ରାଜ୍ୟରେ ପୁଣି କଡ଼ାକଡ଼ି ହେଲା କୋଭିଡ କଟକଣା: ସ୍କୁଲ୍‌, କଲେଜ ବନ୍ଦ; ରାତି ୯ରୁ ନାଇଟ୍‌ କର୍ଫ୍ୟୁ

Advertisment
ସହରାଞ୍ଚଳରୁ ହଟିଲା ରାତ୍ରିକାଳୀନ କର୍ଫ୍ୟୁ

ସରକାରୀ ଅଫିସ ୫୦% କର୍ମଚାରୀରେ ଚାଲିବ
ବିବାହରେ ୧୦୦, ଅନ୍ତ୍ୟେଷ୍ଟିରେ ୫୦ ଜଣ
ମଲ୍‌, ଦୋକାନରେ ଗହଳି ହେଲେ ସିଲ୍‌

ଭୁବନେଶ୍ୱର : ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବଢ଼ିବା ପରେ ସରକାର ବୁଧବାର ଦିନ ପୁଣି କଟକଣା କଡ଼ାକଡ଼ି କରିଛନ୍ତି। ସବୁ ସହରାଞ୍ଚଳରେ ଏବେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ହେଉଥିବା ବେଳେ ଏହାକୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଛି। ଏହାସହ ସବୁ ଦୋକାନ ବଜାର, ହଲ୍‌, ମଲ୍‌, ସମ୍ମିଳନୀ କକ୍ଷ ରାତି ୯ଟା ଭିତରେ ବନ୍ଦ ହେବ। ସେହିପରି ପିଲାଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ, କଲେଜ ବନ୍ଦ କରିଦିଆଯାଇଛି। କିନ୍ତୁ ଏହି ସମୟରେ ଦଶମ ଶ୍ରେଣୀ ପିଲାଙ୍କ ସମେଟିଭ୍ ପରୀକ୍ଷା ସମେତ ଏବେ ଚାଲିଥିବା ସମସ୍ତ ପରୀକ୍ଷା ହେବ। ଜାନୁଆରି ୭ ତାରିଖରୁ ଫେବ୍ରୁଆରି ୧ତାରିଖ ସକାଳ ପର୍ଯ୍ୟନ୍ତ ଏପରି କଟକଣା ଲଗାଯାଇଛି।

publive-image fox5sandiego.com

ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଡିସେମ୍ବର ୩୦ରେ ଜାନୁଆରି ମାସ ପାଇଁ କୋଭିଡ ଗାଇଡଲାଇନ୍ ଜାରି ହୋଇଥିଲା। କିନ୍ତୁ ଚଳିତ ସପ୍ତାହରେ ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଏବଂ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୦ ଟପିବାରୁ ପୁଣି କଡ଼ା ଗାଇଡଲାଇନ୍ ଜାରି କରାଯାଇଛି। ଯେପରି କୌଣସି ସ୍ଥାନରେ ଜନଗହଳି ହେବନି ତାହାକୁ ନଜରରେ ରଖି କଟକଣା ଲଗାଯାଇଛି। ଏଥିରେ ମାର୍କେଟ କମ୍ପ୍ଲେକ୍ସ, ସପିଂ ମଲ୍‌, ଦୋକାନ ଆଦିକୁ ‌କେବଳ ଦୁଇ ଡୋଜ୍ ଟିକା ନେଇଥିବା ଲୋକଙ୍କୁ ପ୍ରବେଶ କରାଇବାକୁ କୁହାଯାଇଛି। କୌଣସି ସ୍ଥାନରେ ୧୦୦ ବର୍ଗଫୁଟ ଭିତରେ ୪ ଜଣରୁ ଅଧିକ ଲୋକ ରହିବେନି, ଫୁଡ୍‌କୋର୍ଟ କି ଫୁଡ୍‌ ପ୍ଲାଜାରେ କେବଳ ଟେକ୍‌ ଆୱେ ସୁବିଧା ଉପଲବ୍ଧ ହେବ, କୌଣସି ମଲ୍‌ ପରିସରରେ କେହି ଖାଦ୍ୟ ଖାଇପାରିବେନି, ମଲ୍‌ ଓ ସପିଂ ମଲ୍‌ ଯେପରି ଅଧିକ ଗହଳି ହେବନି ତାହା ମଲ୍‌ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ଯଦି କୌଣସି ମଲ୍‌, ମାର୍କେଟ୍ କମ୍ପ୍ଲେକ୍ସ, ଦୋକାନରେ ଅଧିକ ଗହଳି ହୁଏ ତେବେ ତାହାକୁ ଅଧିକ ଜରିମାନା ସହ ଅତି କମ୍‌ରେ ୭ଦିନ ଯାଏଁ ସିଲ୍‌ କରିବାକୁ କୁହାଯାଇଛି। ଏହା ସହ ରାତି ୯ଟା ପୂର୍ବରୁ ସବୁ ମାର୍କେଟ, ହାଟ, ସିନେମା ହଲ୍‌, ସୁଇମିଂ ପୁଲ୍‌, ଏଣ୍ଟରଟେନମେଣ୍ଟ କମ୍ପ୍ଲେକ୍ସ, ଥିଏଟର୍, ଅଡିଟୋରିୟମ୍, ସଭା ଗୃହ ଏବଂ ଏହିଭଳି ସ୍ଥାନଗୁଡ଼ିକ ବନ୍ଦ ହେବ।

publive-image odishabytes.com

କୌଣସି ସାମାଜିକ, ଧାର୍ମିକ ସମାବେଶ ହୋଇପାରିବନି। ରାଜନୈତିକ, କ୍ରୀଡ଼ା, ଏକାଡେମିକ ସମାବେଶ କେବଳ ୧୦୦ଜଣ ଲୋକଙ୍କୁ ନେଇ କରିହେବ। ଆବଦ୍ଧ ସ୍ଥାନରେ ମୋଟ୍ କ୍ଷମତାର ୫୦% ଲୋକଙ୍କୁ ଅନୁମତି ମିଳିବ। ତାହା ବି ୧୦୦ରୁ କମ୍‌ ହେଉଥିବା ଦରକାର। ଯଦି ନିର୍ବାଚନ ତାରିଖ ଘୋଷଣା ହୁଏ ତେବେ ରାଜନୈତିକ ସମାବେଶ, ସଭା, ଶୋଭାଯାତ୍ରା ଆଦି ସର୍ବାଧିକ ୧୦୦ଜଣଙ୍କୁ ନେଇ ହେବ। କୌଣସି ମେଳା, ପ୍ରଦର୍ଶନୀ ହୋଇପାରିବନି। ହାଟ, ବଜାର, ମାଛ ହାଟ ଆଦିକୁ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରିବା ସହ ପ୍ରତି ୩୦ ଫୁଟରେ ଜଣେ ଲେଖାଏଁ ବ୍ୟବସାୟୀଙ୍କୁ ବସାଇବାକୁ କୁହାଯାଇଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଜାଗା ଚିହ୍ନଟ କରିବାକୁ କୁହାଯାଇଛି। ହୋଟେଲ, ରେସ୍ତୋରାଁ, ବାର୍‌, ପବ୍‌ ଆଦି ୫୦% ଗ୍ରାହକଙ୍କୁ ନେଇ ଚାଲିବ। ଜିମ୍, ସ୍ପା, ବିୟୁଟି ପାର୍ଲର, ସେଲୁନ୍ ଆଦି କୋଭିଡ କଟକଣା ମାନି ଖୋଲିବାକୁ କୁହାଯାଇଛି। ନିୟମ ନମାନିଲେ ଜରିମାନା ସହ ୭ଦିନ ପାଇଁ ସିଲ୍‌ କରାଯିବ।

ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି ଆଦିରେ ପୂର୍ବରୁ ୨୫୦ ଜଣଙ୍କୁ ଅନୁମତି ଦିଆଯାଉଥିବା ବେଳେ ବିବାହରେ ଏବେ ୧୦୦ ଜଣଙ୍କୁ ଅନୁମତି ଦିଆଯିବ। ବରଯାତ୍ରୀ ପାଇଁ ସର୍ବାଧିକ ୩୦ ଜଣ, ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୫୦ ଜଣଙ୍କୁ ଅନୁମତି ଦିଆଯିବ।

publive-image

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୁଲିସ, ଅଗ୍ନିଶମ, ବିପର୍ଯ୍ୟୟ ପରିଚାଳନା ଦାୟିତ୍ବରେ ଥିବା ଅଫିସଗୁଡ଼ିକୁ ଛାଡ଼ି ସବୁ ଅଫିସ ୫୦% କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି। ଏହା ସବୁ ସରକାରୀ ଓ ଘରୋଇ ଅଫିସ ପାଇଁ ଲାଗୁ ହେବ। କେନ୍ଦ୍ର ସରକାର ଓ ଘରୋଇ କାର୍ଯ୍ୟାଳୟଗୁଡ଼ିକ ୱାର୍କ ଫ୍ରମ୍ ହୋମ୍‌ ପାଇଁ ଉତ୍ସାହିତ କରିବାକୁ କୁହାଯାଇଛି।

ଯେଉଁମାନେ ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇବେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା ହେବ। ଯେଉଁମାନଙ୍କର କୋଭିଡ ଲକ୍ଷଣ ଦେଖାଯିବ ସେମାନଙ୍କୁ ତୁରନ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe