ରାସ୍ତାକଡ଼ରୁ ମିଳିଲା ଆଉ ଏକ ଶିଶୁପୁତ୍ର: ଦେଢ଼ମାସରେ ୩ ନବଜାତ ଉଦ୍ଧାର

ଖେଳୁଥିବା ବେଳେ ପୋଖରୀରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ

The Indian Express

ସୁବଳୟା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାପୁର ବ୍ଲକ୍‌ ବଡ଼ଖମାର ଗାଁ ରାସ୍ତାକଡ଼ରୁ ଶନିବାର ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଏହାକୁ ମିଶାଇ ଗତ ଦେଢ଼ମାସ ମଧ୍ୟରେ ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରୁ ୩ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ବଡ଼ଖମାରସ୍ଥିତ ଆର୍‌ଏମ୍‌ସି ବଜାର ପ୍ରାଙ୍ଗଣ ନିକଟ ରାସ୍ତାକଡ଼ ଦେଇ ଶନିବାର ସକାଳେ ଉଲୁଣ୍ଡା ବ୍ଲକ୍‌ ନୂଆଁପାଲି ଗାଁର ସଞ୍ଜୀବ ପ୍ରଧାନ ଓ ବାଘପାଲିର ଅଶୋକ ସାହୁ ବାଇକ୍‌ ଯୋଗେ ରେଢ଼ାଖୋଲ ଯାଉଥିଲେ। ସୁବଳୟା ଥାନା ଅନ୍ତର୍ଗତ ବଡ଼ଖମାରସ୍ଥିତ ଆର୍‌ଏମ୍‌ସି ରାସ୍ତାକଡ଼ ପୋଲ ନିକଟରେ ଏକ ଶିଶୁ କାନ୍ଦୁଥିବା ସେମାନେ ଶୁଣିବାକୁ ପାଇଥିଲେ। ହେଲେ ସେଠାରେ କେହି ନଥିବାରୁ ଉଭୟେ ଅଟକିଥିଲେ। ନିକଟରେ ଶିଶୁପୁତ୍ରଟି ପଡ଼ି କାନ୍ଦୁଥିବା ଦେଖି ତାକୁ ଉଦ୍ଧାର କରିଥିଲେ। ତାକୁ କେହି ଛାଡ଼ି ପଳାଇଥିବା ଭାବି ବୀରମହରାଜପୁର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ। ଶିଶୁଟି ସଂପୂର୍ଣ୍ଣ ଭାବେ ସୁସ୍ଥ ଥିବା ବେଳେ କ୍ଷୀର ମଧ୍ୟ ପିଇଥିଲା। ଶିଶୁର ଓଜନ ୨ କେଜି ୯୦୦ ଗ୍ରାମ୍‌ ଏବଂ ବୟସ ପ୍ରାୟ ଦେଢ଼ମାସ ହେବ ବୋଲି ଡାକ୍ତର କହିଛନ୍ତି। ପରେ ବୀରମହାରାଜପୁର ଥାନାକୁ ଖବର ଦେଇ ଶିଶୁକୁ ସୁବର୍ଣ୍ଣପୁର ସ୍ଥାନାନ୍ତର କରାଯାଇଥିଲା। ଶିଶୁ ମଙ୍ଗଳ ସମିତିକୁ ସୂଚନା ଦେଇ ଶିଶୁର ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରଖାଯାଇଛି। ରବିବାର ଶିଶୁକୁ ସ୍ଥାନୀୟ ସ୍ୱତନ୍ତ୍ର ପୋଷ୍ୟସଂସ୍ଥାକୁ ସ୍ଥାନାନ୍ତର କରାଯିବ ବୋଲି ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା କହିଛନ୍ତି। ଶିଶୁର ଚିକିତ୍ସା ସମୟରେ ବ୍ଲକ୍‌ ଉପାଧ୍ୟକ୍ଷ ନାରାୟଣ ଲୁହା, ସାମ୍ବାଦିକ ଶେଷଦେବ ବାରିକ ଓ ରବୀନ୍ଦ୍ର ହୋତା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ପ୍ରାୟ ଦେଢ଼ମାସ ଆଗରୁ ସୁବଳୟା ଥାନା ଟେଭାପଦର ଗାଁ ରାସ୍ତାକଡ଼ରୁ ଏବଂ ଗତ ଅକ୍ଟୋବର ୩୧ ତାରିଖ ଦିନ ଉଲୁଣ୍ଡା ବ୍ଲକ୍‌ ମାଟିଖାଇରୁ ମଧ୍ୟ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe