ପୁଣି ଆନ୍ଦୋଳନକୁ ଓହ୍ଲାଇବେ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ

Advertisment

୧୩ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

୧୩ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ନୂତନ ପେନସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ଦାବିପତ୍ର ଅଭିଯାନ

India CSR Network

ଭୁବନେଶ୍ବର : ଓଡ଼ିଶାରୁ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ ହେବା ନେଇ ୩ ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଯେଉଁମାନେ ଚୁକ୍ତିଭିତ୍ତିକ/ଠିକା ଭାବେ ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି କରୁଛନ୍ତି, ସେମାନେ ନିୟମିତ ହେବେ ବୋଲି ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। ଏଭଳି ଘୋଷଣା ପରେ ସମସ୍ତ ବିଭାଗ ତତ୍ପରତା ପ୍ରକାଶ କରିବା ସହ କର୍ମଚାରୀଙ୍କୁ ନିୟମିତ କରିଥିଲେ। ନିୟମିତ ଦରମା ମଧ୍ୟ ପ୍ରଦାନ କରିଛନ୍ତି। ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏହି ବିଜ୍ଞପ୍ତିକୁ ନେଇ ବହୁ ଅସଙ୍ଗତି ସୃଷ୍ଟି କରାଯାଇଛି। ବିଜ୍ଞପ୍ତି ଅନୁସାରେ, ୨୦୧୩ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଅନୁସାରେ, ଯେଉଁମାନେ ନିଯୁକ୍ତି ପାଇଛନ୍ତି କେବଳ ସେମାନେ ହିଁ ଉପକୃତ ହେବେ ବୋଲି ଉଲ୍ଲେଖ ରହିଥିଲା। ଅର୍ଥାତ୍‌ ୨୦୦୪ରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀ ଏହି ବିଜ୍ଞପ୍ତି ଅନୁସାରେ କୌଣସି ସୁବିଧା ପାଇବେନି ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ଏହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ତେଣୁ ଏହି ପାତରଅନ୍ତର ନୀତି ଉପରେ ପୁନର୍ବିଚାର କରିବାକୁ ନୂତନ ପେନସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି।

୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରି ସହ ଯୋଗ କରିବା ଓ ୬ଟି ନୋସନାଲ୍‌ ଇନ୍‌କ୍ରିମେଣ୍ଟ୍ ପ୍ରଦାନ, ୨୦୧୬ରୁ ୨୦୨୨ ମଧ୍ୟରେ ନିଯୁକ୍ତ ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ନିୟମିତ କରିବା ଦାବିରେ ଗତ ଡିସେମ୍ବର ୧୨ରେ ନୂତନ ପେନସନ୍ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ୧୭ଦିନ ଧରି ଆନ୍ଦୋଳନ ଚାଲିବା ପରେ ଗଣଶିକ୍ଷା ସଚିବଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ଯେଉଁଥିପାଇଁ ଆନ୍ଦୋଳକୁ ସ୍ଥଗିତ ରଖାଯାଇଥିଲା। ଇତିମଧ୍ୟରେ ମାସେ ବିତିଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ଦାବି ପୂରଣ ନେଇ ବିଚାର କରିନାହାନ୍ତି। ଯଦି ରାଜ୍ୟ ସରକାର ଫେବ୍ରୁଆରି ୧୦ ମଧ୍ୟରେ ଦାବି ପୂରଣ ନକରନ୍ତି, ଶିକ୍ଷକମାନେ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବେ। ଫେବ୍ରୁଆରି ୧୩ରେ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଦେଶ୍ୟ‌ରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ। ତା’ପରେ ବି ଯଦି ଦାବି ପୂରଣ ନ କରନ୍ତି, ଫେବ୍ରୁଆରି ୧୫ରେ ସମସ୍ତ ବିଧାୟକ/ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ସାଧାରଣ ସଂପାଦକ ଅମରେନ୍ଦ୍ର ସ୍ବାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe