ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସନ୍ଦର୍ଭରେ ନୂଆ ତଥ୍ୟ: ପାରଳାରୁ ଆରମ୍ଭ ହୋଇଥିଲା ଭାରତର ସ୍ବାଧୀନତା ସଂଗ୍ରାମ

Advertisment
ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସନ୍ଦର୍ଭରେ ନୂଆ ତଥ୍ୟ: ପାରଳାରୁ ଆରମ୍ଭ ହୋଇଥିଲା ଭାରତର ସ୍ବାଧୀନତା ସଂଗ୍ରାମ

RobinAge

ପାରଳାଖେମୁଣ୍ଡି(ଶ୍ରୀକାନ୍ତ ମହାରଣା): ଭାରତର ସ୍ବାଧୀନତା ସଂଗ୍ରାମ ସର୍ବପ୍ରଥମେ ପାରଳାଖେମୁଣ୍ଡିରୁ ହିଁ ଆରମ୍ଭ ହୋଇଥିଲା। ଏକ ଗବେଷଣାଲବ୍ଧ ତଥ୍ୟ ଅନୁସାରେ ସିପାହୀ ବିଦ୍ରୋହ ଏବଂ ପାଇକ ବିଦ୍ରୋହର ଅନେକ ପୂର୍ବରୁ ଅବିଭକ୍ତ ଗଞ୍ଜାମରେ ପାରଳା ଗଜପତି ମହାରାଜାଙ୍କ ନେତୃତ୍ବରେ ପ୍ରଥମ ସଂଗ୍ରାମ ପାରଳା ମାଟିରୁ ହିଁ ପରିଚାଳିତ ହୋଇଲା। ବିଶିଷ୍ଟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନିଜ ସନ୍ଦର୍ଭରେ ଏହିଭଳି ଏକ ତଥ୍ୟ ଉପସ୍ଥାପନ କରିଛନ୍ତି। ପାରଳାଖେମୁଣ୍ଡିକୁ ଏକ ଜମିଦାରୀ ଭାବେ ଉଲ୍ଲେଖ କରା ଯାଉଥିଲେ ମଧ୍ୟ ଏହା ପ୍ରକୃତରେ ଆରମ୍ଭରୁ ଏକ ସ୍ବାଧୀନ ସାର୍ବଭୌମ ରାଜ୍ୟ ଥିଲା। ଏଠାକାର ରାଜା ଜଗନ୍ନାଥ ନାରାୟଣ ଦେବ ନିଜକୁ ‘ଜଗନ୍ନାଥ ନାରାୟଣେ ସାର୍ବଭୌମେ’ ବୋଲି ପରିଚୟ ଦେଉଥିଲେ। ୧୭୬୭ରେ ଇଂରେଜ ଅଧିକାରୀ ସଦଳବଳ ଗଞ୍ଜାମ ଅଭିମୁଖେ ବାହାରିବା ବେଳେ ସେମାନଙ୍କ ରାସ୍ତା ଅବରୋଧ କରିଥିଲେ ପାରଳାଖେମୁଣ୍ଡି ରାଜା ଜଗନ୍ନାଥ ଗଜପତି ନାରାୟଣ ଦେବ। ଗଞ୍ଜାମ ସୀମାରେ ମାନ୍ଦ୍ରାଜ ବଙ୍ଗଳାରେ ଅବସ୍ଥାନ କରି ସମସ୍ତ ରାସ୍ତାକୁ ଅବରୋଧ କରି ଜଗନ୍ନାଥ ନାରାୟଣ ଦେବ ସେଠାରେ ଜଗି ରହିଥିଲେ। ଏଣୁ, ଇଂରେଜ ଅଧିକାରୀ ଇଂ. କଟସ୍‌ଫୋର୍ଡ଼ ଗଞ୍ଜାମ ଅଭିମୁଖେ ଆଉ ଅଗ୍ରସର ହୋଇ ନପାରି ମାଡ୍ରାସ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଏହାଥିଲା ଇଂରେଜମାନଙ୍କୁ କେବଳ ଓଡ଼ିଶା କାହିଁକି, ଭାରତ ମାଟିରେ ପ୍ରଥମ ପ୍ରତିରୋଧ ବୋଲି ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ କୃତ ‘ପାରଳାଖେମୁଣ୍ଡି ଇତିହାସ’ରେ ଉଲ୍ଲେଖ କରାଯାଇଛି।

ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ବର୍ଷକ ପରେ ଇଂରେଜମାନେ କର୍ଣ୍ଣେଲ ପିଚ୍‌ଙ୍କ ନେତୃତ୍ୱରେ ବିଶାଳ ସେନାବାହିନୀ ଧରି ଗଞ୍ଜାମ ଅଭିଯାନରେ ଆସିଥିଲେ। ଜଗନ୍ନାଥ ନାରାୟଣ ଦେବ ପୁଣି ଯାଲମୁର ଦୁର୍ଗଠାରେ ପ୍ରତିରୋଧ କଲେ। ଉଭୟପକ୍ଷ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା। ତେବେ, ପ୍ରତିରୋଧ କରି ନ ପାରି ଜଗନ୍ନାଥ ନାରାୟଣ ଦେବ ପଳାୟନ କରିବା ପରେ ଇଂରେଜମାନେ ପାରଳାଖେମୁଣ୍ଡିରେ ନିଜ ଶାସନ ଜାହିର କରି ରାମଯୋଗୀ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ପାରଳା ରାଜ୍ୟ ପରିଚାଳନା ଭାର ଅର୍ପଣ କରିଥିଲେ। ତେବେ, ପରେ ଜଗନ୍ନାଥ ନାରାୟଣ ଦେବ ଫେରି ଆସି ରାମ ପାତ୍ରଙ୍କୁ ବହିଷ୍କାର କରି ନିଜ ରାଜ୍ୟ ନିଜେ ପରିଚାଳନା କଲେ। ଏହା ଥିଲା ଇଂରେଜମାନଙ୍କୁ ତୃତୀୟ ପ୍ରତିରୋଧ। ପାରଳାଖେମୁଣ୍ଡିର ରାଜା ଗଜପତି ନାରାୟଣ ଦେବଙ୍କ ଇଙ୍ଗିତରେ ୧୭୮୦ମସିହା ଅକ୍ଟୋବର ୩ ତାରିଖରେ ଦେଶୀୟ ସିପାହୀମାନେ ସଶସ୍ତ୍ର ବିଦ୍ରୋହ କରିଥିଲେ। ଏଥିରେ ବ୍ରିଟିସ୍‌ କମାଣ୍ଡ୍‌ ଦାୟିତ୍ୱରେ ଥିବା ୬ଜଣ ସେନା ଅଧିକାରୀ ନିହତ ହେବା ସହ ସେଠାକାର ଶାସନ ମୁଖ୍ୟ(ଗଭର୍ଣ୍ଣର)ଙ୍କୁ ବନ୍ଦୀ କରା ଯାଇଥିଲା। ଏତେ ସବୁ କାଣ୍ଡ ଘଟାଇ ସଂଗ୍ରାମୀମାନେ ପାରଳାଖେମୁଣ୍ଡିକୁ ନିରାପଦରେ ଫେରି ଆସିଥିଲେ।

ଜଗନ୍ନାଥ ନାରାୟଣ ଦେବଙ୍କ ମୃତ୍ୟୁ ପରେ ୧୭୭୦ ରେ ତାଙ୍କ ପୁତ୍ର ଗଜପତି ନାରାୟଣ ଦେବ ମଧ୍ୟ ଇଂରେଜ ଶାସନକୁ ସ୍ବୀକାର କରି ନଥିଲେ। ୧୮୩୪ ମସିହା ପର୍ଯ୍ୟନ୍ତ ପାରଳାଖେମୁଣ୍ଡିରେ ଲାଗି ରହିଲା ଇଂରେଜଙ୍କୁ ପ୍ରତିରୋଧ ସଂଗ୍ରାମ। ଏ ସମୟରେ ପାରଳାଖେମୁଣ୍ଡିର ପାଇକ, ବିଶୋଇ, ଦୋରା, ମଖସା ଦାର, ଶବର ଏବଂ ସାଧାରଣ ଜନତା ସଂଗ୍ରାମରେ ଝାସ ଦେଇ ଏହାକୁ ଏକ ଗଣସଂଗ୍ରାମରେ ପରିଣତ କରିଥିଲେ। ଗୁମ୍ମା ବିଶୋଇ କୃଷ୍ଣଚନ୍ଦ୍ର, ଜିରାଙ୍ଗ ବିଶୋଇ ରଘୁନାଥ, ରାୟଗଡ଼ ବିଶୋଇ କମଳଲୋଚନ, ନାରାୟଣପୁର ବିଶୋଇ ଡମ୍ବରୁଧରଙ୍କ ସମେତ ଗଣ୍ଡାହାତୀ ଓ ରାୟଗଡ଼ର ବିଶୋଇମାନେ ମଧ୍ୟ ଇଂରେଜ ପ୍ରତିରୋଧ ସଂଗ୍ରାମର ନେତୃତ୍ୱ ନେଇଥିଲେ। ପାରଳା ରାଜ୍ୟର ଜନଜାତିଙ୍କ ବହୁଳ ଯୋଗଦାନ ଏହି ସଂଗ୍ରାମକୁ ଅଧିକ ସଂଘର୍ଷମୟ କରିଥିଲା। ଜନଜାତିମାନଙ୍କ ମଧ୍ୟରେ ଗୋଡ଼ିଆପାଡୁ, ସୁଉରା ମଙ୍ଗୁଳୁ, ସୁଉରା ଜାଗୁଡୁ, ଇନ୍ଦୁ ଦୋରା, ବୋବିଲି ନାରାୟଣା ଓ ବୋବିଲି ନୀଳକଣ୍ଠ ପ୍ରମୁଖ ନେତୃତ୍ୱ ନେଇଥିଲେ।  ବିଶୋଇମାନଙ୍କ ବ୍ୟତୀତ ପାରଳାଖେମୁଣ୍ଡି ରାଜ୍ୟରେ ଥିବା ୨୪ଗୋଟି ଦୋରା ତାନାମର ମୁଖ୍ୟମାନେ ମଧ୍ୟ ସେଇ ସଂଗ୍ରାମରେ ଭାଗ ନେଇଥିଲେ। ଆରମ୍ଭରୁ ଇଂରେଜ ପ୍ରତିରୋଧ ସଂଗ୍ରାମ ଥିଲା ସଶସ୍ତ୍ର। ପାରଳା ପାଇକବାହିନୀଙ୍କ ମଧ୍ୟରୁ ୫ ହଜାର ସଶସ୍ତ୍ର ପାଇକ ହୀରମଣ୍ଡଳମ୍‌ ଠାରେ ଏକତ୍ରିତ ହୋଇ ଇଂରେଜ ସେନାବାହିନୀର ସାମ୍ନା କରିଥିଲେ। ସେଠାରୁ ସେମାନେ ୟୁରୋପୀୟ ଲେଫ୍ଟନାଣ୍ଟ ୟାଙ୍ଗସନଙ୍କୁ ବନ୍ଦୀ କରି ରାମଗିରି ନେଇ ଆସିଥିଲେ। ଇଂରେଜ ସେନା ବିଦ୍ରୋହ ଦମନ କରିବା ପାଇଁ ପାରଳାଖେମୁଣ୍ଡି ଆସିବା ସମ୍ଭବ ହୋଇ ନଥିଲା। ଏଣୁ, ଇଂରେଜ ପକ୍ଷ ସନ୍ଧି କରିବା ପାଇଁ ବାଧ୍ୟ ହୋଇଥିଲେ। ପାରଳାଖେମୁଣ୍ଡିର ପାଇକମାନେ ନଗରୀକଟକ, ଗାରାବନ୍ଧ, ଲାବଣ୍ୟଗଡ଼, ପାରଳାଖେମୁଣ୍ଡି, କାଶୀନଗର, ବାମିନୀ ମାରିପାଡୁ, କଇଁପୁର, ଗୁମ୍ମା, ଅଲଡ଼ା, ନାରାୟଣପୁର ଓ ଖାଣ୍ଡବା ରାସ୍ତାରେ ଇଂରେଜ ସେନା ଉପରେ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରି ଦେଇଥିଲେ। ୟୁରୋପୀୟ କ୍ୟାପଟେନ୍ ସିରାଦଙ୍କୁ ଆକ୍ରମଣ କରି ଅଲଡ଼ା ଦୋରା ଚାନାମ ଠାରେ ହତ୍ୟା କରିଥିଲେ। ମେଜର୍‌ ବକ୍ସର ଓ ଅନ୍ୟଜଣେ ହାବିଲଦାରଙ୍କୁ ବିଦ୍ରୋହୀଙ୍କ ଗୁଳିର ଶିକାର ହୋବାକୁ ପଡ଼ିଥିଲା।

ପାରଳାଖେମୁଣ୍ଡିର ପଶ୍ଚିମ ଅଞ୍ଚଳ ଅର୍ଥାତ କାଶୀନଗର ଅଞ୍ଚଳରୁ ସଂଗ୍ରାମୀମାନେ ୟୁରୋପୀୟ ସେନା ଓ ଅଧିକାରୀମାନଙ୍କୁ ବାହାର କରି ସେ ଅଞ୍ଚଳକୁ ସ୍ବାଧୀନ କଲେ। ୩ ଭାଗରେ ବିଭକ୍ତ କରି ନିଜେ ଶାସନ ଚଳାଇଲେ। ସଂଘର୍ଷର ସମ୍ମୁଖୀନ ହୋଇ ନ ପାରି ଇଂରେଜ ସେନା ବାରମ୍ବାର ପଛଘୁଞ୍ଚା ଦେଇ ପାରଳା ରାଜ୍ୟ ପରିତ୍ୟାଗ କରିଥିଲେ ବୋଲି ଏହି ତଥ୍ୟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe