ଅବରୋଧ ଅଞ୍ଚଳ ପାଇଁ ନୂଆ ନିର୍ଦେଶନାମା : ଦୁଇରାଉଣ୍ଡ ସର୍ଭେ ପରେ ଉଠିବ କଟକଣା

Advertisment
ସ୍ୱାସ୍ଥ୍ୟ କର୍ମୀ କରୋନା ପଜିଟିଭ ଚିହ୍ନଟ ପରେ ଦଶମନ୍ତପୁରର ପୋଡ଼ାଗଡ଼ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

photo-representative

ସ୍ବାସ୍ଥ୍ୟ ସଚିବଙ୍କ ଅନୁମତି ପରେ ଅବରୋଧ ଅଞ୍ଚଳ ଘୋଷଣା
ବୟସ୍କ, ମହିଳା, ଦିବ୍ୟାଙ୍ଗ, ପ୍ରସୂତିଙ୍କ ଉପରେ ସ୍ବତନ୍ତ୍ର ନଜର

ଭୁବନେଶ୍ବର : କରୋନା ଭୂତାଣୁ ପ୍ରସାରକୁ ରୋକିବା ଲାଗି ସଂକ୍ରମିତ ରହୁଥିବା ଅଞ୍ଚଳକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯିବ। ତେବେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନର ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ କିମ୍ବା ତାଙ୍କ ଦ୍ବାରା ଅଧିକୃତ ଅଧିକାରୀଙ୍କ ବିନା ଅନୁମୋଦନରେ ଅବରୋଧ ଅଞ୍ଚଳ ଘୋଷଣା କରିପାରିବେ ନାହିଁ।

ଅବରୋଧ ଅଞ୍ଚଳ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆଜି ରାଜ୍ୟର ଅତିରିକ୍ତ ଶାସନ ସଚିବ, ପୁଲିସ ମହାନିର୍ଦେଶକ, ବିଭିନ୍ନ ବିଭାଗର ସଚିବ, ପୁଲିସ କମିସନର, ମ୍ୟୁନିସପାଲ କମିସନର ଓ ନିର୍ବାହୀ ଅଧିକାରୀଙ୍କୁ ଏମିତି ଚିଠି ଲେଖିଛନ୍ତି। ଅବରୋଧ ଅଞ୍ଚଳରେ କିଏ କଣ କରିବେ, ନିର୍ଦିଷ୍ଟ କି କି କଟକଣା ଜାରି କରାଯିବ, ସେ ନେଇ ମଧ୍ୟ ଚିଠିରେ ବିସ୍ତୃତ ଭାବେ କୁହାଯାଇଛି। କୌଣସି ବି ପରିସ୍ଥିତିରେ ଅବରୋଧ ଅଞ୍ଚଳରେ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା ସେଠାରୁ କେହି ବାହାରି ପାରିବେ ନାହିଁ। ଅର୍ଥାତ୍ ସମ୍ପୂର୍ଣ୍ଣ ଅଞ୍ଚଳକୁ ବ୍ୟାରିକେଡିଂ କରାଯିବା ସହିତ ଆଗମନ ଓ ପ୍ରସ୍ଥାନ ପାଇଁ ଥିବା ସବୁ ରାସ୍ତା ସିଲ୍ େହବ।

ମୁଖ୍ୟ ସଚିବ ଯେଉଁ ୯ସୂତ୍ରୀ ନିର୍ଦେଶନାମା ଜାରି କରିଛନ୍ତି ସେଥିରେ କୁହାଯାଇଛି ଯେ ଅବରୋଧ ଅଞ୍ଚଳରେ ରହୁଥିବା ବୟସ୍କ, ଏକୁଟିଆ ମହିଳା, ପ୍ରସୂତୀ, ଦିବ୍ୟାଙ୍ଗ ପ୍ରମୁଖଙ୍କୁ ମ୍ୟାପିଂ କରାଯିବ। ସେମାନଙ୍କ ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିବାକୁ ବାଧ୍ୟ। ଥରେ କୌଣସି ସ୍ଥାନ ଅବରୋଧ ଅଞ୍ଚଳ ଭାବେ ଘୋଷିତ ହେଲେ ଅଙ୍ଗନବାଡି କର୍ମୀ, ଏଏନ୍ଏମ୍, ସ୍ବାସ୍ଥ୍ୟକର୍ମୀ, ଶିକ୍ଷକ ଦୁଆର ଦୁଆର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖିବେ। ମେଡିକାଲ ଅଧିକାରୀ ଏହାର ତଦାରଖ କରିବେ। ଯଦି କାହା ନିକଟରେ କୌଣସି ଫ୍ଲୁ ଭଳି ଲକ୍ଷଣ ଦେଖାଗଲା, ତେବେ ସଂପୃକ୍ତ ବ୍ୟକ୍ତିଙ୍କ ନମୁନା ସଂଗ୍ରହ ହେବ ଓ ପରୀକ୍ଷା ପାଇଁ ପଠାଯିବ।

ସେହିଭଳି ଅବରୋଧ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ଯେଭଳି କୌଣସି ସମସ୍ୟା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଚିଠିରେ ତାଗିଦ୍ କରାଯାଇଛି। ମୁଖ୍ୟ ସଚିବ ଜଣାଇଛନ୍ତି ଯେ ଜିଲ୍ଲାପାଳ ଓ ପୌର କମିସନର ଏ ଦିଗରେ ପଦକ୍ଷେପ ନେବେ। କେବଳ ସେତିକି ନୁହେଁ, ଅବରୋଧ ଅଞ୍ଚଳରେ ରହୁଥିବା ସମସ୍ତ ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଏକ ହ୍ବାଟ୍ସ ଆପ୍ ଗ୍ରୁପ୍ ନିଶ୍ଚିତ କରାଯିବ। ଏହି ହ୍ବାଟ୍ସ ଆପ୍ ଗ୍ରୁପ ସୂଚନା ପ୍ରଦାନ ଓ ଗ୍ରହଣରେ ପ୍ରମୁଖ ଭାବେ କାର୍ଯ୍ୟ କରିବ। ଏହାବ୍ୟତୀତ କେବୁଲ ଟିଭି, ସାଟେଲାଇଟ୍ ଟିଭି ଓ ପୋଷ୍ଟର ଆଦି ଜରିଆରେ ମଧ୍ୟ ସୂଚନା ପ୍ରଦାନ କରାଯାଇପାରେ। ଏକ ଲାଉଡ ସ୍ପିକର ଜରିଆରେ ଅବରୋଧ ଅଞ୍ଚଳରେ ପ୍ରଶାସନ ସମସ୍ତ ସୂଚନା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି।

ଯଦି ଦୁଇ ରାଉଣ୍ଡ ଦୁଆର ଦୁଆର ସର୍ଭେ ପରେ ବି କୌଣସି ଲକ୍ଷଣ ବା ସଂକ୍ରମଣର ସୂଚନା ମିଳିଲା ନାହିଁ, ତେବେ ଜିଲ୍ଲାପାଳ ବା ପୌର କମିସନର ସ୍ବାସ୍ଥ୍ୟବିଭାଗର ପରାମର୍ଶକ୍ରମେ ଅବରୋଧ ଅଞ୍ଚଳ କଟକଣାକୁ ଉଠାଇ ଦେଇପାରିବେ ବୋଲି ମୁଖ୍ୟସଚିବ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe