ଅଧିକ ‌ଯୌତୁକ ଦାବିରେ ନବବଧୂଙ୍କୁ ହତ୍ୟା ଅଭିଯୋଗ; ଶିକ୍ଷକ ସ୍ବାମୀଙ୍କ ସମେତ ଶଶୁର ଘରଲୋକ ଫେରାର

ଅଧିକ ‌ଯୌତୁକ ଦାବିରେ ନବବଧୂଙ୍କୁ ହତ୍ୟା ଅଭିଯୋଗ; ଶିକ୍ଷକ ସ୍ବାମୀଙ୍କ ସମେତ ଶଶୁର ଘରଲୋକ ଫେରାର

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଧୀନ ଭିମାସାହିରେ ଜଣେ ନବବଧୂଙ୍କୁ ଶଶୁର ଘରଲୋକ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପା ଘର ଲୋକ। ନବବଧୂଙ୍କ ମା’ ଥାନାରେ ଲିଖିତ ଅଭିଯୋଗ ପରେ ଶଶୁର ଘର ଲୋକ ଫେରାର ଅଛନ୍ତି। ନବବଧୂର ମୃତଦେହକୁ ନେଇ ଉତ୍ତେଜନା ଦେଖାଯାଇଛି। ମୃତଦେହ ରଖି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାପାଘର ଲୋକ ଧାରଣା ଦେଇଛନ୍ତି। ପୁଲିସର ପ୍ରତିଶ୍ରୁତି ପରେ ପରିବାର ଲୋକେ ଧାରଣାରୁ ଉଠିଛନ୍ତି।

ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ମହକୁମା ନିବାସୀ ରାମ ସେଠୀ ଓ ସୁଷମା ସେଠୀଙ୍କ ଝିଅ ଗୀତା ସେଠୀ (୨୪)ଙ୍କୁ ୨୦୨୩ ମସିହା ଜୁଲାଇ ମାସ ୧୧ ତାରିଖ ଦିନ ଜୟପୁରସ୍ଥିତ ବାରଣିପୁଟ ଠାରେ ପାପଡାହାଣ୍ଡି ଗ୍ରାମର ବନମାଳୀ ସେଠୀଙ୍କ ପୁଅ ତଥା ଶିକ୍ଷକ ସୁଦାମ ବାହା ହୋଇଥିଲେ। ହେଲେ ଏହି ବିବାହର ୬ ମାସ ମଧ୍ୟରେ ଶଶୁର ଘରଲୋକେ ଅଧିକ ଯୌତୁକ ଦାବି କରି ଗୀତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ। ନିର୍ଯାତନା ଦେଉଥିବା ବିଷୟରେ ଗୀତା ବାପାଘର ଲୋକଙ୍କୁ କହିବା ସହ ଆଉ ସ୍ୱାମୀ ପାଖରେ ରହିବି ନାହିଁ ବୋଲି ମଧ୍ୟ କହିଥିଲେ ଓ ପରବର୍ତ୍ତୀ ସମୟରେ ବାପଘରକୁ ଯାଇଥିଲେ।

ବାପା ଘରଲୋକ ଧୀରେଧୀରେ ସବୁ ଠିକ ହୋଇଯିବ କହି ଗୀତାଙ୍କୁ ବୁଝାଇ ଶଶୁରଘରକୁ ପଠେଇଦେଇଥିଲେ। ଶୁକ୍ରବାର ସକାଳ ୧୦ଟାରେ ଗୀତା ତାଙ୍କ ମଝିଆଭଉଣୀ ମାନସୀଙ୍କୁ ଫୋନକରି ସ୍ୱାମୀ ମାଡ଼ମାରୁଛନ୍ତି ବୋଲି କହିଥିଲେ। ଏହି ଘଟଣାର ଠିକ ୪ ଘଣ୍ଟା ମଧ୍ୟରେ ଅର୍ଥାତ ଅପରାହ୍‌ଣ ପ୍ରାୟ ୨ଟାରେ ଶଶୁର ଘରଲୋକଙ୍କୁ ଫୋନ କରି କହିଥିଲେ ଗୀତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଛି।

ଏହାପରେ ବାପ ଘରଲୋକ ପାପଡାହାଣ୍ଡି ପହଞ୍ଚିବା ଭିତରେ ଗୀତାକୁ ଆଣି ସୁଦାମ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଗୀତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ସୁଦାମ ଥାନାକୁ ଯାଇ ମୋ ସ୍ତ୍ରୀ ଆତ୍ମହତ୍ୟା କରିଛି। ଏବେ ତାର ମୃତଦେହ ମେଡିକାଲରେ ଅଛି ବୋଲି କହିଥିଲେ। ରାତି ୯ ଟାରେ ଗୀତାଙ୍କ ମା’,  ସ୍ୱାମୀ, ଶାଶୂ, ନଣନ୍ଦ, ଭଣଜାଙ୍କ ନାରେ ଯୌତୁକ ନିର୍ଯାତନା ସହ ହତ୍ୟା କରିଥିବା ନେଇ ଏକ ଲିଖିତ ଅଭିଯୋଗ ଥାନାରେ ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗୀତାଙ୍କ ସ୍ବାମୀଙ୍କ ସମେତ ଶଶୁର ଘର ଲୋକ ଫେରାର ଅଛନ୍ତି।

ଗୀତାଙ୍କ ମୃତ୍ୟୁ ନେଇ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖା ଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଗୀତାଙ୍କ ମୃତଦେହ ବ୍ୟବଛେଦ ପାଇଁ ଛାଡ଼ିବୁ ନାହିଁ ବୋଲି ପରିବାର ଲୋକ ଅଡିବସିଥିଲେ। ଜିଲ୍ଲା ମାତୃ ଆଶ୍ରୟ ଅଧକ୍ଷା କାଦିମ୍ବିନୀ ତ୍ରିପାଠୀ ଓ ପରିବାର ସଦସ୍ୟ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଫାଶୀ ଦଣ୍ଡ ଦେବା ପାଇଁ ଦାବି କରିଥିଲେ। ଏସଡିପିଓ ଆଦିତ୍ୟ ସେନ ଓ ଥାନା ଅଧିକାରୀ ଦୀପକ କୁମାର ଜେନା ୭ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ପରିବାର ଲୋକେ ମୃତଦେହ ଛାଡିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe