କୃଷି ବିଭାଗ ପକ୍ଷରୁ ଡିବିଟି ପ୍ରଦାନ ପାଇଁ ନୂଆ ଏସ୍‌ଓପି

ରାଜ୍ୟରେ ୭୫% ନାମମାତ୍ର ଚାଷୀ

kaliaportal.odisha.gov.in

ଭୁବନେଶ୍ବର : କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ ଯୋଜନାରେ ଅଣୁସାର, କୀଟନାଶକ ଔଷଧ, ତୃଣନାଶକ ପଦାର୍ଥ ଆଦି ପ୍ରଦାନ କରା ନ ଯାଇ ଡିବିଟି ମାଧ୍ୟମରେ ଏହାର ଅର୍ଥରାଶି ସିଧାସଳଖ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ। ଏହା ଦ୍ବାରା ଚାଷୀମାନେ ସେମାନଙ୍କ ପସନ୍ଦର କୃଷି ସାମଗ୍ରୀ କିଣିବାକୁ ସ୍ବାଧୀନତା ପାଇବା ସହ ଏଥିରେ ସ୍ବଚ୍ଛତା ଅଣାଯାଇପାରିବ ବୋଲି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ବିଭାଗ ପକ୍ଷରୁ ପ୍ରଦର୍ଶନ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଡିବିଟି ପ୍ରଦାନ କ୍ଷେତ୍ରରେ ନୂଆ ଏସ୍‌ଓପି ଜାରି କରାଯାଇଛି।

ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ କୃଷି ବିଭାଗ ପକ୍ଷରୁ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାରେ ଅଣୁସାର ଓ କୀଟଦମନ ନିମନ୍ତେ କୀଟନାଶକରେ ରିହାତି ଯୋଗାଇ ଦିଆଯାଉଛି। ମାଟିର ଉର୍ବରତା ନିମନ୍ତେ ଅଣୁସାର ପାଇଁ ସର୍ବାଧିକ ଦୁଇ ହେକ୍ଟର ଜମି ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଥିରେ ଚାଷୀମାନେ ନିଜ ପସନ୍ଦ ମୁତାବକ ଅଣୁସାର, କୀଟନାଶକ, ଜିପସମ୍‌, ବାୟୋ ଫର୍ଟିଲାଇଜର୍‌, ଅର୍ଗାନିକ୍ ସାର ଆଦି କ୍ରୟ କରିବାର ସୁଯୋଗ ପାଉଥିଲେ ଓ ବିଭାଗ ପକ୍ଷରୁ ଏହାର ରିହାତି ଡିବିଟି ମାଧ୍ୟମରେ ପାଉଥିଲେ। ଅପର ପକ୍ଷରେ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାରେ ଆବଶ୍ୟକ କୃଷି ସାମଗ୍ରୀ ବିଭାଗ ପକ୍ଷରୁ କ୍ରୟ କରାଯାଇ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିଲା। କ୍ଷେତ୍ର କୃଷି ଅଧିକାରୀମାନେ ଟେଣ୍ଡର୍‌ ମାଧ୍ୟମରେ ଅଣୁସାର, କୀଟନାଶ, ତୃଣନାଶକ କ୍ରୟ କରି ହିତାଧିକାରୀଙ୍କୁ ବଣ୍ଟନର ବ୍ୟବସ୍ଥା ଥିଲା। ମାତ୍ର ଏଥିରେ ଚାଷୀଙ୍କୁ ତାଙ୍କ ପସନ୍ଦର କୃଷି ସାମଗ୍ରୀ କ୍ରୟ ଓ ବ୍ୟବହାର ନିମନ୍ତେ ସୁଯୋଗ ମିଳୁ ନ ଥିଲା। ନୂଆ ବ୍ୟବସ୍ଥାରେ ଏହି ଅର୍ଥ ଡିବିଟି ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଏହା ଫଳରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ମିଳୁଥିବା ରିହାତି ଡିବିଟି ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe