ଭୁବନେଶ୍ବର: ବିକ୍ରମ କେଶରୀ ଆରୁଖ ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ବାଚନିକ ଭୋଟ ପରେ ଶ୍ରୀ ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ। ମୁଖ୍ୟମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନାମ ପ୍ରସ୍ତାବ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାଵକୁ ସମର୍ଥନ କରିଥିଲେ। ସୋମବାର ଦିନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଏହି ଘୋଷଣା କରାଯାଇଛି। ତାପରେ ବିକ୍ରମ କେଶରୀ ଆରୁଖ ନୂତନ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବାହ୍ନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ନିର୍ବାଚନ ପରେ ଗୃହ ମୁଲତବୀ ରହିଛି।
ସୂଚନାଯୋଗ୍ୟ, ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଗତ ୪ ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ବାଚସ୍ପତି ନିର୍ବାଚନର ଆବଶ୍ୟକତା ପଡ଼ିଥିଲା। ବିଜେଡି ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ବିକ୍ରମ କେଶରୀ ଆରୁଖଙ୍କ ନାମ ଘୋଷଣା କରାଯାଇଥିଲା। ଶ୍ରୀ ଆରୁଖ ଗତ ୧୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଯେହେତୁ ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି, ତେଣୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ଅଧିବେଶନରେ ଏ ସମ୍ପର୍କିତ ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀ ଆରୁଖଙ୍କୁ ବାଚସ୍ପତି ଭାବେ ବିଧିବଦ୍ଧ ଘୋଷଣା କରାଯାଇଛି।
ଭଞ୍ଜନଗରର ୬ ଥରର ବିଧାୟକ ହେଉଛନ୍ତି ବିକ୍ରମ କେଶରୀ ଆରୁଖ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଭିନନ୍ଦନ ଜଣାଇଥିଲେ। ବିରୋଧୀ ଦଳର ନେତା ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଶୁଭେଚ୍ଛା ଜ୍ଞାପନ କରିଥିଲେ।
ନୂତନ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ବିକ୍ରମ କେଶରୀ ଆରୁଖ କହିଛନ୍ତି, ମୋତେ ସର୍ଵସମ୍ମତିକ୍ରମେ ନିର୍ବାଚିତ କରିଥିବାରୁ ମୁଁ ପ୍ରଥମେ ବିଧାନସଭାର ସବୁ ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି। ଗୃହ କାର୍ଯ୍ୟ ସୁପରିଚାଳନା ପାଇଁ ସମସ୍ତେ ସହଯୋଗ କରିବେ ବୋଲି ଆଶା କରୁଛି। ଗୃହ ପରିଚାଳନା ଆଇନକୁ ଠିକ ଭାବେ କାର୍ଯ୍ୟ କରାଯିବ।
Follow Us