ଫନି ପ୍ରଭାବିତ ଗଛ ବଞ୍ଚାଇବାକୁ ନୂଆ ଯୋଜନା : ସିଧା ଛିଡ଼ା ହେଲାଣି ୭ ହଜାର, ୩୦ ହଜାର ଗଛକୁ ସିଧା କରିବ ବନ ବିଭାଗ

Advertisment
ଫନି ପ୍ରଭାବିତ ଗଛ ବଞ୍ଚାଇବାକୁ ନୂଆ ଯୋଜନା : ସିଧା ଛିଡ଼ା ହେଲାଣି ୭ ହଜାର, ୩୦ ହଜାର ଗଛକୁ ସିଧା କରିବ ବନ ବିଭାଗ

ପୁରୀ : ଫନିରେ ଭାଙ୍ଗିଛି ଲକ୍ଷ ଲକ୍ଷ ଗଛ, ଉପୁଡ଼ି ପଡ଼ିଛି ମହାଦ୍ରୁମ। ହଜାର ହଜାର ଗଛ ଶୋଇପଡ଼ିଛି। ପ୍ରଥମ ଥର ପାଇଁ ନୂଆ ଜ୍ଞାନକୌଶଳ ପ୍ରୟୋଗ କରି ଶୋଇଥିବା ଗଛଗୁଡ଼ିକୁ ପୁଣି ଥରେ ସିଧା କରି ଛିଡ଼ା କରୁଛି ବନ ବିଭାଗ। ଏହି କୌଶଳ ପ୍ରୟୋଗ କରି ଭୁବନେଶ୍ବର ଓ ପୁରୀରେ ଏଯାବତ ୭ ହଜାରରୁ ଅଧିକ ଗଛ ସିଧା ଛିଡ଼ା କରାଗଲାଣି। ଆହୁରି ୩୦ ହଜାର ଗଛକୁ ସିଧା ଛିଡ଼ା କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

publive-image

ଆଜି ଦିନ ପ୍ରାୟ ୧୧ଟା ବେଳକୁ ବ୍ରହ୍ମଗିରି-ଖଜୁରିଆ ରାସ୍ତା କଡ଼ରେ ଶୋଇ ପଡ଼ିଥିବା ଗଛଗୁଡ଼ିକୁ ଉଠାଉଥାନ୍ତି ବନ କର୍ମଚାରୀ। ସିଧା ହୋଇଯିବା ପରେ ମୂଳରେ ମାଟି ଓ ଢିରା ଦେଇ ପାଣି ଦେଉଥାନ୍ତି। ଏମିତି ଗୋଟିଏ ପରେ ଗୋଟିଏ ଶୋଇଥିବା ଗଛକୁ ଛିଡ଼ା କରୁଥାନ୍ତି ବନ ବିଭାଗର କର୍ମଚାରୀମାନେ। ସେମାନଙ୍କ ସହଯୋଗ କରୁଥାନ୍ତି ସ୍ବେଚ୍ଛାସେବୀ। ବାତ୍ୟାରେ ଶୋଇ ପଡ଼ିଥବା ଗଛଗୁଡ଼ିକୁ ପୂର୍ବରୁ ଲୋକେ କାଟି ନେଇ ଯାଉଥିଲେ। ସେଥିରୁ ଅନେକ ଗଛ ବଞ୍ଚିଛନ୍ତି। ସେଗୁଡ଼ିକୁ କାଟି ଦେବା ପରିବର୍ତ୍ତେ ବଞ୍ଚାଇବାକୁ ପଦକ୍ଷେପ ନେଇଛି ବନ ବିଭାଗ। ରାସ୍ତା କଡ଼ରେ ଶୋଇଥିବା ଗଛଗୁଡ଼ିକୁ ଲୋକେ ଆଗ କାଟିନେବେ। ତେଣୁ ପ୍ରଥମ ପର୍ଯ୍ୟାୟରେ ରାସ୍ତାକଡ଼ ଗଛଗୁଡ଼ିକୁ ସଳଖ କରାଯାଉଥିବା ଶ୍ରୀ ମହାପାତ୍ର କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଫନିରେ ଉଭୟ ସରକାରୀ ଓ ବେସରକାରୀ ଜଙ୍ଗଲରୁ ପ୍ରାୟ ୨୨ ଲକ୍ଷ ଗଛ ନଷ୍ଟ ହୋଇଛି। ସେଥିରେ ବହୁ ବଡ଼ ବଡ଼ ଗଛ ରହିଛି। ଶୋଇ ପଡ଼ିଥିବା ମହାଦ୍ରୁମ ବା ଭଲ ଗଛଗୁଡ଼ିକରୁ ଧୀରେ ଧୀରେ ପତ୍ର କଅଁଳିଲାଣି। ତେଣୁ ସେ ସବୁ ଗଛ ବଞ୍ଚିଯିବାର ସମ୍ଭାବନା ଅଧିକ ରହିଛି। ଏହାବ୍ୟତୀତ ଏଭଳି ଗଛ କାଟିଦେଲେ ସେହି ସ୍ଥିତିରେ ଗଛଟିଏ ପହଞ୍ଚାଇବା ପାଇଁ ପ୍ରାୟ ୨୫ରୁ ୪୦ ବର୍ଷ ଲାଗିଯବ। ତେଣୁ ସେସବୁ ଗଛକୁ ଛିଡ଼ା କରାଯାଉଛି। ଏବେ ସୁଦ୍ଧା ୭ ହଜାରରୁ ଅଧିକ ଗଛ ଛିଡ଼ା ହୋଇ ସାରିଲାଣି। ଆମେ ୩୦ ହଜାର ଗଛକୁ ଛିଡ଼ା କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାସ୍ତା କଡ଼ ଓ ପରେ ପାର୍କ, ସରକାରୀ ଅଫିସ୍‌, ସରକାରୀ କ୍ବାର୍ଟର ଓ ଘରୋଇ ଲୋକଙ୍କ ଗଛକୁ ସିଧା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅପରେସନରେ କ୍ରେନ୍‌ ବି ଲାଗୁଛି। ବଡ଼ ବଡ଼ ଗଛକୁ କ୍ରେନ୍‌ ଓ ଜେସିବି ମାଧ୍ୟମରେ ଛିଡ଼ା କରାଯାଉଥିବା ଶ୍ରୀ ମହାପାତ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe