ନୂଆ ଚେହେରା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

Advertisment
ଓଡ଼ିଆରେ ନାମ ଫଳକ ଲେଖି ନ ଥିବା ୮ଟି ପ୍ରତିଷ୍ଠାନ ବିରୋଧରେ ମକଦ୍ଦମା

ବ୍ରହ୍ମପୁର : ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ ସମାପ୍ତ ହୋଇଛି। ବହୁ ପୁରୁଣା ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଦ୍‌ ଦେଇଥିବା ବେଳେ ନୂଆ ଚେହେରା ତଥା ଯୁବ ନେତାଙ୍କୁ ସୁଯୋଗ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନୂଆ ଚେହେରା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ତାଙ୍କୁ ଶ୍ରମ ଓ କର୍ମଚାରୀ ବୀମା ବିଭାଗ(ରାଷ୍ଟ୍ରମନ୍ତ୍ରୀ-ସ୍ବାଧୀନ) ମିଳିଛି। ଜିଲ୍ଲାର ଅନ୍ୟତମ ଟାଣୁଆ ତଥା ପୁରୁଖା ନେତା ବିକ୍ରମ କେଶରୀ ଆରୁଖ ଏଥର ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ଚିକିଟି ବିଧାୟିକା ଉଷା ଦେବୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଗୃହ ଓ ନଗରଉନ୍ନୟନ ବିଭାଗ(କ୍ୟାବିନେଟ୍‌ ମନ୍ତ୍ରୀ) ମିଳିଛି। ମନ୍ତ୍ରୀପଦ ଦୌଡ଼ରେ ଥିବା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ଏଥର ନିରାଶ ହେବାକୁ ପଡ଼ିଛି। ମନ୍ତ୍ରୀପଦ ପାଇଁ ତାଙ୍କର ନାମ ଜୋର୍‌ ଚର୍ଚ୍ଚାରେ ରହିଥିଲା।

ପୋଲସରା ବିଧାୟକ ଶ୍ରୀ ସାହୁଙ୍କ ନାମ ମନ୍ତ୍ରୀପଦ ପାଇଁ ଆରମ୍ଭରୁ ଚର୍ଚ୍ଚାରେ ରହିଥିଲା। ଦଳ ପ୍ରତି ରହିଥିବା ଆନୁଗତ୍ୟ ଓ ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଉତ୍ତମ ପ୍ରଦର୍ଶନ ଯୋଗୁଁ ତାଙ୍କୁ ମନ୍ତ୍ରୀପଦ ମିଳିଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ବିଧାୟକ ଶ୍ରୀ ସାହୁଙ୍କ ନେତୃତ୍ବରେ ପଞ୍ଚାୟତ ନିର୍ବାଚନରେ ପୋଲସରା ନିର୍ବାଚନମଣ୍ଡଳୀର ଉଭୟ ପୋଲସରା ଓ ବୁଗୁଡ଼ା ବ୍ଲକ୍‌ର ୬ଟି ଜିଲ୍ଲା ପରିଷଦ ଆସନ ଦଖଲ କରିଥିଲା ବିଜେଡି। ସେହିପରି ପୌର ନିର୍ବାଚନରେ ମଧ୍ୟ ବିଜେଡି ପୋଲସରା ଓ ବୁଗୁଡ଼ା ଏନ୍ଏସି ନିଜ ଅକ୍ତିଆରକୁ ନେଇଥିଲା। ଏଣୁ ଗଞ୍ଜାମ ଜିଲ୍ଲାରୁ ମନ୍ତ୍ରୀପଦ ପାଇଁ ପୋଲସରା ବିଧାୟକଙ୍କ ନାମକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।

ସେହିପରି, ଅଭିଜ୍ଞତା ଦୃଷ୍ଟିରୁ ଚିକିଟି ବିଧାୟିକା ଉ‌ଷା ଦେବୀଙ୍କ ନାମ ମଧ୍ୟ ମନ୍ତ୍ରୀପଦ ପାଇଁ ଚର୍ଚ୍ଚାରେ ରହିଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଚିକିଟି ନିର୍ବାଚନମଣ୍ଡଳୀର ପାତ୍ରପୁର ବ୍ଲକ ଓ ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ ବିଜେଡି ହାତରୁ ଚାଲି ଯାଇଥିଲେ ମଧ୍ୟ ସେ ମନ୍ତ୍ରୀପଦ ଦୌଡ଼ରେ ରହିଥିଲେ। ଦଳ ପ୍ରତି ରହିଥିବା ତାଙ୍କର ଆନୁଗତ୍ୟ, ନିର୍ମଳ ଭାବମୂର୍ତ୍ତି ଓ ଅଭିଜ୍ଞତା ଯୋଗୁଁ ସେ ମନ୍ତ୍ରୀପଦ ପାଇଥିବା କୁହାଯାଉଛି। ଉଷା ଦେବୀ ଚିକିଟି ନିର୍ବାଚନମଣ୍ଡଳୀରୁ ୬ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହିଥିଲେ।

ଅନ୍ୟପଟେ ଭଞ୍ଜନଗର ବିଧାୟକ ତଥା ଜିଲ୍ଲାର ଟାଣୁଆ ନେତା ବିକ୍ରମ କେଶରୀ ଆରୁଖଙ୍କୁ ଏଥର ନିରାଶ ହେବାକୁ ପଡ଼ିଛି। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇଛି। ହେଲେ ଖୁବ୍‌ଶୀଘ୍ର ସେ ବାଚସ୍ପତି ଭାବେ ଦାୟିତ୍ବ ନେବେ। ତାଙ୍କର ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା ଦୃଷ୍ଟିରୁ ସେ ବାଚସ୍ପତି ହେବା ପାଇଁ ଜଣେ ଯୋଗ୍ୟ ପ୍ରାର୍ଥୀ ବୋଲି ରାଜନୈତିକ ସମୀକ୍ଷକମାନେ ମଧ୍ୟ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe