ନିଆଳି: କଟକ ଜିଲ୍ଲାର ନିଆଳି ନିର୍ବାଚନ ମଣ୍ତଳୀରୁ ହ୍ୟାଟ୍ରିକ ବିଜୟ ହାସଲ କରି ରେକର୍ଡ କରିଛନ୍ତି ବିଜେଡି ନେତା ପ୍ରଫେସର ଡାକ୍ତର ପ୍ରମୋଦ ମଲ୍ଲିକ। କିନ୍ତୁ, କଂଗ୍ରେସର ପ୍ରଭାବ ଥିବା ଅଞ୍ଚଳ ଭାବେ ନିଆଳି ନିର୍ବାଚନ ମଣ୍ଡଳୀ ସବୁବେଳେ ପରିଗଣିତ ହୋଇ ଆସିଛି। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ ଭଳି ବରିଷ୍ଠ କଂଗ୍ରେସ ନେତା ଏହି ଅଞ୍ଚଳର ହୋଇଥିବା ବେଳେ ଏବେ ଦୁଇନେତା ହାତ ମିଳାଇ ଦଳକୁ ଆଗକୁ ବଢାଇବା ପାଇଁ ଉଦ୍ୟମ କରିବା ଘଟଣା କଂଗ୍ରେସ ପାଇଁ ନୂଆ ଆଶା ସଂଚାର କରିଛି। ଗଲା ୬ ମାସ ଭିତରେ କଂଗ୍ରେସ ପକ୍ଷରୁ ୩୦ରୁ ଅଧିକ ଛୋଟବଡ଼ ମିଶ୍ରଣ ପର୍ବ ଜରିଆରେ ପୁରୁଣା ନେତା ଓ କର୍ମୀଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ଦଳକୁ ଶକ୍ତି ଯୋଗାଉଛି। ୨୦୨୨ ପଂଚାୟତ ନିର୍ବାଚନରେ ନିଆଳିରେ କଂଗ୍ରେସ ଶାସକ ବିଜେଡି ଦଳକୁ କଡ଼ା ମୁକାବିଲା ଦେଇ ଆସିଥିଲା।
ନିଆଳି ପଂଚାୟତ ସମିତି ଦଖଲ କରିବା ପାଇଁ ପିସିସିର ସାଧାରଣ ସମ୍ପାଦକ ଶଶୀକାନ୍ତ ଲେଙ୍କା ଉଦ୍ୟମ କରିଥିବା ବେଳେ ଅଳ୍ପକେ ବିଫଳ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଛବି ମଲ୍ଲିକ ବିଜେପିରେ ଯୋଗ ଦେବାଫଳରେ ଦଳ ଅକଳରେ ପଡ଼ି ଶେଷ ମୁହୂର୍ତ୍ତରେ ୨୦୧୯ରେ ମମତା ଭୋଇଙ୍କୁ ପ୍ରାର୍ଥୀ କରିଥିଲା। ଫଳରେ, ପୂର୍ବ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହି ଆସିଥିବା କଂଗ୍ରେସ ୨୦୧୯ରେ ତୃତୀୟ ସ୍ଥାନକୁ ଖସି ଯାଇଥିଲା। କିନ୍ତୁ, ୨୦୨୨ ପଂଚାୟତ ନିର୍ବାଚନରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଏବେ ଦଳକୁ ସଂଗଠିତ କରିବା ପାଇଁ ଅଞ୍ଚଳର ଦୁଇ ବରିଷ୍ଠ ନେତା ହାତ ମିଳାଇବା ଓ ଶଶିକାନ୍ତ ଲେଙ୍କାଙ୍କ ଭଳି ଯୁବ ନେତା ସହଯୋଗ କରିବା ଘଟଣା ଶାସକ ବିଜେଡି ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି। ଏପରିକି, ଦଳର ଦୁଇ ବରିଷ୍ଠ ନେତା ପଞ୍ଚାନନ ଓ ରବି ବିଭିନ୍ନ ସ୍ଥାନରେ ଏକାଠି କର୍ମୀ ସମ୍ମିଳନୀ, ବୈଠକ କରୁଥିବା ଦେଖିବାକୁ ମିଳୁଛି।
ନିଆଳି ନିର୍ବାଚନୀ ମଣ୍ତଳୀରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ଯୁବ ନେତା ତଥା ନୂଆ ଚେହେରା ଭାବେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଆର୍ତ୍ତ ମଲ୍ଲିକଙ୍କ ପୁଅ ଜ୍ୟୋତି ରଞ୍ଜନ ମଲ୍ଲିକ ବି ପ୍ରୟାସ ଆରମ୍ଭ କରି ତୃଣମୂଳ ସ୍ତରରେ କର୍ମୀଙ୍କୁ ସଂଗଠିତ କରୁଛନ୍ତି। ପିସିସି ଅନୁସୂଚିତ ଜାତି ଗଣମାଧ୍ୟମ ସଂଯୋଜକ ବିମ୍ବାଧର ମଲ୍ଲିକ, ଗତ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ମମତା ଭୋଇ କଂଗ୍ରେସ ଟିକେଟ ଲବିରେ ଅଛନ୍ତି।
Follow Us