିଂଙ୍କ ପତ୍ନୀ ରଇବାରୀ ମଧ୍ୟ ଚଳିତ ମାସ ୪ ତାରିଖରେ ପିଆରମ୍‌ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ବ୍ରଜମୋହନଙ୍କର ୪ରେ ପୁଅ ହୋଇଥିବାବେଳେ ୫ରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ଉକ୍ତ ଶିଶୁଟି ମଧ୍ୟ ଏସ୍‌ଏନସିୟୁରେ ଥିଲା। ମାତ୍ର ଡିସ୍‌ଚାର୍ଜ ସମୟରେ ବ୍ରଜମୋହନଙ୍କ ଶିଶୁପୁତ୍ରଙ୍କୁ କାର୍ତ୍ତିକଙ୍କୁ ପ୍ରଦାନ କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱିକାର କରିଥିଲେ।

ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ କାର୍ତ୍ତିକ ଜାଣିଶୁଣି ନିଜ ପୁଅକୁ ଛାଡ଼ି ବ୍ରଜମୋହନଙ୍କ ପୁଅକୁ ନେଇଯାଇଥିଲେ। ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ କିପରି ଏପରି ବେପରୁଆ ଭାବେ କିଛି ଅନୁସନ୍ଧାନ ନକରି ଜଣଙ୍କ ସନ୍ତାନଙ୍କୁ ଅନ୍ୟଜଣଙ୍କୁ ଦେଲେ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ତେବେ ସମସ୍ୟା ଉପୁଜିଥିଲା ଯେତେବେଳେ ୨୬ ତାରିଖରେ ଜନ୍ମ ହୋଇଥିବା ଶିଶୁପୁତ୍ରଟି ମେ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ। ଏସ୍‌ଏନସିୟୁରେ ଥିବା ଉକ୍ତ ଶିଶୁପୁତ୍ରର ଯୋଗାଯୋଗ ନମ୍ବରରେ କାର୍ତ୍ତିକଙ୍କର ନମ୍ବର ଥିଲା। ତେଣୁ ମୃତ ଶିଶୁପୁତ୍ରକୁ ନେଇଯିବାକୁ କାର୍ତ୍ତିକଙ୍କୁ ଶିଶୁ ବିଭାଗରୁ ଫୋନ୍‌ ଯାଇଥିଲା। ମାତ୍ର କାର୍ତ୍ତିକ ନିଜର ଶିଶୁପୁତ୍ର ସୁସ୍ଥଥିବା ଏବଂ ଘରେ ଥିବା କହିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା। ଏହି ଘଟଣା ପାଇଁ କାର୍ତ୍ତିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଧାରଣା ଦିଆଯାଇଥିଲା। ଘଟଣାକୁ ନେଇ ବାରିପଦାରେ ବେଶ୍‌ କିଛି ଦିନ ଉତ୍ତେଜନା ଲାଗିରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe