ଓଡ଼ିଶା ହକିରେ ନୂଆ ଅଧ୍ୟାୟ: ପ୍ରଥମଥର ଜାତୀୟ ବିଜେତା, ହରିୟାଣାକୁ ୫-୧ରେ ହରାଇଲା

ଦୁଇ ବର୍ଷ ତଳେ ମହିଳା ଦଳ ଦେଖାଇଥିବା ରାସ୍ତାକୁ ଏବେ ଓଡ଼ିଶା ପୁରୁଷ ହକି ଦଳ ଅତିକ୍ରମ କରିଛି। ୨୦୨୨ରେ ପ୍ରଥମ ଥର ଓଡ଼ିଶା ମହିଳା ଦଳ ଜାତୀୟ ବରିଷ୍ଠ ହକି ପ୍ରତିଯୋଗିତାରେ ବିଜେତା ହୋଇଥିଲା।

hfhfkfhkhfk

ଭୁବନେଶ୍ବର: ଦୁଇ ବର୍ଷ ତଳେ ମହିଳା ଦଳ ଦେଖାଇଥିବା ରାସ୍ତାକୁ ଏବେ ଓଡ଼ିଶା ପୁରୁଷ ହକି ଦଳ ଅତିକ୍ରମ କରିଛି। ୨୦୨୨ରେ ପ୍ରଥମ ଥର ଓଡ଼ିଶା ମହିଳା ଦଳ ଜାତୀୟ ବରିଷ୍ଠ ହକି ପ୍ରତିଯୋଗିତାରେ ବିଜେତା ହୋଇଥିଲା। ଏବେ ଓଡ଼ିଶା ପୁରୁଷ ହକି ଦଳ ସେହି ଅପୂର୍ବ ସଫଳତାକୁ ପ୍ରଥମ ଥର ଅର୍ଜନ କରିଛି। ତାମିଲନାଡୁର ଚେନ୍ନାଇରେ ଶନିବାର ଶେଷ ହୋଇଥିବା ୧୪ତମ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତାର ଫାଇନାଲରେ ଓଡ଼ିଶା ଏକତରଫା ଭାବେ ୫-୧ ଗୋଲ୍‌ରେ ୨ ଥର ବିଜେତା ହରିୟାଣାକୁ ପରାସ୍ତ କରି ଏହି ଗୌରବ ଆଣିଛି। ଶୁକ୍ରବାର ଓଡ଼ିଶା ଦଳ ସେମିଫାଇନାଲ୍‌ରେ ୪-୨ ଗୋଲ୍‌ରେ ମଣିପୁରକୁ ପରାସ୍ତ କରି ଫାଇନାଲ୍ ଆସିଥିଲା। ଏହା ପୂର୍ବରୁ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ରେ କାଂସ୍ୟ ପଦକରେ ସୀମିତ ରହିଥିଲା। ଏହି ବିଜୟ ସହ ଓଡ଼ିଶା ମଧ୍ୟ ଗତବର୍ଷର କ୍ବାର୍ଟରଫାଇନାଲ୍‌ ପରାଜୟର ପ୍ରତିଶୋଧ ନେଇଛି। ୨୦୨୩ ସସ୍କରଣରେ ଓଡ଼ିଶା-ହରିୟାଣା କ୍ବାର୍ଟରଫାଇନାଲ୍ ନିର୍ଦ୍ଧାରିତ ସମୟରେ ୨-୨ ଗୋଲରେ ଶେଷ ହେବା ପରେ ହରିୟାଣା ସୁଟ୍‌ଆଉଟ୍‌ରେ ୩-୨ରେ ଜିତିଯାଇଥିଲା। ‌ହରିୟାଣା ବିପକ୍ଷରେ ହକି ଓଡ଼ିଶାର ଏହା ପ୍ରଥମ ବିଜୟ। ୨୦୨୨ରେ ଉଭୟ ଦଳର ମୁକାବିଲା ୪-୪ରେ ଡ୍ର’ ରହିଥିଲା। ଫାଇନାଲ୍‌ରେ ହ୍ୟାଟ୍ରିକ୍‌ ଗୋଲ୍‌ ଦେଇଥିବା ଶିଳାନନ୍ଦ ଲାକ୍ରାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି। ଶନିବାରର ଅନ୍ୟ ଏକ ମୁକାବିଲାରେ ଉତ୍ତରପ୍ରଦେଶ ୨-୧ ଗୋଲରେ ମଣିପୁରକୁ ପରାସ୍ତ କରି କାଂସ୍ୟ ପଦକ ଜିତିଛି।

ଶନିବାର ଅପରାହ୍ଣରେ ଖେଳାଯାଇଥିବା ଫାଇନାଲ୍‌ରେ ଓଡ଼ିଶାର ବିଜୟ ହୋଇଥିଲା ଅଭିଜ୍ଞ ଖେଳାଳି ଶିଳାନନ୍ଦ ଲାକ୍ରାଙ୍କ ହ୍ୟାଟ୍ରିକ୍ ଗୋଲ୍‌ରେ। ହୋଇଥିଲା। ମ୍ୟାଚ୍‌ର ଶେଷ କ୍ବାର୍ଟରରେ ଏହି ଅନ୍ତର୍ଜାତୀୟ ଖେଳାଳି ୪୮, ୫୭ ଓ ୬୦ ମିନିଟ୍‌ରେ କ୍ରମାଗତ ୩ ଗୋଲ୍ ଦେଇ ଐତିହାସିକ କ୍ଷଣକୁ ଚମତ୍କାର ଢଙ୍ଗରେ ଆଣି ଦେଇଥିଲେ। ପ୍ରଥମ କ୍ବାର୍ଟରରେ ରଜତ ଆକାଶ ତିର୍କୀ ୧୧ ମିନିଟ୍‌ରେ ଗୋଲ୍‌ ଦେଇ ଓଡ଼ିଶାକୁ ଅଗ୍ରଣୀ ଦେଇଥିଲେ। ଦ୍ବିତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟ ହେବାରୁ ମ୍ୟାଚ୍‌ ଅଧା ବେଳକୁ ଓଡ଼ିଶା ୧-୦ରେ ଆଗୁଆ ଥିଲା। ତୃତୀୟ କ୍ବାର୍ଟରରେ ପ୍ରତାପ ଲାକ୍ରା (୩୯ ମିନିଟ୍‌) ପେନାଲ୍‌ଟି ଷ୍ଟ୍ରୋକ୍‌ ଜରିଆରେ ଦ୍ବିତୀୟ ଗୋଲ୍‌ ଦେଇଥିଲା ବେଳେ ଚତୁର୍ଥ କ୍ବାର୍ଟରର ୪୮ ମିନିଟ୍‌ରେ ଶିଳାନନ୍ଦ ଲାକ୍ରା ଓଡ଼ିଶା ପାଇଁ ତୃତୀୟ ଗୋଲ୍‌ ସ୍କୋର କରିଥିଲେ। ତେବେ ଖେଳ ‌ଶେଷ ହେବାର ୫ ମିନିଟ୍‌ ପୂର୍ବରୁ ଯୋଗୀନ୍ଦର ସିଂହ ପେନାଲ୍‌ଟି କର୍ଣ୍ଣରରୁ ଗୋଟିଏ ଗୋଲ୍‌ ‌ଶୁଝିବାକୁ ସମର୍ଥ ହୋଇଥିଲେ। କିନ୍ତୁ ବହୁ ବିଳମ୍ବ ହୋଇସାରିଥିଲା। ୫୭ ଓ ୬୦ ମିନିଟରେ ଶିଳାନନ୍ଦଙ୍କ ଲଗାତାର ଗୋଲ୍‌ ଭାରତକୁ ୫-୧ରେ ଜିତାଇଥିଲା। ହରିୟାଣା ଏହି ମ୍ୟାଚ୍‌ରେ ୧୦ଟି ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ମାତ୍ର ଗୋଟିଏକୁ ସଫଳତାର ସହ ପୋଷ୍ଟ୍‌ ଭିତରେ ପହଞ୍ଚାଇ ପାରିଥିଲା। ସ୍ବର୍ଣ୍ଣ ଜିତିବା ପରେ ଓଡ଼ିଶା ହକି ଦଳ ରବିବାର ସକାଳେ ଭୁବନେଶ୍ବରରେ ପହଞ୍ଚି‌ବ।

ଓଡ଼ିଶା ଦଳର ଏହି ସଫଳତା ପରେ ରାଜ୍ୟ ଖେଳ ଦୁନିଆରେ ଖୁସିର ଲହରି ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଦଳର ଏହି ସଫଳତାକୁ ଐତିହାସିକ ମାଇଲଖୁଣ୍ଟ ଦର୍ଶାଇଛନ୍ତି ଏବଂ ଏହା ଅନେକଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ଦୁଇ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଓ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଏହି ସଫଳତାରେ ରାଜ୍ୟବାସୀ ଗର୍ବିତ ଓ ‌ଗୌରବାନ୍ବିତ ବୋଲି ଅଭିହିତ କରିଛନ୍ତି। ହକିର ଅନ୍ୟତମ ପ୍ରମୁଖ ପୃଷ୍ଠପୋ‌ଷକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶା ଦଳ ଏହି ବହୁ ପ୍ରତୀକ୍ଷିତ ସ୍ବର୍ଣ୍ଣ ବିଜୟ ଆଣିଥିବାରୁ ପ୍ରତି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହକି ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ଦିଲୀପ ତିର୍କି, ସମ୍ପାଦକ ସନାତନ ସାହୁ ମଧ୍ୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଦଳର ଅଧିନାୟକ ଦୀପସାନ୍ ତିର୍କି ଏବଂ ପ୍ରଶିକ୍ଷକ ବିଜୟ କୁମାର ଲାକ୍ରାଙ୍କୁ ଶ୍ରେୟ ମିଳିଛି। ରାଜ୍ୟର କ୍ରୀଡ଼ାପ୍ରେମୀମାନେ ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ଖୁସି ବ୍ୟକ୍ତ କରି ଏହି ଐତିହାସିକ କ୍ଷଣକୁ ଉପଭୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe