କଳାହାଣ୍ଡି ରାଜନୀତିରେ ନୂଆ ସମୀକରଣ: ୩ ଦଳରେ ସାଙ୍ଗଠନିକ ପୁନର୍ଗଠନ ବିଳମ୍ବ, ଭକ୍ତ ପିସିସି ସଭାପତି ପରେ ବିଜେପି ଓ ବିଜେଡି ଶିବିର ତତ୍ପର

Advertisment

କଳାହାଣ୍ଡି ଜିଲ୍ଲାର କଂଗ୍ରେସ, ବିଜେପି ଓ ବିଜେଡିର ପୁନର୍ଗଠନ ହୋଇ ନଥିବା ବେଳେ ରାଜନୀତି ମହଲରେ ନୂତନ ସମୀକରଣ ନେଇ ଉତ୍ସୁକତା ପ୍ରକାଶ ପାଇଛି। ଭକ୍ତଚରଣ ଦାସ ପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରେ ଉଭୟ ବିଜେପି...

କଳାହାଣ୍ଡି ଜିଲ୍ଲାର କଂଗ୍ରେସ, ବିଜେପି ଓ ବିଜେଡିର ପୁନର୍ଗଠନ ହୋଇ ନଥିବା ବେଳେ ରାଜନୀତି ମହଲରେ ନୂତନ ସମୀକରଣ ନେଇ ଉତ୍ସୁକତା ପ୍ରକାଶ ପାଇଛି। ଭକ୍ତଚରଣ ଦାସ ପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରେ ଉଭୟ ବିଜେପି...

ନିଜ ଉପରେ ଭରସା ନାହିଁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କଂଗ୍ରେସ, ବିଜେପି ଓ ବିଜେଡିର ପୁନର୍ଗଠନ ହୋଇ ନଥିବା ବେଳେ ରାଜନୀତି ମହଲରେ ନୂତନ ସମୀକରଣ ନେଇ ଉତ୍ସୁକତା ପ୍ରକାଶ ପାଇଛି। ଭକ୍ତଚରଣ ଦାସ ପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରେ ଉଭୟ ବିଜେପି ଓ ବିଜେଡି ଶିବିରରୁ କଂଗ୍ରେସ ଉପରେ ତୀକ୍ଷଣ ନଜର ରହିଛି। କଳାହାଣ୍ଡି ଜିଲ୍ଲାର ଟାଣୁଆ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦାସ ପ୍ରଦେଶ କଂଗ୍ରେସ ସଭାପତି ହେବା ପରେ ଏଠାରେ ରାଜନୀତି ସରଗରମ ହେବାରେ ଲାଗିଛି। ବିଜେପି ରାଜ୍ୟ ସଙ୍ଗଠନ ପୁନର୍ଗଠନ ହୋଇ ନ ଥିବା ଯୋଗୁଁ ଜିଲ୍ଲାରେ କେବଳ ସଭାପତି ଭାବରେ ଓବିସି ଚେହେରା ଯୁଗଳ କିଶୋର ପୋଢ଼ଙ୍କୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲା ସଙ୍ଗଠନର ପୁନର୍ଗଠନ ହୋଇ ପାରୁନାହିଁ। ଏଥିଯୋଗୁଁ ସଙ୍ଗଠନ ପାଇଁ ନେତାମାନେ ଆଗ୍ରହ ଦେଖାଉ ନ ଥିବା ଲକ୍ଷ୍ୟ କରାଯାଇଛି। ବିଜେଡିରୁ ରାଜ୍ୟସଭା ଯାଇଥିବା ସୁଜିତ କୁମାର ବିଜେପିରେ ଯୋଗ ଦେଇ ପୁନର୍ବାର ରାଜ୍ୟସଭାକୁ ମନୋନୀତ ହେବା ପରେ ତାଙ୍କ ବିଜେଡି ସମର୍ଥକମାନେ ବିଜେପିମୁହାଁ ହେଉଥିବା ଦେଖିବାକୁ ମିଳୁଛି। ବିଜେଡି ପକ୍ଷରୁ ଏଯାଏଁ ଜିଲ୍ଲା ସଭାପତି ଚୂଡ଼ାନ୍ତ ହୋଇ ପାରୁନାହିଁ। ଉଭୟ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଓ କାର୍ଯ୍ୟକାରୀ ସଭାପତି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ମଧ୍ୟରେ ଶୀତଳଯୁଦ୍ଧ ଲାଗି ରହିଛି। ଏପରିକି ଦୁହେଁ ଗୋଟିଏ ମଞ୍ଚରେ ବସୁଥିଲେ ମଧ୍ୟ ତାହା କେବଳ ଔପଚାରିକ ଭିତରେ ସୀମିତ। ଦିବ୍ୟଶଙ୍କର ଦଳର ସଙ୍ଗଠନକୁ ହାଇଜାକ୍‌ କରିବାକୁ ଉଦ୍ୟମ କରୁଥିବା ବିଜେଡିର ଗୋଟିଏ ମହଲ ଅଭିଯୋଗ କରିଆସୁଛି। 

ସେପଟେ କଂଗ୍ରେସର ସଙ୍ଗଠନ ମଧ୍ୟ ପୁନର୍ଗଠନ ହେବାକୁ ଥିବା ବେଳେ ଦଳ ଭକ୍ତଙ୍କ ଭରସାରେ ରହିଛି। ଭକ୍ତ ଦଳିତ ବର୍ଗର ହୋଇଥିବା ବେଳେ ବିଜେପି ସଭାପତି ମଧ୍ୟ ଓବିସି ବର୍ଗର। ତେବେ ବିଜେଡି କେଉଁ ବର୍ଗର ନେତାଙ୍କ ହାତରେ ଜିଲ୍ଲାର ସାଙ୍ଗଠନିକ ମଙ୍ଗ ଧରାଇବ, ତାକୁ ନେଇ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ବିଜେଡିର ପରାଜିତ ନେତା ଓ ଜିଲ୍ଲା ପରିଷଦ ସଭ୍ୟଙ୍କଠାରୁ ଆରମ୍ଭ କରି ଛାମୁଆ ନେତା ଏବେ ବିଜେପି ଶିବିର ସହିତ ଯୋଗାଯୋଗରେ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆହୁରି କିଛି ଅସନ୍ତୁଷ୍ଟ ନେତା ଭକ୍ତଙ୍କ ପାୱାର ସୋ’କୁ ଅପେକ୍ଷା କରିଛନ୍ତି। ଆଉ କେତେକ ବିଜେପି ଓ ବିଜେଡି ନେତା ପାଣିପାଗକୁ ଅପେକ୍ଷା କରିଛନ୍ତି। ବିଜେପି ଶାସନରେ ଥିଲେ ମଧ୍ୟ କିଛି ନେତାଙ୍କ ଗୋଷ୍ଠୀ ମଧ୍ୟରେ କ୍ଷମତା ପ୍ରତିଯୋଗିତା ଚାଲିଛି। କିଏ କେତେ ଠିକା ଆଣି ପାରିବ ଏହା ଉପରେ ଆଖି ରହିଛି। ଚଳିତ ମାର୍ଚ୍ଚ ମାସରେ ନେତାମାନେ ନିଜ ସମର୍ଥକମାନଙ୍କୁ ଠିକା ଦେବାରେ ବ୍ୟସ୍ତ ଥିବା ବେଳେ ସଙ୍ଗଠନକୁ ନେଇ ଚୁପ୍‌ ରହୁଥିବା ଦେଖିବାକୁ ମିଳୁଛି। ପୁରୁଣା କଂଗ୍ରେସ କର୍ମୀମାନେ ଏବେ ବିଜେପି ଓ ବିଜେଡି ଶିବିର ସହିତ ଯୋଗାଯୋଗରେ ମଧ୍ୟ ଥିବା ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ଖଣି ରାଜନୀତିରେ ସବୁ ଦଳ ଆଦିବାସୀମାନଙ୍କୁ ଭୁଆଁ ବୁଲାଇ ନିଜସ୍ୱ ପାଣ୍ଠି ଗୋଟାଇବାରେ ବ୍ୟସ୍ତ ଥିବା ଯୋଗୁଁ ଦଳମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ପ୍ରକାଶ ପାଉଛି। ଆଗକୁ ଭବାନୀପାଟଣା ପୌର ପରିଷଦ ଓ ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷ ନିମନ୍ତେ ନିର୍ବାଚନ ଥିବା ବେଳେ ପଞ୍ଚାୟତ ନିର୍ବାଚନ ସମସ୍ତ ଦଳ ପାଇଁ ଏସିଡ୍‌ ଟେଷ୍ଟ ହେବ ବୋଲି ରାଜନୀତି ବିଶାରଦମାନେ ମତପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ତିନି ଦଳର ଗୋଟିଚାଳନା କ’ଣ ହେଉଛି, ତାହା ଉପରେ ସଭିଁଙ୍କ ନଜର ରହିଛି। କଳାହାଣ୍ଡି ବିଜେପି ସଭାପତି ଯୁଗଳ କିଶୋର ପୋଢ଼ଙ୍କୁ ପଚାରିବାରୁ ରାଜ୍ୟ ସଙ୍ଗଠନର ପୁନର୍ଗଠନ ହୋଇ ନ ଥିବା ଯୋଗୁଁ ଜିଲ୍ଲା ସଙ୍ଗଠନର ମଧ୍ୟ ବିସ୍ତାର ହୋଇ ପାରୁନାହିଁ ବୋଲି କହିଛନ୍ତି। ସେହିଭଳି ରାଜ୍ୟ ସଙ୍ଗଠନର ପୁନର୍ଗଠନ ପରେ ଜିଲ୍ଲାରେ ସଙ୍ଗଠନ କାର୍ଯ୍ୟକୁ ଆଗକୁ ନିଆଯିବ ବୋଲି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରୁ ବର୍ତ୍ତମାନ ପିସିସି ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକ୍ରମ ଓ ସଙ୍ଗଠନ କାର୍ଯ୍ୟ ଚାଲିଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe