ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନୂଆ ନିୟମ: ବାହାଘରରେ ଭ୍ୟାନିଟି ସହ ଗର୍ଭନିରୋଧକ ସାମଗ୍ରୀ

Advertisment

ଫୋକସରେ ମହିଳା ପୁରୁଷ ବନ୍ଧ୍ୟାକରଣ

ଫୋକସରେ ମହିଳା ପୁରୁଷ ବନ୍ଧ୍ୟାକରଣ

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନୂଆ ନିୟମ: ବାହାଘରରେ ଭ୍ୟାନିଟି ସହ ଗର୍ଭନିରୋଧକ ସାମଗ୍ରୀ

ଭୁବନେଶ୍ବର : ରାଜ୍ୟରେ ଜନସଂଖ୍ୟାକୁ ଆଖିଦୃଶିଆ ଭାବେ କମାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପଦକ୍ଷେପରେ ଏକ ନୂଆ ଧାରା ଯୋଡ଼ି ହେବାକୁ ଯାଉଛି। ଏଣିକି ନବବିବାହିତ ଦମ୍ପତିଙ୍କୁ ଭ୍ୟାନିଟି ସହ ଗର୍ଭନିରୋଧକ ସାମଗ୍ରୀ ଯୋଗାଇ ଦିଆଯିବ। ଆଶା ଦିଦିମାନେ ବାହାଘର ଭୋଜି ଦିନ ସରକାରଙ୍କର ଏହି ଉପହାରକୁ ପ୍ରଦାନ କରିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଆଜି ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ‘ବିଶ୍ବ ଜନସଂଖ୍ୟା ଦିବସ’ ପାଳନ ଅବସରରେ ଏହି ସୂଚନା ଦିଆଯାଇଛି।

ସେହିପରି ଲିଙ୍ଗଗତ ପାର୍ଥକ୍ୟକୁ ହ୍ରାସ କରିବା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିଷ୍ପତ୍ତି ଓ ପରିବାର ନିୟୋଜନରେ ପୁରୁଷମାନଙ୍କୁ ଅଧିକ ସକ୍ରିୟ ଭୂମିକାକୁ ପ୍ରୋତ୍ସାହିତ କରାଯିବ ବୋଲି ଏଥିରେ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଯୋଗାଣ ପ୍ରଣାଳୀ ଯଥା ‘ଫ୍ୟାମିଲି ପ୍ଲାନିଂ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଇନ୍‌ଫର୍ମମେସନ ସିଷ୍ଟମ କରାଯାଇଛି। ଯାହାକି ଏକ ଅନଲାଇନ-ଆଧାରିତ ପଦ୍ଧତି। ଏଥିରେ ଯୋଗାଣ ବ୍ୟବସ୍ଥାକୁ ରାଜ୍ୟସ୍ତରରୁ ସ୍ୱାସ୍ଥ୍ୟ ଉପକେନ୍ଦ୍ରସ୍ତର ପର୍ଯ୍ୟନ୍ତ ସୁଗମ କରିବାରେ ସଫଳ କରିବ। ଏହାଦ୍ବାରା ସମସ୍ତ ଦମ୍ପତିଙ୍କ ପାଖରେ ଗର୍ଭନିରୋଧକ ସେବା ସହଜରେ ପହଞ୍ଚାଇହେବ। ଉଭୟ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଗୋଷ୍ଠୀସ୍ତରରେ ସଂଖ୍ୟାଧିକ ହିତାଧିକାରୀଙ୍କ ପାଇଁ ନିଜ ପସନ୍ଦ ମୁତାବକ ଗର୍ଭନିରୋଧକକୁ ଚୟନ କରିବା ପଦକ୍ଷେପକୁ ଅଧିକ ବ୍ୟାପକ କରାଯିବ ବୋଲି କାର୍ଯ୍ୟକ୍ରମ ଅବସରରେ ସୂଚନା ଦିଆଯାଇଛି। ଦମ୍ପତିଙ୍କୁ ନୂତନ ଗର୍ଭନିରୋଧକ (ଅନ୍ତରା ଏବଂ ସେଣ୍ଟକ୍ରୋମାନ ‘ଛାୟା’) ବଣ୍ଟନ କରାଯିବ। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ପ୍ରସବ କରୁଥିବା ମା’ମାନଙ୍କ ମଧ୍ୟରେ ପ୍ରସବ ପରବର୍ତ୍ତୀ ପରିବାର ନିୟୋଜନ ସେବାକୁ ଅଧିକ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥାଏ। ଯେଉଁଠାରେ ମା’ମାନଙ୍କୁ ସେମାନଙ୍କ ପ୍ରଜନନ ନିୟନ୍ତ୍ରଣ କରିବା ନିମନ୍ତେ ଗର୍ଭନିରୋଧକର ଉତ୍ତମ ବିକଳ୍ପ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷର ଯୋଜନାରେ ‘ଫିକ୍ସ ଡେ ଷ୍ଟାଟିକ ସେଣ୍ଟର’ର ସଂଖ୍ୟାରେ ବୃଦ୍ଧି କରାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସେହିପରି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ପରାମର୍ଶ ଏବଂ ଗର୍ଭନିରୋଧକ ସେବା ଭଳି ଯୋଜନା ମଧ୍ୟ ରହିଛି ବୋଲି ସୂଚନା ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପରିବାର ନିୟୋଜନ ଉପରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଚଳିତ ବର୍ଷ ପାଇଁ ଓଡ଼ିଶାରେ ବିଶ୍ବ ଜନସଂଖ୍ୟା ଦିବସ ପାଇଁ ‘ପରିବାର ନିୟୋଜନକୁ ଆପଣାନ୍ତୁ, ଉନ୍ନତିର ନୂତନ ଅଧ୍ୟାୟ ଲେଖନ୍ତୁ’ ସ୍ଲୋଗାନ୍‌ ରଖାଯାଇଛି ବୋଲି ସେ କହିଥିଲେ।
ପରିବାର ନିୟୋଜନ ସେବା ୨୦୨୧-୨୨ ବର୍ଷ ପାଇଁ ମାଲକାନଗିରି ଓ ରାୟଗଡ଼ା, ଗର୍ଭନିରୋଧକ ଏମ୍‌ପିଏ (ଅନ୍ତରା) ବ୍ୟବହାରରେ ଦେବଗଡ଼ ଓ ଜଗତସିଂହପୁର ଜିଲ୍ଲା, ଆଇୟୁସିଡି ବ୍ୟବହାରରେ ମାଲକାନଗିରି ଓ ସୁବର୍ଣ୍ଣପୁର, ‘ଫ୍ୟାମିଲି ପ୍ଲାନିଂ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଇନ୍‌ଫର୍ମମେସନ ସିଷ୍ଟମରେ ଖୋର୍ଦ୍ଧା ଓ ନୂଆପଡ଼ା ଜିଲ୍ଲା, ଫ୍ୟାମିଲି ପ୍ଲାନିଂ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଇନ୍‌ଫର୍ମମେସନ ସିଷ୍ଟମରେ ଡିଭିଏଲ୍‌ଏମ୍ କାର୍ଯ୍ୟାନ୍ୱୟନରେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲାକୁ ପୁରସ୍କୃତ କରାଯାଇଛି। ସେହିଭଳି ପରିବାର ନିୟୋଜନରେ ଜୀବନବ୍ୟାପୀ ସାଧନା ପାଇଁ କଳାହାଣ୍ଡି ଜିଲାର ଡା. ସଦାନନ୍ଦ ପାଣିଗ୍ରାହୀ, କେନ୍ଦୁଝର ଜିଲ୍ଲାର ଡା. ମଦନ ମୋହନ ମହାପାତ୍ର, ମାଲକାନଗିରି ଜିଲ୍ଲାର ସପନ କୁମାର ଡିଣ୍ଡା, ବାଲେଶ୍ୱର ଜିଲ୍ଲାର ଡା. ଅନୁପ କୁମାର ଘୋଷ, ଭଦ୍ରକ ଜିଲାର ଡା. ମୁରଲୀଧର ପାଢୀ ଏବଂ ଢେଙ୍କାନାଳ ଜିଲ୍ଲାର ଡା. ଦୀପକ କୁମାର ଦେହୁରୀଙ୍କୁ ପୁରସ୍କୃତ କରାଯାଇଛି।
କାର୍ଯ୍ୟକ୍ରମରେ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଡା. ମୁରଲୀଧର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe