ଭୁବନେଶ୍ୱର: ଏଣିକି ପଦୋନ୍ନତି ପାଇଁ ଆଉ ସରକାରୀ କର୍ମଚାରୀଙ୍କୁ ବାର ଦୁଆର ହେବାକୁ ପଡିବ ନାହିଁ। ଦକ୍ଷ ଅଫିସରଙ୍କୁ ଠିକ୍ ସମୟରେ ପଦୋନ୍ନତି ମିଳିବ। ଏହାପୂର୍ବରୁ ଚଳିତ ନୂଆବର୍ଷରେ ଗୋଟିଏ ସପ୍ତାହରେ ୩୧୬୬ ଜଣ ସରକାରୀ ଅଫିସରଙ୍କୁ ପଦୋନ୍ନତି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।
ପୂର୍ବରୁ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତି କ୍ଷେତ୍ରରେ ହେଉଥିବା ଅହେତୁକ ବିଳମ୍ବ ଓ କର୍ମଚାରୀ ହଇରାଣ ହରକତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରି ଡିସେମ୍ବର ୩୧ ସୁଦ୍ଧା ଯୋଗ୍ୟ କର୍ମଚାରୀଙ୍କ ପଦୋନ୍ନତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ନଚେତ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
Amar Ujalaତେବେ ଏହି ସମୟ ମଧ୍ୟରେ ଯେଉଁ କର୍ମଚାରୀମାନେ ବିଭିନ୍ନ କାରଣରୁ ପଦୋନ୍ନତି ପାଇପାରି ନାହାନ୍ତି ସେମାନଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାକୁ ପଦୋନ୍ନତି ଅଦାଲତ ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରତିବର୍ଷ ଜାନୁଆରି ଚତୁର୍ଥ ସପ୍ତାହରେ ପଦୋନ୍ନତି ଅଦାଲତର ବୈଠକ ବସିବ । ବିଭିନ୍ନ କାରଣରୁ ପଦୋନ୍ନତି ପାଇ ନ ଥିବା କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ଏହି ଅଦାଲତ ଜରିଆରେ କରାଯିବ ।
ଏହାପୂର୍ବରୁ ବିଭିନ୍ନ କାରଣରୁ ପଦୋନ୍ନତି ପାଇପାରି ନ ଥିବା କର୍ମଚାରୀମାନେ ଏଥିପାଇଁ ବିଭିନ୍ନ ଅଦାଲତର ଦ୍ୱାରସ୍ଥ ହୋଇଥାନ୍ତି । ଆଉ ଏହି ମାମଲାଗୁଡିକ ଦୀର୍ଘ ଦିନ ଧରି ଅଦାଲତରେ ଗଡି ଚାଲିଥାଏ, ଯେଉଁଥିପାଇଁ ଯୋଗ୍ୟ କର୍ମଚାରୀମାନେ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥାନ୍ତି । ତେଣୁ ଏହି ଅଦାଲତ ଗଠିତ ହେବା ଦ୍ୱାରା କର୍ମଚାରୀମାନେ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଚିଠି ଜାରି କରି ସ୍ପଷ୍ଟ କରାଯାଇଛି।
Follow Us