ତିଆରି ହେଲା ବିରଳ ତାରକାକୃତି ଅଣୁ

Advertisment

ଆଇଆଇଟି ମାଡ୍ରାସରେ ଓଡ଼ିଆ ପ୍ରଫେସର ଓ ଗବେଷକଙ୍କ ସଫଳତା

ଆଇଆଇଟି ମାଡ୍ରାସରେ ଓଡ଼ିଆ ପ୍ରଫେସର ଓ ଗବେଷକଙ୍କ ସଫଳତା

ତିଆରି ହେଲା ବିରଳ ତାରକାକୃତି ଅଣୁ

ସମ୍ବଲପୁର : ଆଇଆଇଟି ମାଡ୍ରାସର ଓଡ଼ିଆ ପ୍ରଫେସର ଦିଲୀପ କୁମାର ଚାନ୍ଦ ଏବଂ ତାଙ୍କ ସହଯୋଗୀ ଗବେଷକମାନେ ତାରକା ଆକୃତିର ଏକ ବିରଳ ପଞ୍ଚକୋଣୀୟ ଅଣୁ ନିର୍ମାଣ କରିଛନ୍ତି। ତାଙ୍କ ଅଧୀନରେ ପିଏଚ୍‌ଡି କରୁଥିବା ଓଡ଼ିଆ ଗବେଷକ ସୌମ୍ୟକାନ୍ତ ପୃଷ୍ଟିଙ୍କ ଗବେଷଣା କାର୍ଯ୍ୟ ବେଳେ ଶ୍ରୀ ଚାନ୍ଦ ଓ ତାଙ୍କ ସହଯୋଗୀ ଗବେଷକମାନେ ଏହି ନୂଆ ଅଣୁ ତିଆରି କରିଛନ୍ତି। ଆଇଆଇଟି ମାଡ୍ରାସ୍‌ର ରସାୟନ ବିଜ୍ଞାନ ବିଭାଗରେ ଶ୍ରୀ ଚାନ୍ଦଙ୍କ ଗବେଷଣାଗାରରେ ପାଲାଡିୟମ (୨), ୪,୪’- ବାଇପାରାଡାଇନ୍‌ ଓ ୧,୪- ଫେନାଇଲ୍‌- ନେବିସ (ମେଥିଲିନ) ଆଦି ୩ଟି ତତ୍ତ୍ୱର ବ୍ୟବହାର କରି ଏହି ନୂତନ ଅଣୁ ତିଆରି କରାଯାଇଛି। ଏହି ନବନିର୍ମିତ ଅଣୁରେ ଏକାଧିକ ଛିଦ୍ର ରହିଛି ଯାହା ଦ୍ୱାରା ଏହା ବିଭିନ୍ନ ରାସାୟନିକ କାର୍ଯ୍ୟ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେବ।

publive-imageବିଶେଷ କରି ଔଷଧ ପ୍ରସ୍ତୁତି ପ୍ରକ୍ରିୟାକୁ ଏହା ସହଜ କରିବ। ଏହାର ଛିଦ୍ର ଗୁଡ଼ିକରେ ଅନ୍ୟ ଅତିଥି ଅଣୁକୁ ସଂଘଟିତ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ସହଜ ହେବ। ତେଣୁ ଔଷଧ ଗୁଡ଼ିକର ବିଭିନ୍ନ ତତ୍ତ୍ୱ ସ୍ଥାନାନ୍ତରରେ ଏହା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ପ୍ର. ଚାନ୍ଦ କହିଛନ୍ତି। ଅଣୁ ପ୍ରସ୍ତୁତିରେ ପାଲାଡିୟମ(୨)ର ବ୍ୟବହାର ନୂଆ। ଏହାଛଡ଼ା ଦୁଇଟି ଭିନ୍ନ ଲିଗାଣ୍ଡର ବନ୍ଧନ ପୂର୍ବରୁ କେବେ ହୋଇ ନଥିଲା ଯାହା ଏହି ରାସାୟନିକ ପରୀକ୍ଷା ବେଳେ ସମ୍ଭବ ହୋଇଛି। ଲିଗାଣ୍ଡ ଭଳି ରଡ୍‌ର ବ୍ୟବହାରବେଳେ ସାଧାରଣତଃ ବର୍ଗାକାର ଆକୃତି ତିଆରି ହୋଇଥାଏ। କିନ୍ତୁ ଏହି ପରୀକ୍ଷାରେ ପଞ୍ଚକୋଣୀୟ ଆକୃତିର ସମ୍ଭାବନା ଥିବାରୁ ଆମେ ଏହି ପ୍ରକଳ୍ପରେ ସବୁ ଜୋର ଲଗାଇ ସଫଳ ହୋଇଥିଲୁ ବୋଲି ଶ୍ରୀ ଚାନ୍ଦ କହିଛନ୍ତି। ପ୍ରାକୃତିକଭାବେ ଅନେକ ପଞ୍ଚକୋଣୀୟ ଆକୃତି ଥିଲାବେଳେ ରାସାୟନିକଭାବେ ପଞ୍ଚକୋଣୀୟ ଆକୃତି ଅଣ ପ୍ରସ୍ତୁତ କରିବା ବିରଳ ବୋଲି ସେ ସୂଚନା ଦେଇଛନ୍ତି। ବର୍ତମାନ ତାଙ୍କ ଟିମ୍‌ ଏହି ଆକୃତିର ବିବିଧ ପ୍ରକାର ନିର୍ମାଣ କରିବା ଓ ଛିଦ୍ରର ବ୍ୟବହାର କରି ବିଭିନ୍ନ ରାସାୟନିକ ଔଷଧୀୟ ତତ୍ତ୍ୱକୁ ଯୋଡ଼ିବା ଓ ସ୍ଥାନାନ୍ତର କରିବାର ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି।

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲୁପୁରସିଂହା ନିବାସୀ ଲିଙ୍ଗରାଜ ଚାନ୍ଦଙ୍କ ପୁତ୍ର ଦିଲୀପ ଲରମ୍ଭା ହାଇସ୍କୁଲରୁ ମାଟ୍ରିକ ଓ ଲରମ୍ଭା କଲେଜରୁ +୨ ଓ +୩ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ୧୯୯୨ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତୋକତ୍ତର ରସାୟନ ବିଜ୍ଞାନରେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ। ଏହାପରେ ଆଇଆଇଟି କାନପୁରରୁ ପିଏଚ୍‌ଡି ଡିଗ୍ରି ଲାଭ କରିବା ସହ ଜର୍ମାନିରୁ ୨ ବର୍ଷ ଓ ଜାପାନରୁ ୩ ବର୍ଷର ଉଚ୍ଚତର ଶିକ୍ଷା ଓ ଗବେଷଣା ଅଭିଜ୍ଞତା ଲାଭ କରିଥିଲେ। ସେ ୨୦୦୩ରେ ଆଇଆଇଟି ମାଡ୍ରାସରେ ଅଧ୍ୟାପକଭାବେ ଯୋଗ ଦେଇଥିଲେ ଓ ବର୍ତମାନ ପ୍ରଫେସରଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଅଧୀନରେ ଗବେଷଣା କରୁଥିବା ସୌମ୍ୟକାନ୍ତ ପୃଷ୍ଟି ୨୦୦୯ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତୋକୋତ୍ତର ଡିଗ୍ରି ହାସଲ ପରେ ଏବେ ଆଇଆଇଟି ମାଡ୍ରାସରେ ପିଏଚ୍‌ଡି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe