ସାଇବର ଅପରାଧର ନୂଆ ଫର୍ମୁଲା

Advertisment
ସାଇବର ଠକେଇରେ ପଡିଲେ ପୁଲିସ ବାବୁ

Image Courtesy of India Today

ବରଗଡ଼, ୫ା୮(ଇମିସ): ସାଇବର୍‌ ଅପରାଧ କ୍ରମଶଃ କାୟା ବିସ୍ତାର କରୁଛି। ଅପରାଧିଙ୍କୁ ଠାବ କରିବା ପାଇଁ ସାଇବର୍‌ ସେଲ୍ କାମ କରୁଛି। କିନ୍ତୁ ଅପରାଧିମାନେ ନୂଆ ଫର୍ମୁଲା ବ୍ୟବହାର କରି ଲୋକଙ୍କୁ କଳାକନା ବୁଲାଇ ଦେଉଛନ୍ତି। ଏବେ ଘରଭଡ଼ା ଏବଂ ବିଜୁଳି ବିଲ୍‌ ବାହାନାରେ ସାଇବର୍‌ ଅପରାଧି ଲୋକଙ୍କୁ ଠକୁଛନ୍ତି। କିିଛି ଲୋକ ଏମାନଙ୍କ ହାବୁଡ଼ରେ ପଡ଼ି ସାରିଛନ୍ତି। ନିଜ ଘର ଭଡ଼ା ‌ଲଗାଇବା ପାଇଁ ଲୋକେ ଓଏଲ୍‌ଏକ୍ସ ସମେତ ଅନ୍ୟ ୱେବ୍‌ସାଇଟ୍‌ ଜରିଆରେ ବିଜ୍ଞାପନ କରୁଛନ୍ତି। ଏହି ବିଜ୍ଞାପନ ଦେଖିବା ପରେ ସାଇବର୍‌ ଅପରାଧିମାନେ ନିଜକୁ କୌଣସି ବଡ଼ କମ୍ପାନି କିମ୍ବା ସେନା ଅଧିକାରୀ ଭାବେ ପରିଚୟ ଦେଇ ଘର ମାଲିକଙ୍କ ସହ କଥା ହେଉଛନ୍ତି।

ଦେଇଥିବା ପରିଚୟ ମୁତାବକ ଜାଲ୍‌ ଫଟୋ ଘର ମାଲିକଙ୍କ ପାଖକୁ ହ୍ବାଟ୍‌ସ ଅପ୍‌ କରୁଛନ୍ତି। ଏପରିକି ଜାଲ୍‌ ପରିଚୟପତ୍ର ଏବଂ ଆଧାରକାର୍ଡ ବି ପଠାଇ ଦେଉଛନ୍ତି। ଯାହା ଦେଖି ଭଡ଼ାଟିଆଙ୍କ ସଂପର୍କରେ ଘର ମାଲିକମାନେ ଆଶ୍ବସ୍ତ ହେଉଛନ୍ତି। ଏହାପରେ ଆରମ୍ଭ ହେଉଛି ଅସଲ ଖେଳ। ଅପରାଧି ଜଣକ ତାଙ୍କ କମ୍ପାନି କିମ୍ବା ଚାକିରି କରୁଥିବା ସ୍ଥାନର ମାନବ ସମ୍ବଳ ଅଧିକାରୀ ଏଣିକି କଥା ହେବେ ବୋଲି ଘର ମାଲିକଙ୍କୁ କହୁଛନ୍ତି। ପରେ ଅନ୍ୟ ଜଣେ ବ୍ୟକ୍ତି ନିଜକୁ ମାନବ ସମ୍ବଳ ଅଧିକାରୀ ବୋଲି ପରିଚୟ ଦେଇ ଘର ମାଲିକଙ୍କ ସହ କଥା ହେଉଛନ୍ତି। ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟ ତଥ୍ୟ ଚତୁରତାର ସହ ହାସଲ କରି ନେଇଛନ୍ତି। ଉକ୍ତ ବ୍ୟକ୍ତି ସ୍ପଷ୍ଟ ଇଂରାଜୀ କିମ୍ବା ହିନ୍ଦୀରେ କଥାବାର୍ତା ହେଉଥିବାରୁ ଘରମାଲିକଙ୍କ ମନରେ ବି ବିଶେଷ ସନ୍ଦେହ ରହୁନାହିଁ। ଆକାଉଣ୍ଟ ତଥ୍ୟ ଦେବା ପରେ ଘର ମାଲିକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍‌। ଏଭଳି ଗୁଡ଼ାଏ ମାମଲା ଏବେ ସାମନାକୁ ଆସୁଛି।

ସେହିପରି ବିଜୁଳି ବିଲ୍‌ ଆଳରେ ବି ସାଇବର୍‌ ଅପରାଧି ଠକି ଚାଲିଛନ୍ତି। ବର୍ତମାନ ଟାଟା ପାୱାର୍‌ କମ୍ପାନି ବିଜୁଳି ବିତରଣ ଦାୟିତ୍ବ ନେଇଛି। ଅଜଣା ନମ୍ବରରୁ ଉପଭୋକ୍ତାଙ୍କ ପାଖକୁ କଲ୍‌ ଆସୁଛି। ତୁରନ୍ତ ବିଜୁଳି ବିଲ୍‌ ପୈଠ ନ କଲେ ବିଜୁଳି କଟିଯିବ ବୋଲି ଅନ୍ୟ ପଟରୁ ଜଣେ ବ୍ୟକ୍ତି ନିଜକୁ ଟାଟା ପାୱାର କମ୍ପାନିର ଅଧିକାରୀ ବୋଲି ପରିଚୟ ଦେଇ କହୁଛି। ଫୋନ୍‌ ପେ, ଗୁଗୁଲ୍‌ ପେ କିମ୍ବା ଅନ୍ୟ ଆପ୍‌ ଜରିଆରେ ତୁରନ୍ତ ବିଲ୍‌ ଟଙ୍କା ପୈଠ କରିବାକୁ କୁହାଯାଉଛି। କାଳେ ବିଜୁଳି କଟିବ, ଏହି ଭୟରେ କିଛି ବ୍ୟକ୍ତି ଟଙ୍କା ବି ପୈଠ କରି ଦେଉଛନ୍ତି। କିନ୍ତୁ ପୁନର୍ବାର ବୈଧ ବିଲ୍‌ ଆସିବା ପ‌େର ହିଁ ସେମାନେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଉଛନ୍ତି। ଇତିମଧ୍ୟରେ ବରଗଡ଼ର କିଛି ଉପଭୋକ୍ତାଙ୍କ ପାଖରୁ ୮୨୪୯୬୨୯୮୬୬ ନମ୍ବରରେ ହ୍ବାଟ୍‌ସଆପ୍‌ କିମ୍ବା କଲ୍‌ ଜରିଆରେ ବିଜୁଳି ବିଲ୍‌ ମଗାଯାଉଛି। କିନ୍ତୁ ଯାଂଚ ପରେ ଏଗୁଡ଼ିକ ଠକମାନଙ୍କ ନମ୍ବର ବୋଲି ଜଣାପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe