ନୂଆ ମୋଡ଼ ନେଲା ସୁମିତ-ତପସ୍ବିନୀ ମାମଲା: ଶ୍ବଶୁର ଘରେ ରହିବାକୁ ନିର୍ଦ୍ଦେଶ ଦେଇ ନାହାନ୍ତି ଜିଲ୍ଲାଜଜ୍‌!

Advertisment
ନୂଆ ମୋଡ଼ ନେଲା ସୁମିତ-ତପସ୍ବିନୀ ମାମଲା: ଶ୍ବଶୁର ଘରେ ରହିବାକୁ ନିର୍ଦ୍ଦେଶ ଦେଇ ନାହାନ୍ତି ଜିଲ୍ଲାଜଜ୍‌!

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ସୁମିତ-ତପସ୍ବିନୀ ମାମଲା ପୁଣିଥରେ ଭିନ୍ନ ମୋଡ଼ ନେଇଛି। ବୋହୂ ତପସ୍ବିନୀ ଦାଶ ତାଙ୍କ ସ୍ବାମୀଙ୍କ ଘରେ ରହି ପାରିବେ ବୋଲି ଜିଲ୍ଲାଜଜ୍‌ ରାୟ ଦେଇଥିଲେ। ସେହି ନିର୍ଦ୍ଦେଶ କ୍ରମେ ଆଜି ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘର ଉପର ମହଲା ସଫାସୁତରା କରାଯାଇଥିଲା। ହେଲେ ସଂଧ୍ୟାରେ ଡା. ସୁମିତ ସାହୁଙ୍କ ଓକିଲ ସୁରେନ୍ଦ୍ର ବେହେରା ଏକ ନୂଆ ତଥ୍ୟ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି। ଜିଲ୍ଲାଜଜ୍‌ ଶ୍ବଶୁର ଘରେ ରହିବାକୁ ଅନୁମତି ଦେଇ ନଥିବା କହିଛନ୍ତି। ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରାଙ୍କ ଏଭଳି ତଥ୍ୟ ଦେବା ପରେ ତପସ୍ବିନୀଙ୍କ ପାଇଁ ସଫା କରାଯାଇଥିବା ରୁମ୍‌ରେ ଏବେ ତାଲା ପଡ଼ିଛି। ଫଳରେ ତପସ୍ବିନୀ ପୂର୍ବଭଳି ଆଜି ମଧ୍ୟ ବାହାରେ ବସିଛନ୍ତି।

ସୁମିତ-ତପସ୍ବିନୀ ମାମଲାକୁ ନେଇ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ରୁଜୁ ହୋଇଥିବା ପିଟିସନ୍‌ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ଉଭୟ ପକ୍ଷଙ୍କ ଓକିଲ ଜିଲ୍ଲାଜଜ୍‌ କୋର୍ଟରେ ଅପିଲ୍‌ କରିିଥିଲେ। ଏହି ଅପିଲ୍‌ର ଶୁଣାଣି କରି ଜିଲ୍ଲାଜଜ୍‌ ତପସ୍ବିନୀଙ୍କ ସପକ୍ଷରେ ରାୟ ଦେଇଥିବା ତାଙ୍କର ଓକିଲ ଦୀପକ ପଟ୍ଟନାୟକ କହିଥିଲେ। ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘରେ ତପସ୍ବିନୀ ରହି ପାରିବେ ‌ବୋଲି କୋର୍ଟ ନିର୍ଦ୍ଦେଶ ଜାରି କରିଥିବା ଆଇନଜୀବୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ଏହା ସହିତ ଏହି ନିର୍ଦ୍ଦେଶନାମାର ନକଲ ବ୍ରହ୍ମପୁର ଏସ୍‌.ପି., ବ୍ରହ୍ମପୁର ଉପଜିଲ୍ଲାପାଳ, ବୈଦ୍ୟନାଥପୁର ଥାନା ଅଧିକାରୀ ଓ ଛତ୍ରପୁରସ୍ଥିତ ମହିଳା ସୁରକ୍ଷା ଅଧିକାରୀଙ୍କୁ ପ୍ରେରଣ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିଲା। ସେ ନେଇ ପୁଲିସ ଓ ମହିଳା ସୁରକ୍ଷା ଅଧିକାରୀ ଶ୍ବଶୁର ପ୍ରମୋଦ ସାହୁଙ୍କ ସହିତ ଆଲୋଚନା କରିଥିଲେ। ପର୍ଯ୍ୟାୟ କ୍ରମେ ଆଲୋଚନା ପରେ ତପସ୍ବିନୀଙ୍କ ପାଇଁ ଉପର ମହଲା ଘର ଠିକ୍‌ କରାଯାଇଥିଲା।

ଆଜି ଶ୍ବଶୁର ପ୍ରମୋଦଙ୍କ ଉପସ୍ଥିତିରେ ଉପର ମହଲରେ ଥିବା ‌ଶୋଇବା କୋଠରି, ରୋଷେଇ ଘର ଓ ପୂଜାଘର ପ୍ରଭୃତି ସଫା କରାଯାଇଥିଲା। ତପସ୍ବିନୀ ଓ ତାଙ୍କର ଓକିଲ ପ୍ରଦୀପ ବେହେରା ମଧ୍ୟ ସେହି ଘରର ସ୍ଥିତି ଅନୁଧ୍ୟାନ କରିଥିଲେ। ଘରେ ଅନ୍ୟ କିଛି ସମସ୍ୟା ଥିବାରୁ ତାହା ସମାଧାନ କରିବାକୁ ତପସ୍ବିନୀଙ୍କ ତରଫରୁ କୁହାଯାଇଥିଲା। ସବୁ ଠିକ୍‌ କରିବା ପରେ ତପସ୍ବିନୀଙ୍କୁ ଘର ଉପଲବ୍ଧ କରାଯିବ ବୋଲି ଶ୍ବଶୁର ପ୍ରମୋଦ କହିଥିଲେ। କିନ୍ତୁ ସଂଧ୍ୟାରେ ଡା. ସୁମିତଙ୍କ ଓକିଲ ଶ୍ରୀ ବେହେରା ଜିଲ୍ଲାଜଜ୍‌ଙ୍କ ନିର୍ଦ୍ଦେଶ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ଯୁକ୍ତି ରଖିଛନ୍ତି। ତପସ୍ବିନୀଙ୍କୁ ମାସିକ ଭରଣପୋଷଣ ବାବଦରେ ୧୭ହଜାର ଟଙ୍କା ଦେବା ଏବଂ ତାଙ୍କୁ କୌଣସି ପ୍ରକାର ହଇରାଣ ନକରିବା ପାଇଁ ନିର୍ଦ୍ଦେଶରେ ଉଲ୍ଲେଖ ଥିବା କହିଛନ୍ତି।

ଡା. ସୁମିତଙ୍କ ଓକିଲଙ୍କ ଏଭଳି ବୟାନ୍‌ ପରେ ବ୍ରହ୍ମାନଗର ଦ୍ବିତୀୟ ଲାଇନ୍‌ ସ୍ଥିତ ଶ୍ବଶୁର ଘର ଆଗରେ ପୁଣି ଡ୍ରାମା ଆରମ୍ଭ ହୋଇଛି। ଉଭୟ ପକ୍ଷର ଓକିଲ ଉପସ୍ଥିତ ହୋଇ ନିଜ ନିଜର ଯୁକ୍ତି ଉପସ୍ଥାପନ କରୁଛନ୍ତି। ତପସ୍ବିନୀ ଘର ନପାଇ ମାନସିକସ୍ତରରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ପ୍ରତି କାହିଁକି ଏଭଳି ଅନ୍ୟାୟ କରାଯାଉ ବୋଲି ସେ ପ୍ରଶ୍ନ କରିଛନ୍ତି। ତପସ୍ବିନୀଙ୍କ ତରଫରୁ ହାଇକୋର୍ଟର ଆଇନଜୀବୀ ମାନସ ଚାନ୍ଦ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଜିଲ୍ଲାଜଜ୍‌ଙ୍କ ନିର୍ଦ୍ଦେଶ ୪୮ଘଣ୍ଟା ପରେ ମଧ୍ୟ କାର୍ଯ୍ୟକାରୀ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ କୋର୍ଟ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe