ରାଜ୍ୟରେ ଲିଭର ପ୍ରତିରୋପଣ ପାଇଁ ପୁଣି ନୂଆ ଆଶା: ପ୍ରତିରୋପଣ ଅପେକ୍ଷାରେ ୨୦୫ ରୋଗୀ

ଏସ୍‌ସିବିରେ ପଞ୍ଜୀକରଣ କରିଛନ୍ତି ୪ ଶିଶୁ ରୋଗୀ, ୯ ବର୍ଷ ହେଲା ୟୁନିଟ୍‌ ସ୍ଥାପନ ଶୀତଳଭଣ୍ଡାରରେ

ରାଜ୍ୟରେ ଲିଭର ପ୍ରତିରୋପଣ ପାଇଁ ପୁଣି ନୂଆ ଆଶା: ପ୍ରତିରୋପଣ ଅପେକ୍ଷାରେ ୨୦୫ ରୋଗୀ

Yashoda Hospitals

କଟକ : ଶିଶୁମାନଙ୍କ ଯକୃତ ପ୍ରତିରୋପଣ ପାଇଁ ବେଙ୍ଗାଲୁରୁସ୍ଥିତ ଆସ୍ତର ସିଏମ୍ଆଇ ହସ୍ପିଟାଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ସୁବିଧା ପ୍ରଥମଥର ପାଇଁ କଟକ ବଡ଼ଡାକ୍ତରଖାନାରେ ଉପଲବ୍ଧ ହେବ। ଅନ୍ୟପଟେ ୨୦୨୧, ଅକ୍ଟୋବର ୨୫ରୁ ଏସ୍‌ସିବିରେରେ ଲିଭର ପଞ୍ଜୀକରଣ ଓପିଡି ଖୋଲାଯାଇଥିବାବେଳେ ଆଜିସୁଦ୍ଧା ୨୦୫ ଜଣ ଲିଭର ଆବଶ୍ୟକ କରୁଥିବା ପଞ୍ଜୀକରଣରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ୪ଜଣ ଶିଶୁ ରୋଗୀ।

ବୁଝାମଣା ଅନୁଯାୟୀ, ଆସ୍ତର ହସ୍ପିଟାଲ୍‌ର ଡାକ୍ତରମାନେ ଯକୃତ ରୋଗରେ ପୀଡ଼ିତ ଶିଶୁରୋଗୀଙ୍କ ପରୀକ୍ଷାନିରୀକ୍ଷା କରିବାପରେ ଅସ୍ତ୍ରୋପଚାର ଆବଶ୍ୟକତା ପଡ଼ିଲେ ସେମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବେ। ଏହାସହ ଆସ୍ତର ପକ୍ଷରୁ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀ ମାନଙ୍କୁ ଯକୃତ ପ୍ରତିରୋପଣ ସଂପର୍କିତ ସମସ୍ତ ପ୍ରକାର ତାଲିମ ପ୍ରଦାନ କରାଯିବ। ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହେବା ଦ୍ବାରା ରାଜ୍ୟରେ ସୁପରସ୍ପେଶାଲିଟି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ ବୋଲି ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଥିବାବେଳେ ବିନା ମୂଲ୍ୟରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରୋଗୀ ପାଇପାରିବେ। ଲୋକଙ୍କୁ ଆଉ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯିବାକୁ ପଡ଼ିବ ନାହିଁ। ସରକାରଙ୍କ ଯୋଜନା ଅନୁଯାୟୀ ଆଗାମୀଦିନରେ ବୟସ୍କମାନଙ୍କୁ ମଧ୍ୟ ଯକୃତ ପ୍ରତିରୋପଣ ସୁବିଧା ଯୋଗାଇ ଦିଆଯିବ।

publive-image Telegraph India

ଅପରପକ୍ଷେ, କଟକ ବଡ଼ଡାକ୍ତରଖାନାରେ ଲିଭର ପ୍ରତିରୋପଣ ୟୁନିଟ୍‌ ପାଇଁ ଗଲା ୨୦୧୨/୨୦୧୩ରୁ ଯୋଜନା ଆରମ୍ଭ ହେବା ସହ ଯନ୍ତ୍ରାଂଶ କିଣା, ଡାକ୍ତର, ପାରାମେଡିକାଲ କର୍ମଚାରୀ ବିଭିନ୍ନ ପର୍ଯ୍ୟାୟରେ ତାଲିମ୍‌ ନେଇ ସାରିଛନ୍ତି। କିନ୍ତୁ ଏଥିପାଇଁ ଯେଉଁ ୧୨କୋଟିର ଯନ୍ତ୍ରାଂଶ କିଣାଯାଇଥିଲା, ତାହା ଏବେ ଆଉ କାମରେ ଆସିବନି ବୋଲି ସ୍ପଷ୍ଟ ହୋଇସାରିଛି। ଯେଉଁ ଡାକ୍ତର ସବୁ ତାଲିମ୍ ନେଇଥିଲେ, ସେମାନଙ୍କ ମଧ୍ୟରୁ କିଏ ଅବସର ନେଇସାରିଲେଣି ତ କିଏ ବଦଳି ହୋଇ ଅନ୍ୟ ସ୍ଥାନରେ ଅଛନ୍ତି। ସେତେବେଳେ ଏହି ପ୍ରତିରୋପଣ ୟୁନିଟ୍‌ କାର୍ଯ୍ୟକ୍ଷମ ହୋଇଥିଲେ ଏହା ସରକାରୀ ବ୍ୟବସ୍ଥାରେ ପୂର୍ବଭାରତର ପ୍ରଥମ ଲିଭର ପ୍ରତିରୋପଣ ୟୁନିଟ୍‌ ହୋଇଥା’ନ୍ତା। ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ପରେ ଗଲା ୨୦୨୧ ଅକ୍ଟୋବର ୨୫ରେ ଏସ୍‌ସିବି ହେପାଟୋଲୋଜି ଓ ଗ୍ୟା‌ଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି ବିଭାଗ ପକ୍ଷରୁ ମିଳିତ ଭାବେ ଏସ୍‌ସିବି‌ରେ ଲିଭର ପଞ୍ଜୀକରଣ ଓପିଡି ଖୋଲାଯାଇଛି। ଯେଉଁଠି ଲିଭର ଆବଶ୍ୟକ କରୁଥିବା ରୋଗୀଙ୍କ ପଞ୍ଜୀକରଣ କରାଯାଉଛି। ଏହି ଓପିଡିରେ ଯେଉଁ ୨୦୫ଜଣ ଲିଭର ପାଇବା ପାଇଁ ପଞ୍ଜୀକରଣ କରିଛନ୍ତି, ସେଥିରୁ ୧୯୨ଜଣ ପୁରୁଷ ଓ ୯ଜଣ ମହିଳା ରୋଗୀ ଥିବାବେଳେ ୪ଜଣ ଶିଶୁ ରୋଗୀ ରହିଛନ୍ତି। ଏବେ ସରକାର ଯେଉଁ ଶିଶୁ ରୋଗୀଙ୍କ ଲିଭର ପ୍ରତିରୋପଣ ପାଇଁ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି ସେଥିରେ ୪ଜଣ ଶିଶୁ ରୋଗୀଙ୍କ ପରିବାର ପାଇଁ ନୂଆ ଆଶା ସଂଚାର ହୋଇଛି।

ଅନ୍ୟପଟେ ଏସ୍‌ସିବି ୟୁରୋଲୋଜି ବିଭାଗ ଓଟିରେ ଏହି ଅସ୍ତ୍ରୋପଚାର କରାଯିବାର ଯୋଜନା ପ୍ରଥମରୁ କରାଯାଇଥିବାବେଳେ ୯ବର୍ଷ ହେଲା ଏସ୍‌ସିବିରେ ଲିଭର ପ୍ରତିରୋପଣ ୟୁନିଟ୍‌ ସ୍ଥାପନ ଶୀତଳଭଣ୍ଡାରରେ ପଡିଛି। ଯେଉଁଥିପାଇଁ ୧୨କୋଟି ଟଙ୍କା ପାଣିରେ ପଡିଥିବାବେଳେ କେବଳ ବାରମ୍ବାର ଲିଭର ପ୍ରତିରୋପଣ ୟୁନିଟ୍‌ ନେଇ ସମୀକ୍ଷା, ଉଚ୍ଚସ୍ତରୀୟ ବୈଠକ ବସୁଥିଲେ ବି ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରରୀ ହୋଇପାରୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe